ନବରଂଗପୁର ଜିଲ୍ଲାର ୭ଟି ବ୍ଲକରେ ଅଲଟ୍ରାସ୍କାନ୍ ସୁବିଧାକୁ ଲୋକଙ୍କ ଅପେକ୍ଷା
ଗର୍ଭବତୀ ମାଆଙ୍କୁ ଦୂରଦୂରାନ୍ତର ଡାକ୍ତରଖାନାକୁ ଆସି….
ନବରଙ୍ଗପୁର: ଗର୍ଭବତୀ ମାଆଙ୍କୁ ଦୂରଦୂରାନ୍ତର ଡାକ୍ତରଖାନାକୁ ଆସି ଅଲଟ୍ରାସ୍କାନ କରିବାର ଆବଶ୍ୟକତା ନାହିଁ । ସବୁ ବ୍ଲକରେ ଏହି ସୁବିଧା ଉପଲବ୍ଧ କରାଯିବ ବୋଲି ସରକାର ଘୋଷଣା କରିଥିଲେ । ନବରଙ୍ଗପୁର ଜିଲ୍ଲାରେ ଏହା ନବରଙ୍ଗପୁର, ଉମରକୋଟ ଓ ପାପାଡାହାଣ୍ଡିରେ ହିଁ କାର୍ଯ୍ୟକାରୀ ହେଉଥିବା ବେଳେ ବଳକା ୭ଟି ବ୍ଲକରେ କେବେ କାର୍ଯ୍ୟକାରୀ ହେବ ବୋଲି ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି ।
ଜିଲ୍ଲାରେ ୩ଟି ସରକାରୀ ଡାକ୍ତରଖାନାରେ ୮୩୯୧ ଗର୍ଭବତୀ ଓ ଗୋଟିଏ ଘରୋଇ ଡାକ୍ତରଖାନାରେ ୩୩୧୦ ଏଭଳି ୧୧,୭୦୧ଜଣ ଗର୍ଭବତୀଙ୍କର ପରୀକ୍ଷା କରାଯାଇଛି । ନବରଙ୍ଗପୁର ଜିଲ୍ଲା ସଦରମହକୁମାର ଜିଲ୍ଲା ମୁଖ୍ୟ ଚିକିସôାଳୟ ଓ ଘରୋଇ ଖ୍ରୀଷ୍ଟୀୟାନ ମେଡିକାଲରେ ୨ଟି ମେସିନରେ ଯାଂଚ କରାଯାଉଛି । ପାପାଡାହାଣ୍ଡି ସିଏଚ୍ସି ଓ ଉମରକୋଟ ଏସ୍ଡିଏଚ୍ରେ ଆଉ ଗୋଟିଏ ଲେଖାଏଁ ମେସିନରେ ଯାଂଚ କରାଯାଉଛି । ଘରୋଇ ଖ୍ରୀଷ୍ଠିୟାନ ମେଡିକାଲ ବାଦ୍ ସୀମାଦ୍ରୀ ସୂର୍ଯ୍ୟା ଆଇ ହସ୍ପିଟାଲ ଓ ଉମରକୋଟର ସାଇ ହସ୍ପିଟାଲରେ ଆଉ ଗୋଟିଏ ଅଲଟ୍ରା ସାଉଣ୍ଡ ମେସିନ୍ ରହିଛି । ନବରଙ୍ଗପୁର ଜିଲ୍ଲା ସଦର ମହକୁମା ଡାକ୍ତରଖାନାରେ ସ୍ତ୍ରୀ ଓ ପ୍ରସୁତି ବିଶେଷଜ୍ଞ ଡ. ଦିଲ୍ଲୀପ କୁମାର ଦଳେଇ ୧୮୨୩ ଜଣ ଗର୍ଭବତୀଙ୍କର ଅଲଟ୍ରାସ୍କାନ କରିଛନ୍ତି ।
