ନୂଆଦିଲ୍ଲୀ: ତିନି ମାସ ପୂର୍ବରୁ ସିଭି ଆନନ୍ଦ ବୋଷ ପଶ୍ଚିମବଙ୍ଗ ଭୋଟର ହେବା ପାଇଁ ଆବେଦନ କରିଥିଲେ । ଏତେ ବଡ଼ ଭୁଲ କରିଦେଲେ ବୋଷ? ହଠାତ୍ ତାଙ୍କୁ ବଦଳାଇବା ଜରୁରୀ ହୋଇଗଲା । ତାଲିମନାଡୁ ରାଜ୍ୟପାଳ ଆର୍ଏନ୍ ରବିଙ୍କୁ ପଶ୍ଚିମବଙ୍ଗ ରାଜ୍ୟପାଳ ଭାବେ ନିଯୁକ୍ତି ଦେବାର କାରଣ? ରାଜନୀତି ବିଶାରଦଙ୍କ ମତରେ ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ଜାରି ହୋଇପାରେ । ଏପରି ହେଲେ ରାଜ୍ୟପାଳ ଆର୍ଏନ୍ ରବି ରାଜ୍ୟ ଶାସନକୁ ପରିଚାଳନା କରିବେ । ରବିଙ୍କର ନିକଟରେ ତାମିଲନାଡୁ ରାଜ୍ୟପାଳ ଅଭିଜ୍ଞତା ରହିଛି ତେଣୁ ରାଷ୍ଟ୍ରପତି ଶାସନ ଲାଗୁ ହେଲେ ରାଜ୍ୟ ଶାସନ ଠିକ୍ ବାଟରେ ଚାଲିବ ବୋଲି ଆଶା କରୁଛି କେନ୍ଦ୍ର ।
ଶୁକ୍ରବାର ଦିନ ଦାର୍ଜିଲିଂ ରାଜଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ରାଜ୍ୟପାଳ ସିଭି ଆନନ୍ଦ ବୋଷ ଏକ ପ୍ରଦର୍ଶନୀ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ଥିଲା । ସେହି କାର୍ଯ୍ୟକ୍ରମ ପାଇଁ କେନ୍ଦ୍ର ସୂଚନା ଏବଂ ସଂସ୍କୃତି ମନ୍ତ୍ରଣାଳୟର ନିମନ୍ତ୍ରଣ କାର୍ଡରେ ସିଭି ବୋଷଙ୍କ ଫଟୋ ମଧ୍ୟ ଝଲସୁଥିଲା । ହଠାତ୍ ତାଙ୍କୁ ଗଣ୍ଠିଲି ପତ୍ର ଧରି ଦିଲ୍ଲୀ ଦୌଡିବାକୁ ପଡିଲା । ଅପମାନିତ ବୋଧ କରି ବୋଷ ଇସ୍ତଫା ଦେଇଦେଲେ । ସିଭି ଆନନ୍ଦ ବୋଷଙ୍କୁ ତାଙ୍କ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ରାଜଭବନ ଛାଡିବାକୁ ପଡିବ । ଗତ ତିନି ବର୍ଷ ମଧ୍ୟରେ ଯିଏ ବାରମ୍ୱାର ବିଭିନ୍ନ ପ୍ରସଙ୍ଗରେ କହିବାର ଦେଖାଯାଇଛି, ସେ ଗୁରୁବାର ରାତିରୁ କୌଣସି ବୟାନ ଦେଇନାହାନ୍ତି । ସେ କେବଳ ପିଟିଆଇକୁ କହିଛନ୍ତି, ମୁଁ ରାଜଭବନରେ ଅନେକ ଦିନ ବିତାଇଲି । ଭୋଟର ହେବାକୁ ଅପେକ୍ଷା କରିଥିବା ବ୍ୟକ୍ତି, ଯିଏ ବଙ୍ଗଳାରେ ନିଜର କ୍ୟାରିଅର ଆରମ୍ଭ କରିଥିଲେ, ସେ କ’ଣ ଜାଣିଥିଲେ ଯେ ସେ ଏତେ ଶୀଘ୍ର ଯାଉଛନ୍ତି? ଏସ୍ଆଇଆର୍ ଚୂଡାନ୍ତ ତାଲିକା ପ୍ରକାଶିତ ହୋଇଛି । ୬୧ ଲକ୍ଷରୁ ଅଧିକ ନାମ ବାଦ୍ ପଡିଛି । ୬୦ ଲକ୍ଷ ଭୋଟରଙ୍କ ନାମ ସମାଧାନ ହୋଇନାହିଁ ।
ସେଗୁଡିକର ସମାଧାନ କରାଯାଇ ଏକ ପରିପୂରକ ତାଲିକା ପ୍ରକାଶ କରାଯିବା କଥା । ସମସ୍ତ କାର୍ଯ୍ୟ ସମାପ୍ତ କରିବା ପାଇଁ ଭିନ୍ନ ରାଜ୍ୟରୁ ଅତି କମ୍ରେ ୨୦୦ ବିଚାରପତିଙ୍କୁ ବଙ୍ଗଳା ଅଣାଯାଇପାରେ । ଅତିରିକ୍ତ ବିଚାରପତିଙ୍କୁ ଅଣାଗଲେ ମଧ୍ୟ, ସମୟ ସୀମା ମଧ୍ୟରେ ଏତେ ନାମ ସମାଧାନ କରିବା କଷ୍ଟକର ହେବ । ସୂତ୍ର ଅନୁସାରେ, ଏ ପର୍ଯ୍ୟନ୍ତ ୬ ଲକ୍ଷ ୧୫ ହଜାର ଯାଂଚ୍ କରାଯାଇନି । ଭୋଟ ପୂର୍ବରୁ ବାକି ୫୪ ଲକ୍ଷଙ୍କ ନାମ ସମାଧାନ କରିବା ସମ୍ଭବ କି ? ଯଦି ନୁହେଁ, ତେବେ କ’ଣ ହେବ ? ରାଜ୍ୟର ମନ୍ତ୍ରୀ ଏବଂ ବିଧାୟକଙ୍କ ନାମ ସେହି ତାଲିକାରେ ଅଛି । ଯଦି କୌଣସି ସମାଧାନ ନହୁଏ, ତେବେ ସେମାନଙ୍କୁ ଟିକଟ୍ ଦେବା ସମ୍ଭବ ହେବ ନାହିଁ ।
ବିଭିନ୍ନ ମହଲରୁ ଦାବି ହେଉଛି ଯେ, ସମସ୍ତ ତାଲିକା ପ୍ରକାଶିତ ହେବା ଉଚିତ୍ ଏବଂ ଭୋଟ୍ ହେବା ଉଚିତ୍ । ପଶ୍ଚିମବଙ୍ଗ ବିଧାନସଭାର କାର୍ଯ୍ୟକାଳ ୭ ମଇରେ ଶେଷ ହେବାକୁ ଯାଉଛି ଅର୍ଥାତ୍ ଭୋଟ୍ ଆରମ୍ଭ ହେବାର ଗୋଟିଏ ମାସ ପୂର୍ବରୁ କମିଶନଙ୍କୁ ଭୋଟ ଘୋଷଣା କରିବାକୁ ପଡିବ । ଯଦି ମେ ୭ ସୁଦ୍ଧା ଭୋଟ୍ ସମାପ୍ତ ନହୁଏ, ତେବେ ଏକ ସାମ୍ୱିଧାନିକ ସଙ୍କଟ ଉପୁଜିପାରେ । ସେ କ୍ଷେତ୍ରରେ, ବଙ୍ଗଳାରେ ରାଷ୍ଟ୍ରପତି ଶାସନ ଲାଗୁ କରିବା ବ୍ୟତୀତ ବିକଳ୍ପ ରହିବ ନାହିଁ । ଏ କ୍ଷେତ୍ରରେ କିଛି ବର୍ଷ ପୂର୍ବେ ଶୁଭେନ୍ଦୁ ଅଧିକାରୀ ଦେଇଥିବା ଏକ ମନ୍ତବ୍ୟ ଉଲ୍ଲେଖଯୋଗ୍ୟ । ଶ୍ରୀ ଅଧିକାରୀ କହିଥିଲେ, “ବଙ୍ଗଳାରେ ରାଷ୍ଟ୍ରପତି ଶାସନ ଲାଗୁ କରାଯିବା ଉଚିତ ଏବଂ ଭୋଟ୍ ହେବା ଉଚିତ । କେବଳ ନିର୍ବାଚନ କମିଶନଙ୍କ ପାଇଁ ବଙ୍ଗଳାରେ ଭୋଟ୍ ସମ୍ଭବ ନୁହେଁ । କେବଳ ରାଷ୍ଟ୍ରପତି ଶାସନ ଲାଗୁ ହେଲେ ସମସ୍ତେ ଭୋଟ୍ ଦେଇପାରିବେ ।’
ଶୁଭେନ୍ଦୁ ଏହି ମନ୍ତବ୍ୟ ଏସ୍ଆଇଆର୍ ଆରମ୍ଭ କରାଯିବାର ବହୁ ପୂର୍ବରୁ ଦେଇଥିଲେ । ଆର୍ ଏନ୍ ରବି ଜଣେ ପୂର୍ବତନ ଆଇପିଏସ୍ । ପ୍ରଶାସନିକ ଦକ୍ଷତା, ତୀକ୍ଷ୍ଣ ବୁଦ୍ଧି ତାଙ୍କ ନିକଟରେ ଖୁନ୍ଦା ହୋଇରହିଛି । ପଦାର୍ଥ ବିଜ୍ଞାନରେ ଏମ୍ଏସ୍ସି କରିବା ପରେ ଆରଏନ୍ ରବି ଏକ ସମୟରେ ସାମ୍ୱାଦିକତା କରିଥିଲେ । ପରେ ଆଇପିଏସ୍ ଅଧିକାରୀ ହୋଇଥିଲେ । ସେ ସିବିଆଇ ଏବଂ ଇଂଟେଲିଜେନ୍ସ ବୁ୍ୟରୋର ଜଣେ ଅଧିକାରୀ ଭାବେ କାମ କରିଛନ୍ତି ।
କଶ୍ମୀର, ଉତର- ପୂର୍ବରେ ଅନୁପ୍ରବେଶଠାରୁ ଆରମ୍ଭ କରି ମାଓପ୍ରବଣ ଅଂଚଳ ପର୍ଯ୍ୟନ୍ତ, ସବୁଥିରେ ତାଙ୍କର ଅଭିଜ୍ଞତା ରହିଛି । ସେ ଏକ ସମୟରେ ଅଜିତ ଡୋଭାଲଙ୍କ ଡେପୁଟି ଭାବେ କାମ କରିଥିଲେ । ତିନି ବର୍ଷ ଧରି ସେ ରାଜ୍ୟପାଳଙ୍କ କାର୍ଯ୍ୟାଳୟରେ ଷ୍ଟାଲିନ ସରକାରଙ୍କ ୧୨ଟି ବିଲ୍କୁ ଅଟକାଇ ଦେଇଥିଲେ । ଏହାକୁ ନେଇ ଷ୍ଟାଲିନ ସରକାରଙ୍କ ସହିତ ବିବାଦ ଚରମ ସୀମାରେ ପହଂଚିଥିଲା । ତାମିଲନାଡୁ ସରକାର ରାଜ୍ୟପାଳଙ୍କ ନିଷ୍କ୍ରିୟତା ଅଭିଯୋଗ କରି ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ସୁପ୍ରିମକୋର୍ଟ ବିଲ୍ ଅବରୋଧକୁ ଅବୈଧ ଏବଂ ସ୍ୱେଚ୍ଛାଚାରୀ କହିଥିଲେ । ରାଜ୍ୟର ଶାସକ ଦଳ ବିଜେପିର ଷଡ଼ଯନ୍ତ୍ର ଅନୁଭବ କରୁଛି । ପଶ୍ଚିମବଙ୍ଗରେ ବିଜେପିକୁ କ୍ଷମତାରେ ବସାଇବା ପାଇଁ ରବିଙ୍କୁ ଅଣାଯାଇଛି ବୋଲି ଟିଏମ୍ସି ଆଶଙ୍କା କରୁଛି ।