ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନକୁ କେନ୍ଦ୍ର କରି ପ୍ରମୁଖ ରାଜନୈତିକ ଦଳ ଭିତରେ ଭିଡ଼ାଭିଡ଼ି ଆରମ୍ଭ ହୋଇଛି । ଓଡ଼ିଶାର ଚାରିଟି ଆସନରେ କେଉଁ ଦଳ କାହାକୁ ପ୍ରାର୍ଥୀ କରିବ? ତାକୁ ଆଧାର କରି ରାଜନୈତିକ ଦଳ ଅଫିସରୁ ଆରମ୍ଭ କରି ସୂଚନା ଭବନ ସାମ୍ନା ଚା’ ଖଟିରେ ଆଲୋଚନା ଚାଲିଛି । ଗଣମାଧ୍ୟମ ପ୍ରତିନିଧିମାନେ କିଛି ଠଉରାଇ ପାରୁନାହାନ୍ତି । ସକାଳେ ବିଜେପି ଅଫିସ ଧାଉଁଛନ୍ତି, ମଧ୍ୟାହ୍ନରେ ବିଜେଡି ଅଫିସକୁ ତ ଅପରାହ୍ଣରେ କଂଗ୍ରେସ ଅଫିସରେ ଡେରା ପକାଉଛନ୍ତି । ତୁଙ୍ଗ ନେତାଙ୍କୁ ଭେଟୁଛନ୍ତି । ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି, ପ୍ରତିଦିନ ନୂଆ ନୂଆ ସମୀକରଣ ଦେଖିବାକୁ ମିଳୁଛି ।
ଏଥିସହିତ ନେତାଙ୍କ ଭିନ୍ନ ଭିନ୍ନ ବୟାନବାଜି ମଧ୍ୟ ଶୁଣିବାକୁ ମିଳୁଛି । କିଛିଦିନ ଅସୁସ୍ଥତା ପରେ ସ୍ୱାଭାବିକ ହେଉଥିବା ବରିଷ୍ଠ କଂଗ୍ରେସ ନେତା ତାରାପ୍ରସାଦ ବାହିନୀପତି ରାଜ୍ୟସଭା ନିର୍ବାଚନ ନେଇ ରୋଚକ ମନ୍ତବ୍ୟ ଦେଇଛନ୍ତି । ତାରା କହିଛନ୍ତି, ବିଜେଡି ଏବଂ ବିଜେପି ବିଧାୟକ ଆମ ସମ୍ପର୍କରେ ଅଛନ୍ତି । କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମଙ୍କ ଚାମ୍ୱରରେ ପିସିସି ସଭାପତି ଭକ୍ତଚରଣ ଦାସ ରୁଦ୍ଧଦ୍ୱାର ବୈଠକ କରିଛନ୍ତି । କଂଗ୍ରେସର ବିଧାୟକମାନେ କବାଟକିଳା ବୈଠକରେ ଶପଥ ନେଇଛନ୍ତି । ସେମାନେ କେବଳ କଂଗ୍ରେସ ପ୍ରାର୍ଥୀଙ୍କୁ ହିଁ ଭୋଟ ଦେବେ । ପିସିସି ସଭାପତି ନିଷ୍ପତି ନେଇଛନ୍ତି, କଂଗ୍ରେସରୁ ପ୍ରାର୍ଥୀ ଦିଆଯିବ । ବିଜେପି ଯାହା ଭାବୁଛି, ବିଜେଡି ସହ ମିଶି ପ୍ରାର୍ଥୀ ଦେବେ, ତାଙ୍କର ଏହି ଗଣିତ ସଫଳ ହେବ ନାହିଁ । କଂଗ୍ରେସ ଯେଉଁ ପ୍ରାର୍ଥୀ ଦେବ, ତାକୁ ବିଜେଡିର କିଛି ବିଧାୟକ ସମର୍ଥନ ଦେବେ । ଏ ନେଇ ବିଚାର ବିମର୍ଶ ଚାଲିଛି । ରାହୁଲ ଗାନ୍ଧି ରାଜ୍ୟସଭା ପ୍ରାର୍ଥୀ ନେଇ ଆଲୋଚନା କରିବା ପାଇଁ ଡାକିବେ । ଭକ୍ତ ଦାସ ଶେଷ ନିଷ୍ପତି ନେବେ ବୋଲି ତାରା କହିଛନ୍ତି ।
