ବିଷମକଟକ: ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ଚାଟିକଣା ଅଂଚଳରେ ଜଣେ ୭ ବର୍ଷର ଶିଶୁକୁ ଅପହରଣ ପରେ ଗଳାକାଟି ହତ୍ୟା କରାଯିବା ଘଟଣା ସମଗ୍ର ରାୟଗଡ଼ା ଜିଲ୍ଲାରେ ଚହଳ ପକାଇଛି ।
ସୂଚନା ମୁତାବକ, ଚାଟିକଣାସ୍ଥିତ ପୁରୁଣା ଷ୍ଟେସନ ସାହିର ପୁରୁଷୋତମ ଗନ୍ତାୟତଙ୍କ ପୁଅ ଋଷି ଗନ୍ତାୟତ (୭)କୁ କେହି ଜଣେ ଅପହରଣ କରି ନେଇଥିଲେ । ପରେ ପୁରୁଷୋତମଙ୍କ ସମ୍ପର୍କୀୟଙ୍କୁ ଏକ ଅଜଣା ନମ୍ବରରୁ ମେସେଜ ଆସିଥିଲା ଯେ, ୪ ଲକ୍ଷ ପଚାସ ହଜାର ଟଙ୍କା ଦେଲେ ଋଷିକୁ ପାଇବ । ଏ ସମ୍ପର୍କରେ ପୁଲିସକୁ ଜଣାଇଲେ ସ୍ଥିତି ଖରାପ ହେବ ବୋଲି ଧମକ ଦେଇଥିଲେ । ପରିବାର ଲୋକ ଓ ସମ୍ପର୍କୀୟ ଦିନସାରା ଖୋଜାଖୋଜି କରିଥିଲେ ମଧ୍ୟ ଋଷିର ସୁରାକ ପାଇ ନ ଥିଲେ । ମାତ୍ର ବିଳମ୍ବିତ ରାତିରେ ଋଷିର ମୃତଦେହ ଏକ ବସ୍ତାରେ ବନ୍ଧାଯାଇ ଘର ପଛପଟେ ଫିଙ୍ଗା ଯାଇଥିବାର ଦେଖିବାକୁ ମିଳିଥିଲା ।
ଖବର ପାଇ ସେଠାରେ ପହଂଚିଥିଲା ବିଷମକଟକ ପୁଲିସ । ସାଇଂଟିଫିକ୍ ଟିମ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ କରିବାକୁ ବିଷମକଟକ ଥାନା ସୂତ୍ରରୁ ପ୍ରକାଶ । ରାଜ୍ୟର ଆଇନଶୃଙ୍ଖଳା ନିୟନ୍ତ୍ରଣ ଭିତରେ ରହିଛି ବୋଲି ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ୋକ୍ତି କ୍ରମେ ତୁଚ୍ଛା ବକ୍ବାସ ପ୍ରମାଣିତ ମନେହୁଏ ।