ସଚିନ୍ଦ୍ର ଚୌଧୁରୀ: ୧୯୦୩ ଆଜିର ଦିନରେ ଭାରତୀୟ ଆଇନଜୀବୀ ଓ ରାଜନେତା ସଚିନ୍ଦ୍ର ଚୌଧୁରୀ ଜନ୍ମଲାଭ କରିଥିଲେ । ସେ ଲାଲ ବାହାଦୁର ଶାସ୍ତ୍ରୀ ଓ ଇନ୍ଦିରା ଗାନ୍ଧୀଙ୍କ ସହିତ କାମ କରିଥିଲେ । ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟର ଦାୟିତ୍ୱ ସମ୍ଭାଳିଥିଲେ । ଭାରତୀୟ ଷ୍ଟେଟ୍ ବ୍ୟାଙ୍କ କେନ୍ଦ୍ରୀୟ ବୋର୍ଡରେ ସଭ୍ୟ ଥିଲେ । ଆଇନ କମିଶନରେ ସଭ୍ୟ ଥିଲେ । ମିଳିତ ଜାତିସଂଘର ସାଧାରଣ ପରିଷଦରେ ଭାରତକୁ ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇଥିଲେ ।
ତଲତ ମହମ୍ମଦ: ୧୯୨୪ ମସିହା ଆଜିର ଦିନରେ ଭାରତର ଲକ୍ଷ୍ନୌ ସହରରେ ଜନ୍ମଲାଭ କରିଥିଲେ ବିଖ୍ୟାତ ପାଶ୍ୱର୍ ଗାୟକ ତଲତ ମହମ୍ମଦ । ଭାରତୀୟ ଚଳଚ୍ଚିତ୍ର ଓ ଗଜଲ ଦୁନିଆରେ ତାଙ୍କ ନାମ ସର୍ବଦା ସ୍ମରଣୀୟ ରହିବ । ଭାରତର ସରକାର ତାଙ୍କୁ ପଦ୍ମଭୂଷଣରେ ସମ୍ମାନିତ କରିଛନ୍ତି ।
ଜୟରାମ ଜୟଲଲିତା: ୧୯୪୮ ମସିହା ଆଜିର ଦିନରେ ରାଜନେତ୍ରୀ ଓ ଅଭିନେତ୍ରୀ ଜୟଲଲିତା ଜନ୍ମଲାଭ କରିଥିଲେ । ୧୯୯୧ରୁ ୨୦୧୬ ମସିହା ଭିତରେ ସେ ପ୍ରାୟ ୬ ଥର ତାମିଲନାଡୁର ମୁଖ୍ୟମନ୍ତ୍ରୀ ହେବାର ସୁଯୋଗ ପାଇଥିଲେ । ରାଜନୀତିରେ ପାଦ ଦେବା ପୂର୍ବରୁ ଜୟଲଲିତା ତାମିଲ, ତେଲୁଗୁ, କନ୍ନଡ଼ ଭାଷାରେ ନିର୍ମିିତ ପ୍ରାୟ ୧୪୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।
ପରିବାର ପ୍ରତିପୋଷଣ ପାଇଁ ତାଙ୍କୁ ଚଳଚ୍ଚିତ୍ରରେ ଅଭିନୟ କରିବାକୁ ପଡ଼ିଥିଲା । ୧୯୯୧ ମସିହାରେ ତାମିଲନାଡୁର ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ଜୟଲଲିତା ଦାୟିତ୍ୱ ଗ୍ରହଣ କରିଥିଲେ ।
ସଂଜୟ ଲୀଲା ଭଂସାଲୀ: ବଲିଉଡ୍ରେ ଚଳଚ୍ଚିତ୍ର ନିଦେ୍ର୍ଦଶକ, ପ୍ରଯୋଜକ, ସଂଳାପ ଲେଖକ ଓ ସଂଗୀତ ନିଦେ୍ର୍ଦଶକ ଭାବେ ସଂଜୟ ଲୀଲା ଭଂସାଲୀ ପରିଚିତ । ଚଳଚ୍ଚିତ୍ର ଦୁନିଆକୁ ତାଙ୍କର ଅବଦାନ ବିଚାର କରି ଭାରତ ସରକାର ତାଙ୍କୁ ୨୦୧୫ ମସିହାରେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନୀତ କରିଛନ୍ତି । ୧୯୬୩ ମସିହା ଆଜିର ଦିନରେ ସଂଜୟ ଲୀଲା ଭଂସାଲୀ ମହାରାଷ୍ଟ୍ରର ମୁମ୍ବାଇରେ ଜନ୍ମ ଲାଭ କରିଥିଲେ ।
ପଣ୍ଡିତ ଭୀମସେନ ଗୁରୁରାଜ ଜୋଷୀ: ୨୦୧୧ ମସିହା ଆଜିର ଦିନରେ ଭାରତୀୟ ଶାସ୍ତ୍ରୀୟ ସଂଗୀତ ଦୁନିଆର କିମ୍ବଦନ୍ତୀ ଗାୟକ ପଣ୍ଡିତ ଭୀମସେନ ଗୁରୁରାଜ ଯୋଷୀଙ୍କର ବିୟୋଗ ଘଟିଥିଲା । ୧୯୬୪ରୁ ୧୯୮୨ ମସିହା ଭିତରେ ପଣ୍ଡିତ ଯୋଷୀ ଆଫଗାନିସ୍ତାନ, ଇଟାଲୀ, ଫ୍ରାନ୍ସ, କାନାଡ଼ା ଓ ଯୁକ୍ତରାଷ୍ଟ୍ର ଆମେରିକା ଯାଇ ସେଠାରେ ଭାରତୀୟ ଶାସ୍ତ୍ରୀୟ ସଂଗୀତକୁ ରୁଦ୍ଧିମନ୍ତ କରିଥିଲେ । ୨୦୦୯ ମସିହାରେ ଭାରତ ସରକାର ତାଙ୍କୁ ଭାରତ ରତ୍ନରେ ଭୂଷିତ କରିଥିଲେ । ୮୮ ବର୍ଷ ବୟସରେ ତାଙ୍କର ଦେହାନ୍ତ ଘଟିଥିଲା । ୧୯୨୨ ମସିହା ଫେବୃଆରୀ ୪ ତାରିଖରେ ପଣ୍ଡିତ ଯୋଷୀ ଜନ୍ମଲାଭ କରିଥିଲେ ।
ଶ୍ରୀଦେବୀ: ଭାରତୀୟ ସିନେମା ଜଗତର ସୁପରଷ୍ଟାର ଅଭିନେତ୍ରୀ ଭାବେ ପରିଚିତ ଶ୍ରୀଦେବୀ ୨୦୧୮ ମସିହା ଆଜିର ଦିନରେ ୟୁନାଇଟେଡ୍ ଆରବ ଏମିରେଟ୍ସ ଅନ୍ତର୍ଗତ ଦୁବାଇରେ ଆକସ୍ମିକ ଭାବେ ପରଲୋକ ଗମନ କରିଥିଲେ ।
୧୯୬୩ ମସିହା ଅଗଷ୍ଟ ୧୩ ତାରିଖରେ ଜନ୍ମିତ ଶ୍ରୀଦେବୀ ତେଲୁଗୁ, ତାମିଲ, ହିନ୍ଦି, ମାଲୟଲମ ଓ କନ୍ନଡ଼ ଭାଷାରେ ନିର୍ମିତ ଚଳଚ୍ଚିତ୍ରରେ ଅଭିନୟ କରି ଲୋକପ୍ରିୟତା ଅର୍ଜନ କରିଥିଲେ ।