ଅମିତ ଶାହଙ୍କ ଭାଷଣକୁ ଭୁଲିପାରୁନି ଓଡ଼ିଶା

୨୦୦୫ରେ ପାରାଦୀପର ଏକ ଘରୋଇ କମ୍ପାନୀଠାରୁ ……

ପାରାଦୀପ: ୨୦୦୫ରେ ପାରାଦୀପର ଏକ ଘରୋଇ କମ୍ପାନୀଠାରୁ ଇଫ୍କୋ ଯେତେବେଳେ ସାର କାରଖାନାକୁ ୨୫୦୦ କୋଟି ଟଙ୍କାରେ କିଣିଥିଲା, ସେତେବେଳେ ବାର୍ଷିକ ଉତ୍ପାଦନ ଥିଲା ମାତ୍ର ୭.୫ ମିଲିୟନ ଟନ୍ । ଏବେ ଏହାର ବାର୍ଷିକ ଉତ୍ପାଦନ କ୍ଷମତା ୨୨ ଲକ୍ଷ ମେଟ୍ରିକ ଟନ୍ । ବିଶ୍ୱର ପ୍ରଥମ ନାନୋ ତରଳ ସାର ଏହି କାରଖାନାରୁ ଉତ୍ପାଦନ ହେଉଛି । ଏବେ ବିଶ୍ୱର ଅନେକ ଦେଶକୁ ଇଫ୍କୋ ଏହି ନାନୋ ତରଳ ସାର ରପ୍ତାନି କଲାଣି । ଏହା ଆମ ଦେଶ ପାଇଁ ଗର୍ବର ବିଷୟ ବୋଲି କେନ୍ଦ୍ର ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଅମିତ୍ ଶାହ କହିଛନ୍ତି । ପାରାଦୀପ ଇଫ୍କୋ କାରଖାନା ପରିସରରେ ଶୁକ୍ରବାର ଅପରାହ୍ନରେ ମନ୍ତ୍ରୀ ଶାହ ସଲ୍ଫୁ୍ୟରିକ ଏସିଡ୍ କାରଖାନା ୩ର ଲୋକାର୍ପଣ ଅବସରରେ ଏହା କହିଛନ୍ତି ।

ଜୟ ଜଗନ୍ନାଥରୁ ଶାହ ତାଙ୍କ ଅଭିଭାଷଣ ଆରମ୍ଭ କରିଥିଲେ । ସାଧାରଣ ନିର୍ବାଚନ ପରେ ଏହା ତାଙ୍କର ପ୍ରଥମ ସାର୍ବଜନୀନ ଗସ୍ତ । ଏବେ ଡବଲ ଇଞ୍ଜିନ ସରକାର ଉନ୍ନତି ପଥରେ ଆଗେଇ ଚାଲିଛି । ଓଡ଼ିଶା ଦେଖୁଦେଖୁ ବିକଶିତ ହୋଇଯିବ ବୋଲି ଶାହ ଭରସା ଦେଇଛନ୍ତି ।

ଶାହ ଆହୁରି କହିଛନ୍ତି ଯେ, ଓଡ଼ିଶାର ମାଟି ତଳେ ଅନେକ ସମ୍ପଦ ରହିଛି । ମହାନଦୀ କୂଳରେ ଉର୍ବର ଜମି, ବିସ୍ତୀର୍ଣ୍ଣ ସମୁଦ୍ର ଉପକୂଳ ଏବଂ ଚିଲିକା ରହିଛି । ନୂଆ ସରକାର ଏହାର ବିକାଶ ପାଇଁ ଭିତିଭୂମି ଖସଡ଼ା କଲେଣି । ଆସନ୍ତା ଦିନରେ ଗୁଜରାଟ ଭଳି ଓଡ଼ିଶାର ବିକାଶ ହେବ । ସମବାୟ ଜରିଆରେ ଗ୍ରାମୀଣ ମହିଳା, ଜନଜାତି, ଓବିସି ଓ ମସô୍ୟଜୀବୀଙ୍କୁ ସାମିଲ କରାଯିବ । ଏହି ବ୍ୟବସ୍ଥାରେ ପ୍ରତି ଗାଁରେ ଡେଏରୀ ପହଂଚତ୍ୱ । ଗୁଜରାଟ ଅମୁଲର ଉଦାହରଣ ଦେଇ ସେ କହିଥିଲେ ଯେ, ୩୬ ଲକ୍ଷ ଗ୍ରାମୀଣ ମହିଳାଙ୍କୁ ଏଥିରେ ସାମିଲ କରାଯାଇଛି ଏବଂ ବାର୍ଷିକ ୧ ଲକ୍ଷ ୩୦ ହଜାର କୋଟି ଟଙ୍କାର ବ୍ୟବସାୟ କରୁଛି । ସେହିଭଳି ଓଡ଼ିଶାର ଗ୍ରାମୀଣ ବର୍ଗଙ୍କ ଉନ୍ନତି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବଦ୍ଧପରିକର ।

