ଅଜିତ ପୱାରଙ୍କ ମୃତ୍ୟୁ: ମହାରାଷ୍ଟ୍ର ରାଜନୀତି ସରଗରମ

ଅଜିତ ପୱାରଙ୍କ ବିନା ମହାରାଷ୍ଟ୍ରର ରାଜନୈତିକ ….

ମୁମ୍ବାଇ: ଅଜିତ ପୱାରଙ୍କ ବିନା ମହାରାଷ୍ଟ୍ରର ରାଜନୈତିକ ଦୃଶ୍ୟପଟ୍ଟକୁ ସମଗ୍ର ପିଢ଼ି ପାଇଁ କଳ୍ପନା କରିବା କଷ୍ଟକର। ମହାରାଷ୍ଟ୍ରର ଦୀର୍ଘ ସମୟ ଧରି ଉପମୁଖ୍ୟମନ୍ତ୍ରୀ ଭାବେ ରହିଥିବା ପୱାର ଏହାର ବିକଳ୍ପ ଶକ୍ତି କେନ୍ଦ୍ର ମଧ୍ୟରୁ ଗୋଟିଏ ହୋଇ ରହିଥିଲେ। ବୁଧବାର ବାରାମତିରେ ଏକ ବିମାନ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ମହାରାଷ୍ଟ୍ର ରାଜନୀତି ଓ ବିଶେଷକରି ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି)ର ଦୁଇ ଗୋଷ୍ଠୀକୁ ଅନିଶ୍ଚିତତା ଭିତରକୁ ଠେଲି ଦେଇଛି।
ଅଜିତ ପୱାରଙ୍କ ନମନୀୟତା ଗୁଣ ଯୋଗୁ ସେ ନିଜକୁ ବିବିଧ ସମୀକରଣରେ ଫିଟ୍‌ କରିବାରେ ସଫଳ ହୋଇଥିଲେ। ସେ ପୃଥ୍ୱୀରାଜ ଚୌହାନ, ଉଦ୍ଧବ ଠାକରେ, ଏକନାଥ ସିନ୍ଦେ ଓ ଦେବେନ୍ଦ୍ର ଫଡନାଭିସଙ୍କ ମନ୍ତ୍ରିମଣ୍ଡଳରେ ଛଅ ଥର ଉପମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ଆନୁଷ୍ଠାନିକ ଦଳର ଟ୍ୟାଗ୍‌ ଓ ପ୍ରତୀକ ଥିବା ଏନ୍‌ସିପିର ତାଙ୍କ ଗୋଷ୍ଠୀ ମହାରାଷ୍ଟ୍ରର ବର୍ତମାନ ଫଡନାଭିସ ସରକାରର ଏକ ଅଂଶ।