ସେହିପରି ବିଜେଡି ବିଧାୟକ ଯୋଗେଶ ସିଂ କହିଛନ୍ତି, ବିଜେପି ଘୋଡା ବେପାରରେ ସଫଳ ହେବନି । ଆମେ ଘୋଡା ବେପାର କରୁ ନଥିଲୁ । ରାଜ୍ୟସଭା ପ୍ରାର୍ଥୀ କିଏ ହେବ ସେ ନିଷ୍ପତି ଆମ ସଭାପତି ନେବେ । ବିଜେପି ବହୁତ କଥା କହିବ । ସେମାନେ କୁହାଳିଆ ସରକାର । ଭାଷଣବାଜିରେ ଏକ ନମ୍ୱର । କାମ କରିବାରେ ଫେଲ୍ । ଏମାନେ ପୁଞ୍ଜିପତି ସରକାର । ଏ ସରକାର ପୁଞ୍ଜିପତିମାନଙ୍କ ହାତମୁଠାରେ ।
ସେମାନେ ସବୁ ସିଟ୍ ନେବାକୁ ଉଦ୍ୟମ କରିବେ । ଆମେ ମଧ୍ୟ କରୁଥିଲୁ । ଆମେ ସେଥିରେ ସଫଳ ମଧ୍ୟ ହେଉଥିଲୁ । କାହାର କ୍ଷତି କରୁ ନଥିଲୁ । ନିୟମ ଅନୁସାରେ କରୁଥିଲୁ । ଆମେ ଘୋଡା ବେପାର କରୁନଥିଲୁ । ଏମାନେ ଘୋଡା ବେପାର କଲେ ମଧ୍ୟ ସଫଳ ହେବେ ନାହିଁ ବୋଲି ଶ୍ରୀ ସିଂ କହିଛନ୍ତି । ଯୁବ ବିଜେଡି ରାଜ୍ୟ ସଭାପତି ଚିନ୍ମୟ ସାହୁ କହିଛନ୍ତି, ଆମର ଗୋଟିଏ ଇଞ୍ଜିନ୍, ଗୋଟିଏ ନେତା । ନବୀନ ସବୁବେଳେ ସରପ୍ରାଇଜ୍ ଦିଅନ୍ତି । ଏଥର ରାଜ୍ୟସଭା ଆସନକୁ ନେଇ ବି ମାଷ୍ଟର ଷ୍ଟ୍ରୋକ୍ ଖେଳିବେ ନବୀନ । ଆଉ ସେହି ମାଷ୍ଟର ଷ୍ଟ୍ରୋକ୍ ସବୁ ବିରୋଧୀଙ୍କୁ ଘାଇଲା କରିବ । ଅପରପକ୍ଷେ ବିଜେପି ବିଧାୟକ ସରୋଜ କୁମାର ପାଢ଼ୀ କହିଛନ୍ତି, ତାରା ବାହିନିପତି ବାହାର ଦୁନିଆ ବିଷୟରେ ଜାଣିନାହାନ୍ତି । ଆମ ବିଧାୟକମାନେ କଂଗ୍ରେସ ସହ ନୁହେଁ, କଂଗ୍ରେସ ବିଧାୟକମାନେ ଆମ ସଂସ୍ପର୍ଶରେ ଅଛନ୍ତି । ଚତୁର୍ଥ ପ୍ରାର୍ଥୀ ଦେଲେ, କଂଗ୍ରେସର କିଛି ବିଧାୟକ ଆମକୁ ସମର୍ଥନ ଦେବେ । ପିସିସି ସଭାପତି ଯେତେ କବାଟ କିଳି ନିଜ ବିଧାୟକଙ୍କୁ ଶପଥ କରାନ୍ତୁ, ଫଳ ଓଲଟା ହେବ । ଅନୁରୂପ ଭାବେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ଯେ ବିଜେପିର କୋର କମିଟି ବୈଠକରେ ରାଜ୍ୟସଭା ପ୍ରାର୍ଥୀ ନେଇ ଆଲୋଚନା କରିବ । ଯାହା ନିର୍ଣ୍ଣୟ କରାଯିବ, ସଂସଦୀୟ ବୋର୍ଡକୁ ପଠାଯିବ । ସଂସଦୀୟ ବୋର୍ଡ ଚୂଡାନ୍ତ ନିଷ୍ପତି ସର୍ବମାନ୍ୟ, ସାମଲ କହିଛନ୍ତି ।