ଡେଲିଭରି ବୟଙ୍କୁ ମାରି ଫିଙ୍ଗିଦେଲେ!

ମଂଚେଶ୍ୱର ଥାନା ଅନ୍ତର୍ଗତ ପାଣ୍ଡରା ନିକଟରେ ଥିବା

ଭୁବନେଶ୍ୱର: ମଂଚେଶ୍ୱର ଥାନା ଅନ୍ତର୍ଗତ ପାଣ୍ଡରା ନିକଟରେ ଥିବା ବିଲ ମଝିର ଏକ ପାଚେରୀ କଡ଼ରୁ ଜଣେ ଡେଲିଭରୀ ବଏଙ୍କ ସନ୍ଦେହ ଜନକ ମୃତଦେହ ଜବତ ହୋଇଛି। ବେକରେ ଗାମୁଛା ବନ୍ଧା ହୋଇ ଏକ ଗଛରେ ଝୁଲୁଥିବାର ଦେଖିବାକୁ ମିଳିଛି। ତେଣୁ ପୋଲିସ ଏହାକୁ ଆତ୍ମହତ୍ୟା କହୁଛି। ତେଣୁ ଏ ନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରିଛି। ମୃତ ଯୁବକ ହେଲେ ନୀଳାମ୍ବର ଭୋଇ। ମୃତଦେହ ପାଖରେ ଏକ ପାଣି ବୋତଲ ସହ ସାଇକେଲ ପଡ଼ିଛି। ମୁଖ୍ୟ ରାସ୍ତାଠାରୁ ବିଲ ଭିତରେ ୧୦୦ ମିଟର ଦୂରରେ ମୃତଦେହ ଝୁଲୁଥିଲା। ମଂଚେଶ୍ୱର ଥାନା ପୋଲିସ, ସାଇଂଟିଫିକ ଟିମ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ମୃତ ଯୁବକଙ୍କ ଘର ଲକ୍ଷ୍ମୀସାଗର ଥାନା ଅଂଚଳରେ। ସେ ଏକ ଅନଲାଇନ ଡେଲିଭେରି ସଂସ୍ଥାରେ କାମ କରୁଥିଲେ। ଦୁଇ ବର୍ଷ ହେବ ମହାଦେବ ନଗରରେ ରହୁଥିଲେ। ୨ ଦିନ ତଳେ ସେ ଘରକୁ ନ ଫେରିବାରୁ ପରିବାର ଲୋକ ଲକ୍ଷ୍ମୀସାଗର ଥାନାରେ ନିଖୋଜ ନେଇ ଏତଲା ଦେଇଥିଲେ। ପୋଲିସ ଏକ ମିସିଂ ରିପୋର୍ଟ କରି ଛାନ୍‌ଭିନ୍‌ କରିଥିଲେ।

ଗୁରୁବାର ସକାଳେ ନୀଳାମ୍ବରର ଫୋନ୍‌ ନମ୍ବରର ଶେଷ ଲୋକେସନ ଦେଖିବା ପରେ ସେ ପାଣ୍ଡରା ଏକ ବିଲ ଭିତରେ ଦେଖାଇଥିଲା। ଲକ୍ଷ୍ମୀସାଗର ଥାନା ପୋଲିସ ସେଠାକୁ ଯାଇ ଝୁଲନ୍ତା ଅବସ୍ଥାରେ ମୃତଦେହ ଦେଖିଥିଲା। ମଙ୍ଗଳବାର ଅର୍ଡର ଧରି ପହଂଚାଇବାକୁ ବାହାରିଥିଲେ ନୀଳାମ୍ବର। ଗ୍ରାହକଙ୍କ ସହ କମ୍ପାନୀରୁ କଲ ପରେ କଲ ଆସୁଥିଲା। ହେଲେ ଅର୍ଡର ନେଇ ପହଂଚାଇ ପାରିଲେନି ସେ। ଅଧାରାସ୍ତାରୁ ନିଖୋଜ ହୋଇଗଲେ ଡେଲିଭରି ବୟ ନୀଳାମ୍ବର। ଆଉ ନିଖୋଜର ୨ ଦିନ ପରେ ବିଲ ଭିତରୁ ମିଳିଛି ତାଙ୍କ ମୃତଦେହ। ପରିବାର ଲୋକ ଏହାକୁ ହତ୍ୟା ଅଭିଯୋଗ କରିଛନ୍ତି। ତାଙ୍କୁ କେହି ହତ୍ୟା କରି ବେକରେ ଗାମୁଛା ଲଗାଇ ଝୁଲାଇ ଦେଇଛନ୍ତି। ପୋଲିସ ନିରପେକ୍ଷ ତଦନ୍ତ କଲେ ସତ ପଦାକୁ ଆସିବ ବୋଲି ପରିବାର ଲୋକ କହିଛନ୍ତି। ପୋଲିସ ଗୁରୁବାର ରାତିରେ ଖୋଜା ଖୋଜି କରିଥିଲେ ନୀଳାମ୍ବରର ମୃତଦେହ ଏଭଳି ଅବସ୍ଥାରେ ମିଳି ନଥାନ୍ତା ବୋଲି ଅଭିଯୋଗ କରିଛନ୍ତି। ପୋଲିସ ବିଳମ୍ବ କରିବାରୁ ଏଭଳି ଅବସ୍ଥାରେ ମୃତଦେହ ମିଳିଛି।