ଖ୍ରୀଷ୍ଟିୟାନ ହସ୍ପିଟାଲରେ ସ୍ତ୍ରୀ ଓ ପ୍ରସୁତି ବିଶେଷଜ୍ଞ ଡ. ଜସ୍ମିନ୍ ପାଲେନ୍ ସାହୁ ୩୩୧୦ ଜଣଙ୍କୁ, ଉମରକୋଟ ଏସ୍ଡିଏଚରେ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡ. ପ୍ରମୋଦ କୁମାର ନାୟକ ୫୧୫୧ ଓ ପାପାଡାହାଣ୍ଡି ସିଏଚ୍ସିରେ ଡ. ସାଗରିକା ସ୍ୱାଇଁ ୧୪୧୭ ଜଣ ଗର୍ଭବତୀଙ୍କର ଗର୍ଭପରୀକ୍ଷା କରିଥିବା ସୂଚନା ମିଳିଛି । ତେବେ ଜିଲ୍ଲାର ସବୁ ବ୍ଲକରେ ୧୫ ହଜାର ମହିଳା ଗର୍ଭଧାରଣ କରୁଥିବା ବେଳେ ସବୁ ଗର୍ଭବତୀ ନିଜ ଗର୍ଭର ପରୀକ୍ଷା କରି ପାରୁନାହାନ୍ତି । ଉମରକୋଟ ଏସଡିଏଚରେ ଉମରକୋଟ ବ୍ଲକ ଓ ପୌରାଂଚଳ, ରାଇଘର ବ୍ଲକ, ଝରିଗାଁ ବ୍ଲକ ଓ ଚନ୍ଦାହାଣ୍ଡି ବ୍ଲକର ଗର୍ଭବତୀମାନଙ୍କୁ ଗର୍ଭ ପରୀକ୍ଷା କରିବାକୁ ଆଶାକର୍ମୀ ମାନେ ଆଣୁଛନ୍ତି । ସେହିପରି ପାପାଡାହାଣ୍ଡି ସିଏଚସିକୁ ପାପାଡାହାଣ୍ଡି ବ୍ଲକ, ଡାବୁଗାଁ ବ୍ଲକ ଓ କୋଷାଗୁମୁଡା ବ୍ଲକର ଆଣି ପରୀକ୍ଷା କରୁଛନ୍ତି ।
ଅପରପକ୍ଷରେ ନବରଙ୍ଗପୁର ଜିଲ୍ଲା ସଦରମହକୁମା ଡିଏଚଏଚ ଡାକ୍ତରଖାନା ଓ ଖ୍ରୀଷ୍ଠିୟାନ ହସ୍ପିଟାଲକୁ ନବରଙ୍ଗପୁର ପୌରପାଳିକା ଓ ବ୍ଲକ, ନନ୍ଦାହାଣ୍ଡି ବ୍ଲକ, ତେନ୍ତୁଳିଖୁଂଟି ବ୍ଲକର ଗର୍ଭବତୀଙ୍କୁ ପରୀକ୍ଷା ପାଇଁ ନେଉଥିବା ସୂଚନା ମିଳିଛି । ଏହା ବାଦେ ଡିଏଚଏଚରେ ମାତୃତ୍ୱ ଦିବସ ବେଳେ ମଧ୍ୟ ବହୁ ଗର୍ଭବତୀଙ୍କର ପରୀକ୍ଷା କରାଯାଉଥିବା କହିଛନ୍ତି ଡିଏମଓ ଡ.ସୁକାନ୍ତ ଶତପଥୀ ।
ସବୁ ବ୍ଲକରେ ସ୍ତ୍ରୀ ଓ ପ୍ରସୁତି ବିଶେଷଜ୍ଞ ନିଯୁକ୍ତି ନଚେତ ଇଛୁକ ଥିବା ଡାକ୍ତରଙ୍କୁ ଏହାର ପରିଚାଳନା ପାଇଁ ତାଲିମ ନେବାକୁ ପଠାଇବାକୁ ବି ପିସି ପିଏନଡିଟି ସମୀକ୍ଷା ବୈଠକରେ ନିଷ୍ପତି ହୋଇଛି ।