ଯାଜପୁର/ଚଢେ଼ଇଧରା: ଜେନାପୁର ଥାନା ଡଙ୍କାରୀ ଛକରେ ଥିବା ମଦଦୋକାନ (ନାୟକ ବାର୍)କୁ ଗତକାଲି ରାତିରେ କିଛି ଦୁର୍ବୃତ ପଶି ଲୁଟ୍ପାଟ କରିବା ସହ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ଏଥିସହ ଉକ୍ତ ବାର୍ ପରିସରରେ ଥିବା ୫ଟି ଚାରିଚକିଆ ଗାଡିକୁ ମଧ୍ୟ ସେମାନେ ଜାଳି ଦେଇଛନ୍ତି। ଆଜି ଏ ନେଇ ବାର୍ ମାଲିକଙ୍କ ମା’ ସରଜବାଳା ନାୟକ(୭୨) ଥାନାରେ ଏତଲା ଦେବା ସହ ଘଟଣାକୁ କେନ୍ଦ୍ର କରି କିଛି ସମୟ ପାଇଁ ସେଠାରେ ରାସ୍ତାରୋକ ଓ ଉତେଜନା ଦେଖାଦେଇଥିଲା। ପୁଲିସ ଏହି ଘଟଣାକୁ କେନ୍ଦ୍ର କରି ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିବା ସୂଚନା ମିଳିଛି। ଅଭିଯୋଗ ଅନୁଯାୟୀ, ଶ୍ରୀମତୀ ନାୟକଙ୍କ ପୁଅ ସତ୍ୟବ୍ରତ ନାୟକ ଡଙ୍କାରୀଛକରେ ‘ନାୟକ ବାର’ ନାଁରେ ଏକ ମଦଦୋକାନ ଖୋଲିଛନ୍ତି।
ବ୍ୟକ୍ତିଗତ କାମରେ ଏବେ ସେ ବାହାରକୁ ଯାଇଥିବା ବେଳେ ଗତକାଲି ରାତି ସାଢେ଼ ୮ଟା ସମୟରେ ସ୍ଥାନୀୟ ଅଂଚଳର ୪/୫ ଜଣ ଯୁବକ ୨୦ରୁ ୩୦ ଯୁବକଙ୍କ ଧରି ସେଠାରେ ପହଂଚିଥିଲେ। ସେମାନଙ୍କ ହାତରେ ମାରଣାସ୍ତ୍ର ମଧ୍ୟ ଥିଲା। ମଦ ବାର୍ ନିକଟରେ ପହଂଚିବା ପରେ ସେମାନେ ବାର୍ ଉପରକୁ ଢେଲାପଥର ମାଡ କରିବା ସହ ଭଙ୍ଗାରୁଜା ଆରମ୍ଭ କରିଥିଲେ। ବାର୍ ଭିତରେ ଥିବା କର୍ମଚାରୀମାନେ ଭୟରେ ଦୌଡି ପଳାଇ ଯାଇଥିବା ବେଳେ ସମ୍ପୃକ୍ତ ଯୁବକମାନେ ବାର୍ ଭିତରେ ପଶି ଲୁଟ୍ପାଟ କରିବା ସହ ନିଆଁ ଲଗାଇ ଦେଇଥିଲେ।
ଏହାପରେ ସେଠାରେ ଥିବା ୫ଟି ଚାରିଚକିଆ ଗାଡିକୁ ମଧ୍ୟ ନିଆଁ ଲଗାଇ ସେଠାରେ ଜଗି ବସିଥିଲେ। ଏ ସମ୍ପର୍କରେ ଖବର ପାଇ ବାର ମାଲିକ ଶ୍ରୀ ନାୟକ ତାଙ୍କ ସମ୍ପର୍କୀୟଙ୍କୁ ସେଠାକୁ ପଠାଇଥିଲେ। କିଛି ସମୟ ପରେ ସେମାନେ ଘଟଣାସ୍ଥଳରେ ପହଂଚିଥିଲେ ମଧ୍ୟ ଦୁର୍ବୃତମାନେ ଜଗି ରହିଥିବା ଦେଖି ଭୟରେ ଫେରି ଆସିଥିଲେ। ଏ ସମ୍ପର୍କରେ ସେମାନେ ଜେନାପୁର ଥାନାକୁ ତୁରନ୍ତ ଖବର ଦେଇଥିଲେ। ଏହି ଘଟଣାକୁ ନେଇ ସେଠାରେ ରାସ୍ତାରୋକ ଓ ଉତେଜନା ଦେଖାଦେଇଥିଲା। ଜେନାପୁର ପୁଲିସ ଘଟଣାର ତଦନ୍ତ କରୁଥିବା କହି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ।