ଭୁବନେଶ୍ୱର: ୬୫ ଦିନ ଭିତରେ ପୁରୀ ରେଳଷ୍ଟେସନର ନବକଳେବର କରାଯିବ । ପ୍ଲାଟଫର୍ମ ନମ୍ବର ୭ ଏବଂ ୮ ରେ ବିକାଶମୂଳକ କାର୍ଯ୍ୟ ସମେତ ଷ୍ଟେସନ ୟାର୍ଡରେ ବାଲାଷ୍ଟଲେସ୍ ଟ୍ରାକ୍ ନିର୍ମାଣ କରାଯିବ । ଯାତ୍ରୀ ସୁବିଧା ଏବଂ କାର୍ଯ୍ୟ ଦକ୍ଷତା ବୃଦ୍ଧି କରିବା ପାଇଁ ଷ୍ଟେସନରେ ଗୁରୁତ୍ୱପୂର୍ଣ୍ଣ ଭିତିଭୂମି ଉନ୍ନତିକରଣ କାର୍ଯ୍ୟ ଘୋଷଣା କରିଛି ପୂର୍ବତଟ ରେଲୱେ । ଏଣୁ ଏହି ଅତ୍ୟାବଶ୍ୟକ କାର୍ଯ୍ୟଗୁଡିକୁ ସହଜ କରିବା ପାଇଁ ଆସନ୍ତା ୧୧ ମାର୍ଚ୍ଚରୁ ୧୬ ମେ’ ପର୍ଯ୍ୟନ୍ତ ଅନେକ ଟ୍ରେନଗୁଡ଼ିକର ଯାତାୟାତରେ ପରିବର୍ତନ କରାଯାଇଛି । ଏହି ଅବଧିରେ ଯାତ୍ରୀଙ୍କ ସୁବିଧା ପାଇଁ ସଂକ୍ଷିପ୍ତ ଅବଧି ତଥା ସଂକ୍ଷିପ୍ତ ଉତ୍ପତି ଷ୍ଟେସନ ଏବଂ ପୁରୀ ମଧ୍ୟରେ ବସ୍ ସେବା ବ୍ୟବସ୍ଥା କରାଯିବ ।
ସୂଚନାଯୋଗ୍ୟ, ଉକ୍ତ ଅବଧି ମଧ୍ୟରେ ନିର୍ଦ୍ଦିଷ୍ଟ ତାରିଖଗୁଡିକରେ ସାକ୍ଷୀଗୋପାଳ ଷ୍ଟେସନରେ ଲୋକମାନ୍ୟ ତିଲକ ଟର୍ମିନସ-ପୁରୀ ଏକ୍ସପ୍ରେସ, ଗାନ୍ଧିଧାମ-ପୁରୀ ଏକ୍ସପ୍ରେସ, କାମାକ୍ଷା-ପୁରୀ ଏକ୍ସପ୍ରେସ, ତିରୁପତି-ପୁରୀ ଏକ୍ସପ୍ରେସ, ସିଆଲଦା- ପୁରୀ ଦୁରନ୍ତ ଏକ୍ସପ୍ରେସ, ଭାଲସାଡ-ପୁରୀ ଏକ୍ସପ୍ରେସ, ସମ୍ବଲପୁର-ପୁରୀ ଇଂଟରସିଟି ଏକ୍ସପ୍ରେସ୍ ସଂକ୍ଷିପ୍ତ ଅବଧି ପ୍ରଦାନ କରିବ । ଏଥିସହ ବୀରପୁରୁଷୋତମପୁର ଷ୍ଟେସନରେ ଇନେ୍ଦାର-ପୁରୀ ଏକ୍ସପ୍ରେସ, ଶ୍ରୀଗଙ୍ଗାନଗର-ପୁରୀ ଏକ୍ସପ୍ରେସ, କାମାକ୍ଷା– ପୁରୀ ଏକ୍ସପ୍ରେସ ଏବଂ ଜଳେଶ୍ୱର-ପୁରୀ ମେମୁ ସଂକ୍ଷିପ୍ତ ଅବଧି ପ୍ରଦାନ କରିବ ।
ଏହାବ୍ୟତୀତ ଖୋର୍ଦ୍ଧାରୋଡ୍ ଷ୍ଟେସନରେ ରାଉରକେଲା-ପୁରୀ ଏକ୍ସପ୍ରେସ, ତାଳଚେର- ପୁରୀ ମେମୁ ସଂକ୍ଷିପ୍ତ ଅବଧି ହେବ । ପୁରୀ-ରାଉରକେଲା ଏକ୍ସପ୍ରେସ ଏବଂ ପୁରୀ-ତାଳଚେର ମେମୁ ଏହି ଷ୍ଟେସନରୁ ସଂକ୍ଷିପ୍ତ ଉତ୍ପତି କରିବ । ମାଳତୀପାଟପୁର ଷ୍ଟେସନରେ ହାଓଡା-ପୁରୀ ଏକ୍ସପ୍ରେସ ସଂକ୍ଷିପ୍ତ ଅବଧି ଏବଂ ପୁରୀ-ହାଓଡା ଏକ୍ସପ୍ରେସ୍ ସଂକ୍ଷିପ୍ତ ଉତ୍ପତି ପ୍ରଦାନ କରିବ । ଯାତ୍ରୀମାନେ ଯାତ୍ରା ଆରମ୍ଭ ପୂର୍ବରୁ ଟ୍ରେନଗୁଡ଼ିକର ତାଜା ସ୍ଥିତି ଯାଂଚ୍ କରିବାକୁ ପରାମର୍ଶ ଦିଆଯାଇଛି ।