ଧରାହେଲେ ନକଲି ପରୀକ୍ଷାର୍ଥୀ

ବାହାନଗା: ମାଟ୍ରିକ ପରୀକ୍ଷାର ୪ର୍ଥ ଦିନ । ସୋମବାର ସଂସ୍କୃତ ଛାତ୍ରୀଛାତ୍ରମାନଙ୍କର ସାହିତ୍ୟ ପରୀକ୍ଷା ହୋଇଥିଲା । ତେବେ ବାହାନଗା ବ୍ଲକ ଗୋପାଳପୁର ପିଏମଶ୍ରୀ ମଣିଭଦ୍ର ସରକାରୀ ବିଦ୍ୟାଳୟରେ ଜଣେ ନକଲି ସଂସ୍କୃତ ପରୀକ୍ଷାର୍ଥୀ ଧରାପଡି ପୁଲିସ ଦ୍ୱାରା ଗିରଫ ହୋଇଛନ୍ତି । ଏହି ବିଦ୍ୟାଳୟକୁ ବାଲେଶ୍ୱରସ୍ଥିତ ବାହାର୍ଦ୍ଧ ମାନସ ନଗର ସଂସ୍କୃତ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ମାଟ୍ରିକ୍ ପରୀକ୍ଷା ନିମନ୍ତେ ସେଂଟର ହୋଇଛି । ଉକ୍ତ ବିଦ୍ୟାଳୟର ପରୀକ୍ଷାର୍ଥୀମାନେ ପିଏମ୍ଶ୍ରୀ ମଣିଭଦ୍ର ବିଦ୍ୟାଳୟକୁ ପରୀକ୍ଷା ଦେବାକୁ ଆସନ୍ତି ।

ସୋମବାର ବାହାର୍ଦ୍ଧ ମାନସନଗର ସଂସ୍କୃତ ବିଦ୍ୟାଳୟର ଛାତ୍ର ସୁଶାନ୍ତ କୁମାର ବେହେରା କୌଣସି କାରଣରୁ ପରୀକ୍ଷା ଦେବାକୁ ଆସିପାରି ନ ଥିଲେ । ମାତ୍ର ତାଙ୍କ ଆଡମିଟ୍ କାର୍ଡ ଧରି ପରୀକ୍ଷା କେନ୍ଦ୍ରରେ ବସିଥିଲେ ନକଲି ପରୀକ୍ଷାର୍ଥୀ ନୂଆପୁର ଗ୍ରାମର ବିଷ୍ଣୁପ୍ରସାଦ ମଲ୍ଲିକ । ପରୀକ୍ଷା ଆରମ୍ଭ ପୂର୍ବରୁ ବିଦ୍ୟାଳୟର ଗାର୍ଡ ପଡିଥିବା ଜଣେ ଶିକ୍ଷକ ଦସ୍ତଖତ କରିବା ବେଳେ ନକଲି ପରୀକ୍ଷାର୍ଥୀ ଭୁଲରେ ପ୍ରକୃତ ଛାତ୍ର ନାମ ସ୍ଥାନରେ ନିଜ ନାମକୁ ଲେଖିଥିଲେ । ସେଠାରୁୁ ଧରାପଡ଼ିଥିଲେ ନକଲି ପରୀକ୍ଷାର୍ଥୀ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ତଥା କେନ୍ଦ୍ର ପରିଚାଳକ କିରଣବାଳା ମଲ୍ଲିକଙ୍କ ସହିତ ଆଲୋଚନା ପରେ ଅଭିଯୁକ୍ତଙ୍କୁ ଗୋପାଳପୁର ଥାନା ପୁଲିସ ଜିମା ଦିଆଯାଇଥିଲା । ପୁଲିସ ନକଲି ପରୀକ୍ଷାର୍ଥୀଙ୍କୁ ଥାନାକୁ ନେଇ ଜେରା କରିଛି ।