ବିଜେଡି ଅଭିଯୋଗ: ପ୍ରତି ଘରେ ମଦ ପହଂଚାଇବ ବିଜେପି

ରାଜ୍ୟ ବିଜେପି ସରକାରଙ୍କର ଟେଟ୍ରା ପ୍ୟାକରେ ମଦ ….

ଭୁବନେଶ୍ୱର: ରାଜ୍ୟ ବିଜେପି ସରକାରଙ୍କର ଟେଟ୍ରା ପ୍ୟାକରେ ମଦ ବିକ୍ରି ନିଷ୍ପତିକୁ ବିଜୁ ଜନତା ଦଳ ଦୃଢ଼ ନିନ୍ଦା କରିଛି । ନିକଟରେ ଓଡିଶା ବିଧାନସଭାରେ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଘୋଷଣା କରିଥିଲେ, ମଦ କାଚ ବୋତଲ ବଦଳରେ ଟେଟ୍ରା ପ୍ୟାକରେ ବିକ୍ରି କରାଯିବ । ସୋମବାର ଶଙ୍ଖ ଭବନରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ବିରୋଧୀ ଦଳ ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ ଏବଂ ବିଜୁ ମହିଳା ଜନତା ଦଳର ବରିଷ୍ଠ ସାଧାରଣ ସମ୍ପାଦିକା ଶ୍ରୀମତୀ ସୁମିତ୍ରା ଜେନା ଏହି ନିଷ୍ପତିକୁ ଅନୈତିକ ଓ ଯୁବ ବିରୋଧୀ ବୋଲି କହିବା ସହିତ ଏହାକୁ ତୀବ୍ର ସମାଲୋଚନା କରିଛନ୍ତି । ଶ୍ରୀମତୀ ମଲ୍ଲିକ କହିଛନ୍ତି, ନିର୍ବାଚନ ସମୟରେ ବିଜେପି ଓଡିଶାକୁ ମଦମୁକ୍ତ କରିବାର ପ୍ରତିଶ୍ରୁତି ଦେଇଥିଲା ।

କିନ୍ତୁ ଏବେ ଟେଟ୍ରା ପ୍ୟାକ୍ ପ୍ୟାକେଜିଂ ପ୍ରଚଳନ କରି ଓଡିଶାକୁ ମଦଯୁକ୍ତ ରାଜ୍ୟରେ ପରିଣତ କରିବାକୁ ଯାଉଛନ୍ତି । ମଦ ବିରୋଧରେ ସ୍ଲୋଗାନ ଦେଇ କ୍ଷମତାକୁ ଯାଇଥିବା ବିଜେପି ସରକାର ଏବେ ମଦକୁ ଅଧିକ ପ୍ରୋସôାହନ ଦେଉଛନ୍ତି, ଯେଉଁଥିପାଇଁ ପ୍ରଥମ ଥର ପାଇଁ ମଦରୁ ରାଜସ୍ୱ ଆୟ ୧୦,୦୦୦ କୋଟି ଟଙ୍କା ଅତିକ୍ରମ କରିଛି । ପୂର୍ବ ସରକାରଙ୍କ ଦ୍ୱାରା ବନ୍ଦ ହୋଇଥିବା ୭୦ଟି ମଦ ଦୋକାନ ଗୁଡିକୁ ପୁନର୍ବାର ଖୋଲିବା ପାଇଁ ସରକାର ନିଷ୍ପତି ନେଇଛନ୍ତି । ଏହା ଏକ ଲଜ୍ଜାଜନକ କଥା । ରାଜ୍ୟ ସରକାର ଲୋକଙ୍କ କଲ୍ୟାଣ ଅପେକ୍ଷା, ରାଜସ୍ୱ ଉପରେ ପ୍ରାଥମିକତା ଦେଉଛନ୍ତି । ମହୁଲିରୁ ମଦ, ମାଣ୍ଡିଆରୁ ମଦ ଓ ଗନ୍ଧହୀନ ମଦ, ନୂତନ ପ୍ରକାରର ମଦ ପ୍ରଚଳନ ପାଇଁ ସରକାର ଉଦ୍ୟମ କରୁଛନ୍ତି । ପୂର୍ବ ସରକାରଙ୍କ ଦ୍ୱାରା ପ୍ରଚଳିତ ଯୋଜନା ଗୁଡିକର ନାମ ଓ ରଙ୍ଗ ପରିବର୍ତନ କରିଛନ୍ତି । ରାଜ୍ୟ ବିଜେପି ସରକାରଙ୍କ ନିଜସ୍ୱ ଯୋଜନା ବୋଲି କିଛି ନାହିଁ । ସରକାରଙ୍କର ଏହି ନିଷ୍ପତି ଛାତ୍ର ଓ ଯୁବକ ଯୁବତୀମାନଙ୍କ ଉପରେ ନକାରାତ୍ମକ ପ୍ରଭାବ ପକାଇବ । ଏହି ନିଷ୍ପତିକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ସେ ଦୃଢ ଦାବି କରିଥିଲେ ।

