ଜଟଣୀ: ଓଡିଶା ପ୍ରସିଦ୍ଧ ଶ୍ରୀପଶ୍ଚିମାଶମ୍ଭୁ ସୋମନାଥ ଦେବଙ୍କ ପଂଚୁଦୋଳ ମେଳଣ ୮ ତାରିଖଠାରୁ ଆରମ୍ଭ ହୋଇଛି । ଜଟଣୀ ନିକଟ ପୁରୀ ଜିଲ୍ଲା ଅନ୍ତର୍ଗତ ହରିରାଜପୁର ଗ୍ରାମରେ ଅନୁଷ୍ଠିତ ଏହି ମେଳଣରେ ରାଜ୍ୟର ବିଭିନ୍ନ ଅଂଚଳରୁ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥାଏ । ୮ ତାରିଖ ରବିବାର ମଧ୍ୟରାତ୍ରରେ ଜମାଣ ଅନୁଷ୍ଠିତ ହେବ । ୧୨ ତାରିଖ ଗୁରୁବାର ଠାକୁର ମେଳଣ ଉସôବ ଅନୁଷ୍ଠିତ ହେବ । ଥାନପତି ଶ୍ରୀପଶ୍ଚିମାଶମ୍ଭୁ ସୋମନାଥ ଦେବଙ୍କ ଏହି ମେଳଣରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେଉଥିବା ଦୃଷ୍ଟିରୁ ପୁଲିସ ପ୍ରଶାସନ ଓ ମେଳଣ ପରିଚାଳନା କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି । ଫଗୁ ଖେଳି ଭକ୍ତଙ୍କ ଗହଣରେ ହଜିଯିବେ ପ୍ରଭୁ ଶ୍ରୀ ସୋମନାଥ ଦେବ ।
ପାତାଳଫୁଟା ଶିବଲିଙ୍ଗ: ଜଟଣୀ-ପିପିଲି ରାସ୍ତାର ଦକ୍ଷିଣ ପାଶ୍ୱର୍ରେ ପ୍ରାୟ ଏକ କିଲୋମିଟର ଦୂରରେ ଶ୍ରୀପଶ୍ଚିମାଶମ୍ଭୁ ସୋମନାଥ ଦେବଙ୍କ ମନ୍ଦିର ଓ ମେଳଣ ପଡିଆ ଅବସ୍ଥିତ । ଏହି ମହିମାମୟ ଶିବଲିଙ୍ଗ ପାତାଳଫୁଟା ହୋଇଥିବା ବେଳେ ପଶ୍ଚିମମୁଖା ହୋଇଥିବାରୁ ଏହି ଶୈବପୀଠର ମହିମା ଅନନ୍ୟ । ଏଠାରେ ହରିହର ଏକତ୍ର ପୂଜା ପାଉଥିବାରୁ ହରିହର ମନ୍ତ୍ରରେ ତୁଳସୀପତ୍ରରେ ନୈବେଦ୍ୟ କରାଯାଏ । ଠାକୁରଙ୍କ ମୁଖ୍ୟ ଉସôବ ପଂଚୁଦୋଳ ମେଳଣ । ଦୋଳପୂର୍ଣ୍ଣିମାର ପଂଚମ ଦିବସ ମଧ୍ୟରାତ୍ରିରେ ମହାସମାରୋହରେ ମେଳଣ ଅନୁଷ୍ଠିତ ହୋଇଥାଏ ।
