ପାରାଦୀପ: ପାରାଦୀପ ତାରିଣୀଗଡା ଅଂଚଳର ବହୁଚର୍ଚ୍ଚିତ ମହିଳା ମୃତ୍ୟୁ ଘଟଣାରେ ପୁଲିସକୁ ଅନେକ ସୂଚନା ମିଳିଛି । ମୃତ ମହିଳାଙ୍କ ପରିଚୟ ମିଳିବା ସହ ଦୁଷ୍କର୍ମ ପରେ ତାଙ୍କୁ ଛାତରୁ ଠେଲି ହତ୍ୟା କରାଯାଇଛି ବୋଲି ଜଣାପଡିଛି । ଘଟଣା ସମ୍ପର୍କରେ ପାରାଦୀପ ଆଦର୍ଶଥାନା ଅଧିକାରୀ କାବୁଲି ବାରିକ କହିଛନ୍ତି, ମୃତ ଯୁବତୀଙ୍କ ଘର ତିର୍ତୋଲ ଥାନା ଅଂଚଳରେ । ତାଙ୍କୁ ଝାଡ଼ଖଣ୍ଡର ଯୁବକ ଲିଫ୍ଟ ଦେବା ଆଳରେ ପାରାଦୀପ ଆଣିଥିଲେ ।
ତାରିଣୀଗଡା ସ୍ଥିତ ଭଡାଘରକୁ ନେଇ ବଳାତ୍କାର କରିବା ପରେ ଛାତରୁ ଠେଲି ହତ୍ୟା କରିଛନ୍ତି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଏହି ଘଟଣାରେ ମୃତ ଯୁବତୀଙ୍କ ପରିବାର ପକ୍ଷରୁ ପାରାଦୀପ ଆଦର୍ଶ ଥାନାରେ ଅଭିଯୋଗ କରିବା ପରେ ୫୪/୨୬ରେ ମାମଲା ରୁଜୁ କରିଛି । ମୃତଦେହ ଚିହ୍ନଟ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଏଥିରେ ସଂପୃକ୍ତ ଅନ୍ୟ ଯୁବକଙ୍କ ବିଷୟରେ ଅଧିକ ତଦନ୍ତ ଆରମ୍ଭ କରିଛି । ସୂଚନାଯୋଗ୍ୟ, ତାରିଣୀଗଡା ସ୍ଥିତ ବ୍ୟାଙ୍କ ପାଖ କଲୋନୀରେ ଶମ୍ଭୁ ଖୁଂଟିଆଙ୍କ ୪ ମହଲା କୋଠା ତଳେ ସୋମବାର ସକାଳୁ ସଂପୃକ୍ତ ଯୁବତୀଙ୍କ ଉଲଗ୍ନ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା ।
ପରେ ପୁଲିସ ପହଂଚି ତଦନ୍ତ କରିବାରେ ଜଣାପଡିଥିଲା ଛାତରୁ ଖସି ଯୁବତୀଙ୍କ ମୃତ୍ୟୁ ଘଟିଛି । ଉକ୍ତ ଘରର ଉପର ମହଲାରେ ରହୁଥିବା ୭ ଜଣ ଯୁବକଙ୍କୁ ଅଟକ ରଖି ପଚରାଉଚରା କରିଥିଲା । ପୁଲିସକୁ ଯୁବତୀଙ୍କ ପରିଚୟ ମଙ୍ଗଳବାର ସନ୍ଧ୍ୟା ପର୍ଯ୍ୟନ୍ତ ମିଳୁ ନ ଥିଲା । ସନ୍ଧ୍ୟାରେ ପୁଲିସ ଟିମ ଘରର ଟିକନିଖି ଯାଂଚ କରିବା ବେଳେ ଝାଡ଼ଖଣ୍ଡ ଯୁବକଙ୍କ ବେଡ ତଳୁ ଯୁବତୀଙ୍କ ଅନ୍ତଃବସ୍ତ୍ର, ପୋଷାକ, ଚପଲ ଆଦି ମିଳିଥିଲା । ସେହି ଘରର ରୋଷେଇ ଘର ତାଜା ଉପରୁ ଯୁବତୀଙ୍କ ମୋବାଇଲ ଉଦ୍ଧାର କରାଯାଇଥିଲା । ସୁଇଚ ବନ୍ଦ ଥିବା ମୋବାଇଲ ଖୋଲିବା ପରେ ଯୁବତୀଙ୍କ ପରିଚୟ ମିଳିଥିଲା ।
ଉକ୍ତ ଘରେ ଏକ ଠିକା ସଂସ୍ଥାର ୭ ଜଣ ଯୁବକ ରହୁଥିଲେ । ସେଥିରେ ଝାଡ଼ଖଣ୍ଡର ଯୁବକ ରବିବାର ଅନୁଗୁଳ ଯାଇଥିଲେ । ସେଠାରେ ତାଙ୍କର ସମ୍ପର୍କୀୟଙ୍କ ବାଇକ ଥିଲା । ସେହି ବାଇକ ଯୋଗେ ପାରାଦୀପ ଫେରୁଥିଲେ । ରବିବାର ସନ୍ଧ୍ୟାରେ ତିର୍ତୋଲ ଥାନା ଅନ୍ତର୍ଗତ ଜୟପୁର ଛକରୁ ଯୁବତୀ ଜଣଙ୍କ ଲିଫ୍ଟ ମାଗିଥିଲେ । ତାଙ୍କୁ ବାଇକରେ ଆଣି ରାତି ୧୦ଟା ବେଳେ ସେହି ଭଡାଘରକୁ ନେଇଥିଲେ । ସକାଳ ୪ .୧୫ରେ ଯୁବତୀ ତଳକୁ ଖସି ପଡିବାର ଦୃଶ୍ୟ ପଡୋଶୀ ଘର ସିସିଟିଭି ଫୁଟେଜରୁ ଜଣାପଡିଥିଲା । ସଂପୃକ୍ତ ଯୁବତୀ ଯୁକ୍ତ ୩ ପାସ କରିବା ପରେ କମ୍ପ୍ୟୁଟର ଶିକ୍ଷା ନେଉଥିଲେ । ତାଙ୍କର ଢିଙ୍କିଆ ଅଂଚଳର ଜଣେ ପୁରୁଷ ବନ୍ଧୁ ସହିତ ସେହି ରବିବାର ଶାରଳା ମନ୍ଦିର ଯାଇଥିଲେ । ସେଠାରେ ପ୍ରେମୀ ଯୁଗଳଙ୍କ ମଧ୍ୟରେ କୌଣସି କାରଣରୁ ମନାନ୍ତର ହୋଇଥିଲା । ପୁରୁଷ ବନ୍ଧୁ ତାଙ୍କୁ ଜୟପୁର ଛକରେ ଛାଡି ଘରକୁ ପଳାଇଥିଲେ । ସେଠାରେ ଅଟକି ଥିବା ବେଳେ ଅଭିଯୁକ୍ତ ଝାଡ଼ଖଣ୍ଡ ଯୁବକ ବାଇକରେ ଲିଫ୍ଟ ଦେଇ ପାରାଦୀପ ଆଣିଥିଲେ । ଯୁବତୀଙ୍କୁ ଦୁଷ୍କର୍ମ ଘଟଣାରେ ଜଣେ କିମ୍ବା ଏକାଧିକ ଲୋକ ସଂପୃକ୍ତ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି । ଏବେ ବି ଅନେକ ଦିଗ ଉପରେ ତଦନ୍ତ ଜାରି ରହିଛି ବୋଲି ଥାନାଧିକାରୀ ବାରିକ କହିଛନ୍ତି ।