ଜାତୀୟ ବିଜ୍ଞାନ ଦିବସ

୧୯୨୮ ମସିହା ଫେବୃଆରୀ ୨୮ ତାରିଖରେ …

୧୯୨୮ ମସିହା ଫେବୃଆରୀ ୨୮ ତାରିଖରେ ଭାରତୀୟ ଗବେଷକ ସିଭି ରମଣ ଆଲୋକର ଗତି ସଂପର୍କୀତ ଏକ ଉଲ୍ଲେଖଯୋଗ୍ୟ ତଥ୍ୟ ପ୍ରଦାନ କଲେ ଯାହା ରମଣ ରଶ୍ମି ଭାବେ ପରିଚିତ। ବିଶ୍ୱ ବିଜ୍ଞାନ ଜଗତକୁ ଭାରତୀୟ ବୈଜ୍ଞାନିକ ରମଣଙ୍କ ମହନୀୟ ଅବଦାନକୁ ସ୍ମରଣୀୟ କରିବା ପାଇଁ ପ୍ରତିବର୍ଷ ଆଜିର ଦିନଟିକୁ ଜାତୀୟ ବିଜ୍ଞାନ ଦିବସ ରୂପେ ପାଳନ କରାଯାଉଛି।

ଆଜି ହେଉଛି ଭାରତର ପ୍ରଥମ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦଙ୍କ ଶ୍ରାଦ୍ଧ ଦିବସ। ୧୮୮୪ ଡିସେମ୍ବର ୩ ତାରିଖରେ ବିହାର ଅନ୍ତର୍ଗତ ସିୱାନ ଜିଲ୍ଲାର ଜିରାଦେଇ ଅଂଚଳରେ ଜନ୍ମିତ ରାଜେନ୍ଦ୍ର ପ୍ରସାଦ ଏକାଧାରରେ ଜଣେ ସ୍ୱାଧୀନତା ସଂଗ୍ରାମୀ, ଆଇନଜୀବୀ ଥିଲେ। ରାଜେନ୍ଦ୍ରଙ୍କୁ ୫ ବର୍ଷ ହୋଇଥିଲା ବେଳେ ତାଙ୍କ ମା’ ବାପା ତାଙ୍କୁ ଜଣେ ମୌଲଭୀଙ୍କ ନିକଟକୁ ପଠାଇଥିଲେ। ବାଳକ ରାଜେନ୍ଦ୍ର ମୌଲବୀଙ୍କ ନିକଟରୁ ପାର୍ସି ଓ ହିନ୍ଦି ଭାଷା ଶିଖିଲେ। ପାଟି ଗଣିତରେ ମାହିର ହୋଇଗଲେ। ଭାରତର ସ୍ୱାଧୀନତା ସଂଗ୍ରାମକୁ ବିହାରରେ ବ୍ୟାପକ କରିଥିଲେ ରାଜେନ୍ଦ୍ର ପ୍ରସାଦ। ୧୯୩୧ ଲବଣ ସତ୍ୟାଗ୍ରହରେ ଯୋଗଦାନ କରି ସେ ମହାତ୍ମା ଗାନ୍ଧୀଙ୍କ ସହିତ କାରାବରଣ କରିଥିଲେ। ୧୯୬୩ ମସିହା ଫେବୃଆରୀ ୨୮ ତାରିଖ ଦିନ ପାଟନାରେ ତାଙ୍କର ଦେହାନ୍ତ ହୋଇଥିଲା।

୧୯୩୬ ମସିହା ଆଜିର ଦିନରେ କମଳା ନେହୁରୁ ପରଲୋକ ଗମନ କରିଥିଲେ। କମଳା ହେଉଛନ୍ତି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହୁରୁଙ୍କର ପତ୍ନୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କର ମା’। କଶ୍ମିରୀ ପରିବାରରେ ଜନ୍ମିତ କମଳା ମାତ୍ର ୧୬ ବର୍ଷ ବୟସରେ ଜବାହରଲାଲଙ୍କୁ ବିବାହ କରିଥିଲେ। ରାଜଯକ୍ଷ୍ମାରେ ପୀଡ଼ିତ ହୋଇ କମଳା ସ୍ୱିଜରଲାଣ୍ଡରେ ପ୍ରାଣତ୍ୟାଗ କରିଥିଲେ।

୧୮୮୪ ଆଜିର ଦିନରେ ଓଡ଼ିଶାର ବରପୁତ୍ର ସୁରେନ୍ଦ୍ର ସାଏ ଅସିରଗଡ଼ ଜେଲରେ ଦେହତ୍ୟାଗ କରିଥିଲେ। ମାତୃଭୂମିକୁ ବିଦେଶୀ ସରକାରଙ୍କ ହାତରୁ ମୁକ୍ତ କରିବା ପାଇଁ ସେ ମୃତ୍ୟୁ ପର୍ଯ୍ୟନ୍ତ ଲଢେ଼ଇ ଜାରି ରଖିଥିଲେ। ବ୍ରିଟିଶ ସରକାରଙ୍କ ଅନ୍ୟାୟର ଶିକାର ହୋଇ ସୁରେନ୍ଦ୍ର ସାଏ ସମ୍ବଲପୁର ରାଜା ହୋଇପାରିଲେନି। ୧୮୦୯ ଜାନୁଆରୀ ୨୩ ତାରିଖରେ ଜନ୍ମିତ ସୁରେନ୍ଦ୍ର ସାଏ ଆଦିବାସୀ ଲୋକଙ୍କ ଭାଷା ଓ ସଂସ୍କୃତିକୁ ବଂଚାଇ ରଖିବା ପାଇଁ ବହୁ ଉଦ୍ୟମ କରିଥିଲେ। ଭାରତର ସ୍ୱାଧୀନତା ସଂଗ୍ରାମରେ ସୁରେନ୍ଦ୍ର ସାଏଙ୍କ ବଳିଦାନକୁ ସ୍ମରଣୀୟ କରିବା ପାଇଁ ୨୦୦୯ରେ ଓଡ଼ିଶା ସରକାର ରାଜ୍ୟର ବହୁ ପୁରାତନ ବୁର୍ଲା ଇଂଜିନିୟରିଂ କଲେଜଟିକୁ ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ କରିଥିଲେ