ଇଫ୍କୋ ପ୍ରସଙ୍ଗରେ ଶାହ କହିଛନ୍ତି, ଏହି କମ୍ପାନୀ ହେଉଛି ଦୁନିଆର ସବୁଠାରୁ ବଡ଼ ସମବାୟ ସଂସ୍ଥା । ଏହା ଅଧୀନରେ ୩୬ ହଜାର ସମବାୟ ୟୁନିଟ୍ ଓ ୫ କୋଟି କୃଷକ ହେଉଛନ୍ତି ଅସଲ ମାଲିକ । ଏହି ସଂସ୍ଥାରୁ ମିଳୁଥିବା ବାର୍ଷିକ ୩୮ଶହ କୋଟି ଟଙ୍କାର ଲାଭାଂଶ ଦେଶର ୫ କୋଟି କୃଷକ ପାଇଥାନ୍ତି । ଏହା ହିଁ ଇଫ୍କୋର ଅସଲି ଶକ୍ତି । ଏବେ ଇଫ୍କୋ ସଲ୍ଫୁ୍ୟରିକ ଏସିଡ୍ ପାଇଁ ଆଉ ବିଦେଶ ଉପରେ ନିର୍ଭରଶୀଳ ହେବ ନାହିଁ । ଉକ୍ତ ପ୍ରକଳ୍ପ ପାଇଁ ୭୫୦ କୋଟି ଟଙ୍କା ବ୍ୟୟ ହୋଇଛି । ଆଗାମୀ ଦିନରେ ଇଫ୍କୋ ସମସ୍ତ ସାର କାରଖାନାର ସଲ୍ଫୁ୍ୟରିକ ଆବଶ୍ୟକତା ପୂରଣ କରିବ ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ବକ୍ତବ୍ୟରେ କହିଛନ୍ତି, ସ୍ୱରାଷ୍ଟ୍ର ମନ୍ତ୍ରୀ ଶାହାଙ୍କୁ ପାରାଦୀପ ପୋର୍ଟ ସହର ସ୍ୱାଗତ କରୁଛି । ପାରାଦୀପ ହେଉଛି ଉଦୀୟମାନ ସହର ଓ ସମୃଦ୍ଧିର ପ୍ରତିବିମ୍ବ । ଦେଶର ପଣ୍ୟ କାରବାର କ୍ଷେତ୍ରରେ ଏବେ ପାରାଦୀପ ବନ୍ଦର ପ୍ରଥମ ସ୍ଥାନରେ ରହିଛି । ଆଗକୁ ଏହା ଏସିଆ ମହାଦେଶର ଗେଟ୍ ୱେ (ପ୍ରବେଶ ପଥ) ହେବାକୁ ଯାଉଛି । ପାରାଦୀପ ଓଡ଼ିଶା ବିକାଶର ପ୍ରୟୋଗଶାଳା । ଏଥିସହ ୟୁରିଆ ସାର ଉତ୍ପାଦନ କ୍ଷେତ୍ରରେ ଇଫ୍କୋ ଦେଶରେ ଅଗ୍ରଣୀ ଭୂମିକା ନେଉଥିବା ସେ ପ୍ରକାଶ କରିଥିଲେ । ଆଗକୁ ସମବାୟ ଯୁଗ ଆରମ୍ଭ ହେବାକୁ ଯାଉଛି ବୋଲି ମାଝୀ କହିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ପାରାଦୀପରୁ ତାଳଚେର ପର୍ଯ୍ୟନ୍ତ ନଦୀପଥ ବିକାଶ ସହ ଅନେକ ଯୋଜନା ହାତକୁ ନିଆଯାଇଛି । ସମବାୟ ଜରିଆରେ ସବୁ ବର୍ଗର ଲୋକଙ୍କୁ ଯୋଡ଼ାଯିବାକୁ ଯୋଜନା କରାଯାଇଛି । ଆଗକୁ ଗ୍ରାମୀଣ ଲୋକେ ସମବାୟ ମାଧ୍ୟମରେ ମାଲିକ ହେବେ ବୋଲି ସେ କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ବିଧାୟକ ତଥା ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ, ଜଗତ୍ସିଂହପୁର ଏମ୍ପି ବିଭୁପ୍ରସାଦ ତରାଇ, ଜଗତ୍ସିଂହପୁର ବିଧାୟକ ଅମରେନ୍ଦ୍ର ଦାଶ, କେନ୍ଦ୍ର ସମବାୟ ସଚିବ ଆଶିଷ କୁମାର ଭୁଟାନୀ ପ୍ରମୁଖ ଉପସ୍ଥିତ ଥିଲେ ।

ଆରମ୍ଭରେ ଇଫ୍କୋ ପରିଚାଳନା ନିଦେ୍ର୍ଦଶକ କେ.ଜେ. ପଟେଲ ସ୍ୱାଗତ ବକ୍ତବ୍ୟ ରଖିବା ସହ ଇଫ୍କୋ ସଲଫୁ୍ୟରିକ ଏସିଡ୍ କାରଖାନା ସମ୍ପର୍କରେ ସୂଚନା ଦେଇଥିଲେ । ଇଫ୍କୋ ଅଧ୍ୟକ୍ଷ ଦିଲୀପ ସାଂଘାନୀ ଇଫ୍କୋର ଭବିଷ୍ୟତ କାର୍ଯ୍ୟପନ୍ଥା ଉପରେ ଆଲୋକପାତ କରିଥିଲେ ।