ଶ୍ରୀମତୀ ସୁମିତ୍ରା ଜେନା କହିଥିଲେ ଯେ, ଟେଟ୍ରା ପ୍ୟାକ୍ରେ ମଦ ବିକ୍ରି ଛାତ୍ରମାନଙ୍କ ଉପରେ ନକାରାତ୍ମକ ପ୍ରଭାବ ପକାଇବ । କୌଣସି ଦାୟିତ୍ୱସମ୍ପନ୍ନ ସରକାର ଏହିଭଳି ନୀତିକୁ ପ୍ରୋସôାହନ ଦେବା ଅତ୍ୟନ୍ତ ନିନ୍ଦନୀୟ । ଏହା ଆଶ୍ଚର୍ଯ୍ୟଜନକ ଯେ, ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏଭଳି ଅନୈତିକ କାର୍ଯ୍ୟକୁ ପ୍ରୋସôାହନ ଦେଉଛନ୍ତି । ଗୁଟ୍ଖା ନିଷେଧ ଉପରେ ବିଜେପିର ୟୁ-ଟର୍ଣ୍ଣ ସେମାନଙ୍କର ଦୋମୁହାଁ ନୀତିକୁ ପ୍ରଦର୍ଶିତ କରୁଛି । ଟେଟ୍ରା ପ୍ୟାକରେ ମଦ ବିକ୍ରି ପାଇଁ ସରକାର ନେଇଥିବା ଏହି ନିଷ୍ପତିକୁ ତୁରନ୍ତ ପ୍ରତ୍ୟାହାର ପାଇଁ ବିଜେଡି ଦାବି କରୁଛି । ଏହି ନିଷ୍ପତି ପ୍ରତ୍ୟାହାର ନ ହେଲେ ବିଜେଡି ରାଜରାସ୍ତାକୁ ଓହ୍ଲାଇବ ।

ବିଜେଡିର ମଦବିରୋଧୀ ଆନେ୍ଦାଳନକୁ ବୁଦ୍ଧିଜୀବୀ ମହଲ ନାପସନ୍ଦ କରିଛନ୍ତି । ନବୀନ ଅବା ମୋହନ, କେହି ରାଜ୍ୟବାସୀଙ୍କ ମଙ୍ଗଳ ଚାହାନ୍ତିନି । ସମସ୍ତେ ରାଜ୍ୟବାସୀଙ୍କ ବଦଳରେ ଦଳକୁ ପ୍ରାଥମିକତା ଦେଉଛନ୍ତି । ଯିଏ କ୍ଷମତାକୁ ଗଲା ଲୋକଙ୍କ ଜୀବନ ସହ ଖେଳିଲା ଅଭିଯୋଗ କରିଛନ୍ତି ।