ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ଗରିଆବନ୍ଦ ଜିଲ୍ଲାର ମେନପୁର ଥାନା ଅଂଚଳର ବଡେଗୋବରା ନିକଟସ୍ଥ ସାଂପସାରୀ ଜଂଗଲରେ ମାଓବାଦୀ ଡମ୍ପ କରି ରଖିଥିବା ନଗଦ ଟଂକା, ବନ୍ଧୁକ, ବିସ୍ଫୋରକକୁ ପୁଲିସ ଜବତ କରିଛି। ଜଂଗଲରେ ମାଓବାଦୀ ଡମ୍ପ କରି ବହୁ ହତିଆର ଏବଂ ନଗଦ ଟଂକା ଲୁଚାଇ ରଖିଥିବା ସଂପର୍କରେ ଆତ୍ମସମର୍ପଣ କରିଥିବା ନକ୍ସଲ ପୁଲିସକୁ ସୂଚନା ଦେଇଥିଲେ। ଯବାନ ସେହି ଅଂଚଳରେ ଖୋଜାଖୋଜି ଆରମ୍ଭ କରିଥିଲେ। ଯବାନଙ୍କ ହାତରେ ପଡ଼ିଥିଲା ବନ୍ଧୁକ, ୩୩ଟି ଜୀବନ୍ତ ଗୁଳି, ସ୍ପାଇକ୍ରୋଡ, ୩୨ଟି ବିଜିଏଲ ରୋଲ, ଲ୍ୟାପ୍ଟପ୍, ୨ଟି ମୋବାଇଲ, ୧୧ ଏସ୍ଏଲ୍ଆର୍ ରାଉଣ୍ଡ, ୪୧ ୩୦୩ ରାଉଣ୍ଡ,୨୬ଟି ବାରା ବୋର ଜୀବନ୍ତ ଗୁଳି। ସେହି ଡମ୍ପରୁ ନଗଦ ୪୬ ଲକ୍ଷ ୩୧ ହଜାର ୫୦୦ ଟଂକା ଜବତ କରିଥିଲେ।
ଗତ ଦୁଇବର୍ଷ ହେଲା ଗରିଆବନ୍ଦ ଏବଂ ଧନତରୀ ଅଂଚଳରେ ନକ୍ସଲ ଗତିବିଧି ବଢିଥିଲା। ତେଣୁ ଏହି ଅଂଚଳରେ ଲଗାତାର ଅପରେସନ କରାଯାଉଥିଲା। ଯାହା ଫଳରେ ବହୁ ନକ୍ସଲ ଆତ୍ମସମର୍ପଣ କରିଥିଲେ। ତେବେ ଏହି ଅଂଚଳରେ ଏବେ ସୁଦ୍ଧା ୧ କୋଟି ୮ ଲକ୍ଷ ଟଂକା ଜବତ କରାଯାଇଥିବା ସୂଚନା ମିଳିଛି।