ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ପଦାର୍ପଣ କରିଥିବା ପ୍ରଥମ ଭାରତୀୟ ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳାଙ୍କୁ ମିଳିଛି ଅଶୋକ ଚକ୍ର। ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ ତଥା ଓଝଝରେ ଐତିହାସିକ ମହାକାଶ ମିଶନ ସମୟରେ ଅସାଧାରଣ ସାହସ ପାଇଁ ଶୁଭାଂଶୁଙ୍କୁ ଭାରତର ସର୍ବୋଚ୍ଚ ଶାନ୍ତିକାଳୀନ ବୀରତ୍ୱ ପୁରସ୍କାର ଅଶୋକ ଚକ୍ର ପ୍ରଦାନ କରାଯାଇଛି। ଶୁଭାଂଶୁ ମିଶନ ସମୟରେ ଚ୍ୟାଲେଞ୍ଜିଂ ପରିସ୍ଥିତିରେ ଅଦମ୍ୟ ସାହସ ଏବଂ ବୁଦ୍ଧିର ସହିତ ତାଙ୍କର କର୍ତବ୍ୟ ସମ୍ପାଦନ କରି ଅନ୍ତର୍ଜାତୀୟ ସ୍ତରରେ ଭାରତକୁ ଗୌରବାନ୍ୱିତ କରିଥିଲେ। ତାଙ୍କର ଅସାଧାରଣ ସାହସ ପାଇଁ ତାଙ୍କୁ ଅଶୋକ ଚକ୍ରରେ ସମ୍ମାନିତ କରାଯାଇଛି।
୨୫ ଜୁନ୍,୨୦୨୫ରେ ଆରମ୍ଭ ହୋଇଥିବା ଅକ୍ସିଅମ୍-୪ ମିଶନର ଅଂଶ ଭାବରେ ଶୁଭାଂଶୁ ଶୁକ୍ଳା ଅନ୍ୟ ତିନି ଜଣ ମହାକାଶଚାରୀଙ୍କ ସହିତ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନକୁ ଯାତ୍ରା କରିଥିଲେ। ୱିଙ୍ଗ କମାଣ୍ଡର ରାକେଶ ଶର୍ମାଙ୍କ ପରେ ଶୁଭାଂଶୁ ଶୁକ୍ଳା ହେଉଛନ୍ତି ଦ୍ୱିତୀୟ ମହାକାଶଚାରୀ ଯିଏ ମହାକାଶକୁ ଯାଇଥିଲେ। ଶୁଭାଂଶୁ ଶୁକ୍ଳା ମହାକାଶରେ ପ୍ରାୟ ୨୦ ଦିନ ବିତାଇ ଜୁଲାଇ ୧୪ରେ ପୃଥିବୀକୁ ଫେରିଥିଲେ। ମହାକାଶ ରହଣି କାଳରେ ସେ ୬୦ ରୁ ଅଧିକ ପରୀକ୍ଷଣ କରିଥିଲେ। ଯେଉଁଥିରେ ଜୈବ ଚିକିତ୍ସା ବିଜ୍ଞାନ, ନ୍ୟୁରୋସାଇନ୍ସ, କୃଷି, ମହାକାଶ ପ୍ରଯୁକ୍ତିବିଦ୍ୟା ଏବଂ ଉନ୍ନତ ସାମଗ୍ରୀ ବିଜ୍ଞାନ ଭଳି ବିବିଧ କ୍ଷେତ୍ର ଅନ୍ତର୍ଭୁକ୍ତ ଥିଲା।
ମିଶନ ସମୟରେ, ଶୁଭାଂଶୁ ଓଝଝ ଉପରେ ମାଇକ୍ରୋଗ୍ରାଭିଟି, ମାନବ ଶରୀର ବିଜ୍ଞାନ ଏବଂ ଉନ୍ନତ ସାମଗ୍ରୀ ସହିତ ଜଡିତ ଅନେକ ଜଟିଳ ପରୀକ୍ଷଣ କରିଥିଲେ। ମହାକାଶ ଯାତ୍ରା ସହିତ ଜଡିତ ବିଶାଳ ଚ୍ୟାଲେଞ୍ଜ ଏବଂ ବିପଦ ସତ୍ୱେ ସାହସର ସହିତ ସମଗ୍ର ମିଶନରେ ଧ୍ୟାନ କେନ୍ଦ୍ରିତ କରିଥିଲେ। ସେ ମହାକାଶର ପ୍ରତିକୂଳ ପରିବେଶରେ ଅସାଧାରଣ ସାହସ, ସ୍ଥିରତା ଏବଂ ମାନସିକ ଦୃଢ଼ତା ପ୍ରଦର୍ଶନ କରିଥିଲେ, ଗମ୍ଭୀର ଶାରୀରିକ ଚାପ, ବିକିରଣ ଏବଂ ମାଂସପେଶୀ କ୍ଷତି, ପରିବର୍ତିତ ଶରୀର ଏବଂ ମାନସିକ ଚାପ ସମେତ ସ୍ୱାସ୍ଥ୍ୟ ବିପଦର ସମ୍ମୁଖୀନ ହୋଇଥିଲେ।