କାର୍ଯ୍ୟରତ ଉପମୁଖ୍ୟମନ୍ତ୍ରୀ ଭାବରେ ଅଜିତ ପୱାରଙ୍କ ମୃତ୍ୟୁ ହୋଇଛି। ତାଙ୍କ ଦେହାନ୍ତ ବିଜେପି, ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନା ଓ ତାଙ୍କ ଏନ୍‌ସିପିର ମିଳିତ ମେଂଟ ମହାୟୁତି ସରକାର ଉପରେ ପ୍ରଭାବ ପକାଇବ। ୪୧ ଜଣ ବିଧାୟକ ଓ ଜଣେ ଲୋକସଭା ସାଂସଦଙ୍କୁ ନେଇ ଅଜିତ ପୱାର ଗୋଷ୍ଠୀର ଏବେ ଅଧିକ ରାଜନୈତିକ ପ୍ରଭାବ ରହିଛି। ବିଜେପି-ଶିବସେନା ମହାୟୁତି ମେଂଟରେ ଯୋଗଦେବା ପାଇଁ ଅଜିତ ପାୱାର ୨୦୨୩ରେ କକା ଶରଦ ପୱାରଙ୍କ ପ୍ରତିଷ୍ଠିତ ଦଳ ଏନ୍‌ସିପିକୁ ବିଭାଜିତ କରିଥିଲେ। ଏହା ପୂର୍ବରୁ ୨୦୧୯ରେ ସେ ବିଜେପିରେ ଯୋଗ ଦେଇ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ତେବେ ଶରଦ ପୱାର ଡାକିବା ପରେ ସେ ଏନ୍‌ସିପିକୁ ଫେରିଥିଲେ, କିନ୍ତୁ ଚାରି ବର୍ଷ ପରେ ଦଳକୁ ବିଭାଜିତ କରିଥିଲେ। ଏନ୍‌ସିପିର ପ୍ରଥମ ପରିବାରକୁ ଏକଜୁଟ କରି ସେ ତାଙ୍କ କକାଙ୍କ ସହ ସମ୍ପର୍କ ସ୍ଥାପନ କରୁଥିବା ସଙ୍କେତ ମିଳିଥିବା ବେଳେ ଅଜିତ ପୱାରଙ୍କ ମୃତ୍ୟୁ ଘଟିଛି। ନିକଟରେ ହୋଇଥିବା ମହାରାଷ୍ଟ୍ର ସ୍ଥାନୀୟ ନିର୍ବାଚନରେ ଏହି ସଙ୍କେତ ଦେଖିବାକୁ ମିଳିଥିଲା, ଯେଉଁଠାରେ ପିମ୍ପ୍ରି-ଚିଂଛୱାଡରେ ଦୁଇ ଏନ୍‌ସିପି ଗୋଷ୍ଠୀ ଏକାଠି ଲଢ଼ିଥିଲେ। ଅଜିତ ପୱାରଙ୍କ ଦେହାନ୍ତ ପରେ ଅନେକ ପ୍ରଶ୍ନ ଉଠିଛି। ଏନ୍‌ସିପିରୁ ଉପମୁଖ୍ୟମନ୍ତ୍ରୀ କିଏ ହେବ? ଏନ୍‌ସିପିର ଦୁଇ ଗୋଷ୍ଠୀ ଏକାଠି ହେବେ କି? ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ଗୁରୁତ୍ୱପୂର୍ଣ୍ଣ ସମୟରେ ଅଜିତ ପାୱାରଙ୍କ ଏନ୍‌ସିପି ଏକ ଏକକ ଗୋଷ୍ଠୀ ହୋଇ ରହିବ କି? ରାଜ୍ୟସଭା କାର୍ଯ୍ୟକାଳ ଶେଷ ହେବା ପରେ ଅବସର ନେବାକୁ ନିଷ୍ପତି ନେଇଥିବା ବରିଷ୍ଠ ଶରଦ ପାୱାରଙ୍କ ବ୍ୟତୀତ ଏନ୍‌ସିପିର ଦୁଇଟି ଚେହେରା ଥିଲେ: ଅଜିତ ପାୱାର ଓ ସୁପ୍ରିୟା ସୁଲେ। ଶରଦ ପାୱାରଙ୍କ ଝିଅ ସୁପ୍ରିୟା ନୂଆଦିଲ୍ଲୀରେ ଏନ୍‌ସିପିର ଚେହେରା ଭାବରେ ଅଧିକ ଦେଖାଯାଉଥିବା ବେଳେ ଅଜିତ ପୱାର ଜଣେ ଜନରାଜନେତା ଓ ଜଣେ ଧୂରୀଣ ରଣନୀତିଜ୍ଞ ଥିଲେ।