ଥାନପତିଙ୍କର ବିରାଟ ପଟୁଆର: ଭଣ୍ଡାରଘରୁ କୋଠଭୋଗ ଆସିବା ପରେ ଥାନପତି ପଶ୍ଚିମାଶମ୍ଭୁ ସୋମନାଥ ଦେବ ଜମାଣ ରାତିରେ ମନ୍ଦିରରୁ ବାହାରିଥାନ୍ତି । ବାହାରିବା ପରେ ବାଟ ଅଗଣାରେ ରହିଥାନ୍ତି । ସେଠାରେ କୋଠଭୋଗ ଲାଗି କରାଯାଇଥାଏ । ପରେ ଠାକୁର ଦୋଳବିମାନକୁ ବିଜେ କରିବା ସହ ପଶ୍ଚିମଦ୍ୱାର ଦେଇ ବିରାଟ ପଟୁଆରରେ ମେଳଣ ପଡିଆକୁ ଯାତ୍ରା କରିଥାନ୍ତି । ପଟୁଆରରେ ବାହାରିବା ସମୟରେ ବାଟରେ ଥିବା ଶ୍ରୀଗୋପାଳଜୀ (ମଠ ଠାକୁର) ଓ ବାଳମୁକୁନ୍ଦଦେବ ପାଲିଙ୍କିରେ ଥାନପତିଙ୍କ ସହିତ ଏହି ପଟୁଆରରେ ଯାଇଥାନ୍ତି । ଏହି ଅବସରରେ ଆତସବାଜି ପ୍ରଦର୍ଶନ ସହ ରଙ୍ଗବେରଙ୍ଗ କଳରଙ୍ଗ, ବାଦ୍ୟ, ରୋଷଣୀ, ଘଂଟଘଂଟା, ଭେରିତୁରୀ, ଶଙ୍ଖନାଦ, ନାଗାନାଚ, ପଟ୍ଟାଖେଳ, ସଖି ଓ ରାଜାରାଣୀ ନାଚରେ ଚତୁର୍ଦ୍ଦିଗ ପ୍ରକମ୍ପିତ ହୋଇଥାଏ । ଏହାଦ୍ୱାରା ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥାଏ ।
ମେଳଣ ପଡିଆରେ ବିଭିନ୍ନ ଗ୍ରାମରୁ ନିମନ୍ତ୍ରିତ ହୋଇ ଅନୁ୍ୟନ ୮୦ଟି ହରିହର ବିଗ୍ରହ ଦୋଳ ବିମାନରେ ଉପବିଷ୍ଟ ହୋଇଥାନ୍ତି । ୫ ଦିନ ରହଣି ମଧ୍ୟରେ ଦୈନିକ ହଜାର ହଜାର ହଜାର ସଂଖ୍ୟାରେ ଭକ୍ତ ଆସି ଠାକୁରମାନଙ୍କୁ ଫଗୁ ସିଂଚନ କରିବା ସହିତ ଭୋଗ ଲାଗି କରିଥାନ୍ତି । ଜମାଣ ରାତ୍ରରେ ଚିତାକର୍ଷକ ଆତସବାଜି ପ୍ରଦର୍ଶନ କରାଯାଏ । ବିଭିନ୍ନ ଅଂଚଳର ଜଣାଶୁଣା ବାଣ କାରିଗର ଜମାଣ ପଡ଼ିଆରେ ବାଣ ଫୁଟାଇଥାନ୍ତି । ଏପରିକି ମାନସିକ ପୂରଣ ପରେ ବହୁ ଭକ୍ତ ଏଠାରେ ରାତି ତମାମ ବାଣ ଫୁଟାଇଥାନ୍ତି । ହରିରାଜପୁର ଗ୍ରାମର ବରିଷ୍ଠ ନାଗରିକ ତଥା ଅବସରପ୍ରାପ୍ତ ରେଳ କର୍ମଚାରୀ ହାଡିବନ୍ଧୁ ଚମ୍ପତି କହନ୍ତି ଅନେକ ଭକ୍ତ ସେମାନଙ୍କ ମାନସିକ ପୂରଣ ଲାଗି ଜମାଣ ରାତିରେ ଆତସବାଜୀ ପ୍ରଦର୍ଶନ କରିଥାନ୍ତି । ୫ ଦିନ ମେଳଣ ପରେ ବିମାନରେ ଠାକୁର ସ୍ୱସ୍ଥାନ ଗମନ କରନ୍ତି ।