ନିର୍ମାଣ ସାମଗ୍ରୀର ମୂଲ୍ୟ ନିର୍ଦ୍ଧାରଣ ସମୀକ୍ଷା

ଭିତିଭୂମି ନିର୍ମାଣ କ୍ଷେତ୍ରରେ ଗୁଣଯୁକ୍ତ ସାମଗ୍ରୀ ବ୍ୟବହାର ….

ଭୁବନେଶ୍ୱର: ଭିତିଭୂମି ନିର୍ମାଣ କ୍ଷେତ୍ରରେ ଗୁଣଯୁକ୍ତ ସାମଗ୍ରୀ ବ୍ୟବହାର ନିର୍ମାଣର ସ୍ଥାୟିତ୍ୱକୁ ବୃଦ୍ଧି କରିଥାଏ । ବିଭିନ୍ନ ନିର୍ମାଣ ସାମଗ୍ରୀର ସଠିକ୍ ମୂଲ୍ୟ ନିର୍ଦ୍ଧାରଣ କାର୍ଯ୍ୟର ସ୍ୱଚ୍ଛତା ଏବଂ କାର୍ଯ୍ୟ ପ୍ରକ୍ରିୟାକୁ ଅଧିକ ତ୍ୱରିତ ଗତିରେ ଆଗେଇ ନେବାରେ ସାହାଯ୍ୟ କରିଥାଏ । ଏହାକୁ ଦୃଷ୍ଟିରେ ରଖି ପୂର୍ତ, ଆଇନ ଓ ଅବକାରୀ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନିର୍ମାଣ ସାମଗ୍ରୀର ମୂଲ୍ୟ ନିର୍ଦ୍ଧାରଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଶୁକ୍ରବାର ପୂର୍ବାହ୍ନରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ କେନ୍ଦ୍ର ସରକାର, ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ଏବଂ ବିଭିନ୍ନ ରାଜ୍ୟରେ ଲାଗୁ ହୋଇଥିବା ନିର୍ମାଣ ସାମଗ୍ରୀର ମୂଲ୍ୟକୁ ତର୍ଜମା କରି ରାଜ୍ୟରେ କିଭଳି ନିର୍ମାଣ ସାମଗ୍ରୀର ସର୍ବଶ୍ରେଷ୍ଠ ମୂଲ୍ୟ ନିର୍ଦ୍ଧାରଣ କରି ହେବ ସେଥିନେଇ ଆଲୋଚନା ହୋଇଥିଲା ।ପରିବହନ ଖର୍ଚ୍ଚକୁ ହିସାବକୁ ନେଇ ବାଲି, ଗୋଡି, ଇଟାଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଇନ୍ଡୋର ଏବଂ ଆଉଟ୍ଡୋର ସାମଗ୍ରୀ, ବୈଦୁ୍ୟତିକ ସାମଗ୍ରୀ, ପ୍ରି-ଫେବ୍ରିକେଟେଡ୍ ସାମଗ୍ରୀ, କୋଠାବାଡିରେ ବ୍ୟବହୃତ ସାମଗ୍ରୀର ସଠିକ୍ ମୂଲ୍ୟ ନିର୍ଦ୍ଧାରଣ ନେଇ ଆଲୋଚନା ହୋଇଥିଲା ।

ଭିତିଭୂମି ନିର୍ମାଣ କ୍ଷେତ୍ରରେ ନିର୍ମାଣ ସାମଗ୍ରୀର ଗୁରୁତ୍ୱ ଓ ଆବଶ୍ୟକତାକୁ ଉପଲବ୍ଧି କରି ମୂଲ୍ୟ ନିର୍ଦ୍ଧାରଣ ପ୍ରକ୍ରିୟା ଶୀଘ୍ର ସମାପ୍ତି ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ବୈଠକରେ ଇଆଇସି-ତଥା-ସ୍ୱତନ୍ତ୍ର ଶାସନ ସଚିବ, ଇଆଇସି (ଡିଜାଇନ), ଇଆଇସି (ସିଭିଲ୍), ଇଆଇସି (ରୋଡ୍ସ) ଏବଂ ଅର୍ଥ ପରାମର୍ଶଦାତା ପ୍ରମୁଖ ଉପସ୍ଥିତ ଥିଲେ ।