ଅଜିତଙ୍କ ପୁତୁରା ତଥା କର୍ଜାତ-ଜାମଖେଡ ନିର୍ବାଚନମଣ୍ଡଳୀର ବିଧାୟକ ରୋହିତ ପୱାର ଏପର୍ଯ୍ୟନ୍ତ ରାଜନୈତିକ ସିଡ଼ି ଚଢି ନାହାନ୍ତି। ତାଙ୍କ ପତ୍ନୀ ସୁନେତ୍ରା ପୱାର ଜଣେ ରାଜ୍ୟସଭା ସାଂସଦ, ବାରାମତି ଟେକ୍ସଟାଇଲ କମ୍ପାନିର ଅଧ୍ୟକ୍ଷା ତଥା ପରିବେଶ ଫୋରମ୍‌ ଅଫ୍‌ ଇଣ୍ଡିଆର ସିଇଓ ଅଟନ୍ତି। ଅଜିତ ପୱାରଙ୍କ ଦୁଇ ପୁଅ ପାର୍ଥ ଓ ଜୟ ପାୱାର ଅଛନ୍ତି। ପାର୍ଥ କିଛି ସମୟ ପାଇଁ ରାଜନୀତିରେ ପାଦ ରଖିଥିଲେ ଏବଂ ମହାରାଷ୍ଟ୍ରର ମାଭାଲ ନିର୍ବାଚନମଣ୍ଡଳୀରୁ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ, କିନ୍ତୁ ସେ ବହୁ ବ୍ୟବଧାନରେ ପରାଜିତ ହୋଇଥିଲେ। ଅନ୍ୟପକ୍ଷରେ ଜୟ ରାଜନୀତିରୁ ଦୂରେଇ ରହି କମ୍‌ ପବ୍ଲିକ୍‌ ପ୍ରୋଫାଇଲ୍‌ ବଜାୟ ରଖିଛନ୍ତି।
ଅଜିତ ପୱାର ଜଣେ ଜନନେତା ଥିଲେ, ତାଙ୍କର ତୃଣମୂଳ ସ୍ତରରେ ଦୃଢ ସମ୍ପର୍କ ଥିଲା। ମହାରାଷ୍ଟ୍ରର ଲୋକଙ୍କ ସେବା କରିବାରେ ଜଣେ ପରିଶ୍ରମୀ ବ୍ୟକ୍ତିତ୍ୱ ଭାବରେ ତାଙ୍କୁ ସମ୍ମାନିତ କରାଯାଇଥିଲା ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଛନ୍ତି। ପ୍ରଶାସନିକ ପ୍ରସଙ୍ଗରେ ତାଙ୍କର ବୁଝାମଣା ଏବଂ ଗରିବ ଓ ଅବହେଳିତ ଲୋକଙ୍କୁ ସଶକ୍ତ କରିବା ପାଇଁ ତାଙ୍କର ଉତ୍ସାହ ମଧ୍ୟ ଉଲ୍ଲେଖନୀୟ ବୋଲି ମୋଦୀ କହିଛନ୍ତି। ଶିବସେନା (ୟୁବିଟି)ର ରାଜ୍ୟସଭା ଏମ୍‌ପି ପ୍ରିୟଙ୍କା ଚତୁର୍ବେଦୀ ମଧ୍ୟ ଅଜିତ ପୱାରଙ୍କୁ ଜଣେ ପରିଶ୍ରମୀ ନେତା ବୋଲି ବର୍ଣ୍ଣନା କରିଛନ୍ତି।

ଚତୁର୍ବେଦୀ କହିଛନ୍ତି, ସେ ସକାଳ ୬ଟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ କାମ କରୁଥିଲେ। ଅଜିତ ପାୱାରଙ୍କ ଦେହାନ୍ତ ବର୍ତମାନ ୮୩ ବର୍ଷ ବୟସ୍କ ଶରଦ ପୱାରଙ୍କ ପାଇଁ ଦ୍ୱନ୍ଦ୍ୱ ସୃଷ୍ଟି କରିଛି। ବାରାମତିରେ କିଏ ତାଙ୍କ ଦାୟିତ୍ୱ ଗ୍ରହଣ କରିବ? ପୱାର ପରିବାରର ବିପୁଳ ବ୍ୟକ୍ତିଗତ କ୍ଷତି ମଧ୍ୟ ଏନ୍‌ସିପି ଓ ମହାରାଷ୍ଟ୍ର ରାଜନୀତି ପାଇଁ ଏକ ବଡ଼ ଆହ୍ୱାନ ସୃଷ୍ଟି କରିଛି।