ରହିଗଲେ ୧୦ ଲକ୍ଷ ହିତାଧିକାରୀ

ଇ-କେୱାଇସି ସଂଯୋଗ ଅବଧି ଶେଷ

ରାସନ୍‌ କାର୍ଡ ସହ ଇ-କେୱାଇସି ସଂଯୋଗ …..

କଟକ: ରାସନ୍‌ କାର୍ଡ ସହ ଇ-କେୱାଇସି ସଂଯୋଗ ଅବଧି ଫେବ୍ରୁଆରୀ ୨୮ ତାରିଖ ଶେଷ ଦିନ ଥିଲା । ଏହି ଅବଧି ବୃଦ୍ଧି ନହେବା ଫଳରେ ଇ-କେୱାଇସି ସଂଯୋଗରୁ ଆହୁରି ୧୦ ଲକ୍ଷ ୬୫ ହଜାର ୩୨୩ ଜଣ ହିତାଧିକାରୀ ବାଦ୍‌ ପଡିଯାଇଛନ୍ତି। ରାଜ୍ୟ ସରକାର ଅବଧି ବୃଦ୍ଧି ନ କଲେ ଏହି ହିତାଧିକାରୀଙ୍କ ଭାଗ୍ୟ କ’ଣ ହେବ ତାହାକୁ ନେଇ ବଡ ପ୍ରଶ୍ନ ଉଠିଛି। ପ୍ରାୟ ଦେଢ଼ ବର୍ଷ ତଳେ ରାଜ୍ୟ ସରକାର ପ୍ରତ୍ୟେକ ରାସନ୍‌ କାର୍ଡ ସହ ଇ-କେୱାଇସି ସଂଯୋଗ ପାଇଁ ନିଷ୍ପତି ନେଇଥିଲେ। ରାଜ୍ୟରେ ପ୍ରାୟ ୩ କୋଟି ୨୮ ଲକ୍ଷ ହିତାଧିକାରୀଙ୍କ ପାଇଁ ଇ-କେୱାଇସି ସଂଯୋଗ ବାଧ୍ୟତାମୂଳକ କରାଯାଇଥିଲା। ପ୍ରଥମେ ଅଳ୍ପ କିଛି ମାସ ସମୟ ଦିଆଯାଇଥିଲା। କିନ୍ତୁ ଏହି ସମୟ ମଧ୍ୟରେ ୨୦ରୁ ୩୦% ଇ-କେୱାଇସି ମଧ୍ୟ ସଂଯୋଗ ସମ୍ଭବ ହେଲାନି। ଫଳରେ ସରକାରଙ୍କୁ ବାରମ୍ବାର ସମୟ ଗଡାଇବାକୁ ପଡିଲା। ଏବେ ଇ-କେୱାଇସି ସଂଯୋଗ ଆରମ୍ଭର ଦେଢ଼ବର୍ଷ ପରେ ମଧ୍ୟ ଏହି କାର୍ଯ୍ୟ ଶେଷ ହୋଇପାରି ନାହିଁ। ଏବେ ବି ପ୍ରତିଦିନ ରାଜ୍ୟରେ ପ୍ରାୟ ୫ ହଜାର ହିତାଧିକାରୀଙ୍କ ଇ-କେୱାଇସି ସଂଯୋଗ କରାଯାଉଛି।

ରାଜ୍ୟ ସରକାର ପ୍ରାୟ ଦୁଇମାସ ତଳେ ଇ-କେୱାଇସି ଅବଧି ଶେଷ ହୋଇଯିବା ପରେ ଚଳିତ ମାସ ଶେଷ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ। ଏବେ ଏହି ଇ-କେୱାଇସି ସଂଯୋଗରୁ ବାଦ୍‌ ପଡିଯାଉଥିବା ହିତାଧିକାରୀଙ୍କ ସମସ୍ୟା ସଂକ୍ରାନ୍ତରେ ଓଡିଶା ଫେୟାର ପ୍ରାଇସ୍‌ ସପ୍‌ ଡିଲର୍ସ ଆସୋସିଏସନ୍‌ର ସାଧାରଣ ସମ୍ପାଦକ ଏକାମ୍ର ହୁସେନ୍‌ କହିଛନ୍ତି ଯେ, କ’ଣ ପାଇଁ ଏତେ ସଂଖ୍ୟକ ହିତାଧିକାରୀ ଇ-କେୱାଇସି ସଂଯୋଗ କରିପାରିଲେ ନାହିଁ ସେ ନେଇ ରାଜ୍ୟ ସରକାର ଚିନ୍ତା କରିବା ଆବଶ୍ୟକ। ଅନେକ ଜିଲ୍ଲାରେ ଇଂଟରନେଟ୍‌ ସମସ୍ୟା ଯୋଗୁଁ ହିତାଧିକାରୀଙ୍କ ଇ-କେୱାଇସି ସଂଯୋଗ ହୋଇପାରୁ ନାହିଁ। ଦ୍ୱିତୀୟରେ ଆଧାର କାର୍ଡ ଅପ୍‌ଡେଟ୍‌ ଆଉ ଏକ ବଡ ସମସ୍ୟା। ତେଣୁ ହିତାଧିକାରୀଙ୍କ ପାଇଁ ରାଜ୍ୟ ସରକାର ବିକଳ୍ପ ବ୍ୟବସ୍ଥା କରିବା ଆବଶ୍ୟକ। ଇ-କେୱାଇସି ସଂଯୋଗ ଚାଲୁଥିଲା ବେଳେ ପିଓଏସ୍‌ ମେସିନ୍‌ରେ ଅନେକ ହିତାଧିକାରୀଙ୍କ ଟିପ ଚିହ୍ନ ନେଉ ନଥିବା ଅଭିଯୋଗ ହେଉଛି।

ଏପରିକି ଆଖି ଡୋଳା ମେଳ ଖାଉନାହିଁ। ବୟସାଧିକ କାରଣ, ଶଯ୍ୟାଶାୟୀ ବୃଦ୍ଧ/ବୃଦ୍ଧା, ଦିବ୍ୟାଙ୍ଗ ତଥା ଅସୁସ୍ଥତା ଏବଂ ୧୦ ବର୍ଷରୁ କମ୍‌ ପିଲାଙ୍କର ଇ-ୱାଇସି ସଂଯୋଗ ହୋଇପାରୁ ନାହିଁ।ଏମାନଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା ନ କରି ଯଦି ସିଧାସଳଖ ଚାଉଳ ବନ୍ଦ କରି ଦିଆଯାଏ ତେବେ ଏମାନେ କ’ଣ କରିବେ, ସେ ପ୍ରଶ୍ନ କରିଛନ୍ତି।