ନୂଆଦିଲ୍ଲୀ: ମୁକୁଳା ଡ୍ରେନ୍ ଆଜିକାଲି ସହରି ଫେସନ୍ ପାଲଟିଛି! ସରକାରୀ ଅଧିକାରୀଙ୍କର ଏ ପ୍ରକାର ଦାୟିତ୍ୱହୀନତା ଆଜି ପ୍ରତି ସଚେତନ ନାଗରିକଙ୍କ ମନକୁ ଘାଂଟୁଛି। ଗାଜିଆବାଦର ମସୁରୀ ଥାନା ଅନ୍ତର୍ଗତ ଝୁଣ୍ଡପୁରା ଗାଁ (ମାଜରା ଝୁଣ୍ଡପୁରା)ରେ ଜଣେ ୧୧ ବର୍ଷୀୟ ନିରୀହ ଶିଶୁକୁ ମୁକୁଳା ଡ୍ରେନ ଶିକାର କରିଛି। କୁହାଯାଉଛି ଯେ, ପିଲାଟି ଓଭର ଫ୍ଲୋ ହେଉଥିବା ମୁକୁଳା ଡ୍ରେନ ନିକଟରେ ଠିଆ ହୋଇଥିଲା। ଶରୀରର ସନ୍ତୁଳନ ବିଗିଡ଼ି ଗଲା ଏବଂ ଏକ ଫୁଟ ଗଭୀର ଗର୍ତକୁ ଖସିପଡ଼ିଲା। ପାଖାପାଖି ଦୁଇ ମିନିଟ ଯାଏ ପାଣିରେ ପଡ଼ି ରହିବା କାରଣରୁ ପିଲାଟିର ମୃତ୍ୟୁ ହୋଇଥିଲା।
ଉକ୍ତ ଘଟଣାର ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିବା ପରେ, ପୂରା ଘଟଣା ସ୍ପଷ୍ଟ ହୋଇଛି, ଯେଉଁଥିରେ ପିଲାଟି ଡ୍ରେନରେ ଖସି ପଡ଼ିବାର ଦେଖାଯାଉଛି ଏବଂ ପାଖାପାଖି ଦୁଇ ମିନିଟ୍ ଯାଏ ପାଣିରେ ପଡ଼ି ରହୁଛି, ତା’ପରେ ତା’ର ମୃତ୍ୟୁ ହୋଇଯାଉଛି। ଗ୍ରାମବାସୀ ମାନେ ଏହି ଦୁଃଖଦ ଦୁର୍ଘଟଣା ପାଇଁ ସିଧାସଳଖ ପଂଚାୟତ ବିଭାଗକୁ ଦାୟୀ କରିଛନ୍ତି। ଲୋକଙ୍କ ଅଭିଯୋଗ, ଗାଁର ଡ୍ରେନଗୁଡ଼ିକ ନିୟମିତ ସଫା କରାଯାଉନି। ନର୍ଦ୍ଦମା ପାଣି ଓଭରଫ୍ଲୋ ହୋଇ ରାସ୍ତାରେ ପ୍ରବାହିତ ହେଉଛି। ଡ୍ରେନଗୁଡ଼ିକରେ କଭର୍ ନଥିବା କାରଣରୁ ଖସିଯିବାର ବିପଦ ରହୁଛି। ଯଦି ଡ୍ରେନ୍ ଢଙ୍କା ହୋଇଥାନ୍ତା କିମ୍ୱା ସଫା ହୋଇଥାନ୍ତା, ଛୋଟ ପିଲାଟିର ଜୀବନ ଯାଇ ନଥାନ୍ତା। ଡ୍ରେନ ମୁକୁଳା ରଖି ଚାଲିଯିବା ପୌର ସଫେଇ କର୍ମଚାରୀଙ୍କର ଦେହସୁହା ହୋଇଗଲାଣି। ସ୍ଥାନୀୟ ଲୋକଙ୍କ ପରାମର୍ଶ ପ୍ରତି ଏପରି ଖାମଖିଆଲ ମନୋଭାବ ପୌର ସଂସ୍ଥାର ବିଶ୍ୱସନୀୟତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।