ଧାନ କିଣାରେ ସରକାରଙ୍କ ଉଦାସୀନତା ପ୍ରତିବାଦରେ ଦୀର୍ଘ ୬ ଘଣ୍ଟା ରାସ୍ତାରେ ଧାନ ରଖି ଚାଷୀଙ୍କ ଆନ୍ଦୋଳନ।

ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ସମସ୍ତ ଧାନ କିଣା ହେବାର ପ୍ରଶାସନ ଦ୍ୱାରା ଲିଖିତ ପ୍ରତିଶୃତି ପରେ ଧାରଣା ପ୍ରତ୍ୟାହୃତ।

ଜଳେଶ୍ବର,(ଅଦ୍ୱୈତ ଭାରତ): ଧାନ କ୍ରୟରେ ସରକାରଙ୍କ ବ୍ୟାପକ ଉଦାସୀନତା,ଅନିୟମିତତା ଏବଂ ମନ୍ଥର ଧାନ ଉଠାଣକୁ ନେଇ ଜଳେଶ୍ୱର ବ୍ଲକର ବର୍ତ୍ତନା ଓ ପାଇକସିଦା ସେବା ସମବାୟ ସମିତିର ପଞ୍ଜିକୃତ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସରକାରୀ ସ୍ତରରେ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟଧାର୍ଯ୍ୟ ରହିଥିଲେ ହେଁ, ବାସ୍ତବ କ୍ଷେତ୍ରରେ ଚାଷୀମାନେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ଏହାର ପ୍ରତିବାଦରେ ଜଳେଶ୍ବର -ପଶ୍ଚିମବାଡ ରାସ୍ତାର ସରସିଦା ଛକ ଠାରେ ଶତାଧିକ ଚାଷୀ ମାନେ ସକାଳ ୯ ଟାରୁ ଦିନ ୩ ଟା ପର୍ଯ୍ୟନ୍ତ ଦୀର୍ଘ ୬ ଘଣ୍ଟା ଧରି ଧାନ ବସ୍ତା ରଖି ରାସ୍ତା ରୋକ ସହିତ ଧାରଣାରେ ବସିଥିଲେ।

ବର୍ତ୍ତନା ସେବା ସମବାୟ ସମିତିର ସଭାପତି ଅସିତ କୁମାର ପାତ୍ରଙ୍କ ନେତୃତ୍ବରେ ପାଇକସିଦା ସେବା ସମବାୟ ସମିତିର ସଭାପତି, କଂଗ୍ରେସ ନେତା ସୁଦର୍ଶନ ଦାସ, ସିପିଏମ ନେତା ଦିଲ୍ଲୀପ କୁମାର ଗିରି, ବିଜେଡି ନେତା ମଧୁସୁଦନ ସେନାପତି, ପାଇକାସିଦା ପ୍ରାକ୍ତନ ସରପଞ୍ଚ ରମାନାଥ ଗିରି, ବର୍ତ୍ତନା ପ୍ରାକ୍ତନ ସରପଞ୍ଚ ପଦ୍ମଲୋଚନ ବେହେରା ଓ ଅନନ୍ତ କୁମାର ରାଉଳ, ପୁର୍ଣ୍ଣଚନ୍ଦ୍ର ପଣ୍ଡାଙ୍କ ସମର୍ଥନରେ ଚାଷୀ ବରେନ୍ଦ୍ର ପ୍ରଧାନ, ଅମରେନ୍ଦ୍ର ଦାସ ଅଧିକାରି, ଅଜୟ ପ୍ରଧାନ, ପ୍ରବୀର ଦେ, ଲକ୍ଷ୍ମୀଧର ପ୍ରଧାନ, ପଞ୍ଚାନନ ଚନ୍ଦ, ହରିହର ଦାସ, ପୁର୍ଣ୍ଣଚନ୍ଦ୍ର ଦାସ, ରମେଶ ଚନ୍ଦ୍ର ପଢିଆରି, ଶିବଶଙ୍କର ବାଗ, ଅଜୟ କୁମାର ସେନାପତି, ଅମୂଲ୍ୟ ସାହୁ, ରାଜୀବ ପାଳ, ନୀଳକଣ୍ଠ ଦାସ ମହାପାତ୍ର, ଚିନ୍ତାମଣି ବେହେରା, ବାବୁରାମ ଦାସ, ଗୋବିନ୍ଦ ପ୍ରମାଣିକ ପ୍ରମୁଖ ଶତାଧିକ ଚାଷୀ ମାନେ ଉପସ୍ଥିତ ରହି ଏହି ଧାରଣାରେ ବସିଥିଲେ।

ତେବେ ଦୀର୍ଘ ସମୟ ଧରି ଧାରଣାରେ ବସିବା ପରେ ତହସିଲଦାର ସତ୍ୟଜିତ ମହାନ୍ତି, ଏଡିସିନାଲ୍ ସିଏସଓ ଏଲିନା କୁଜୁର,ଏଡିଷ୍ଟେଣ୍ଡ ଏସସିଏସଓ ପୁରଞ୍ଜୟ ସାହୁ, ସଦର ଏମ୍ଆଇ ଶୁଶାନ୍ତ ସାହୁ, ଜଳେଶ୍ବର ଏମ୍ଆଇ ଅବନ୍ତିକା ସାହୁ,ଏସଡିପିଓ ସୁବ୍ରତ ବେହେରା, ଜଳେଶ୍ୱର ଭାରପ୍ରାପ୍ତ ଆଇଆଇସି ଅର୍ପିତା ଦାସ, ସବ୍ ଇନ୍ସପେକ୍ଟର ଚିରଞ୍ଜିବି ରାଉତ, ନାମ୍ପୋ ଫାଣ୍ଡି ଅଧିକାରୀ କରଣ ମାରାଣ୍ଡି, ଏଏସଆଇ ଦିଲ୍ଲୀପ ମୁଖି, ଚିନ୍ମୟ କୁମାର ପଲେଇ, ତହସିଲ ସୁପରଭାଇଜର ଶରତ କୁମାର ବେହେରା ପ୍ରମୁଖ ଉପସ୍ଥିତ ରହି ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଦୁଇଟି ସେବା ସମବାୟ ସମିତିର ସମସ୍ତ ଧାନ କିଣା ହେବାର ଲିଖିତ ପ୍ରତିଶୃତି ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।