ହାଇକୋର୍ଟଙ୍କ ଐତିହାସିକ ରାୟ

ପଂଚାୟତ କରିପାରିବନି ପୋକ୍ସୋ ବିଚାର

ପୋକ୍ସୋ (ପ୍ରୋଟେକ୍ସନ୍ ଅଫ୍ ଚିଲଡ୍ରେନ୍ ଫ୍ରମ୍ ସେକ୍ସୁଆଲ୍ ଅଫେନ୍ସ) ମାମଲା ….

କଟକ: ପୋକ୍ସୋ (ପ୍ରୋଟେକ୍ସନ୍ ଅଫ୍ ଚିଲଡ୍ରେନ୍ ଫ୍ରମ୍ ସେକ୍ସୁଆଲ୍ ଅଫେନ୍ସ) ମାମଲା ବା କୌଣସି ନାବାଳକ/ନାବାଳିକା ସହ ଘଟିଥିବା ଅପରାଧିକ ମାମଲାର ସମାଧାନ ପଂଚାୟତ ସ୍ତରରେ କରାଯାଇପାରିବ ନାହିଁ । ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ । ଏଭଳି ଘଟଣାକୁ ପଂଚାୟତର ସରପଂଚ ହୁଅନ୍ତୁ ବା କିଛି ବରିଷ୍ଠ ବ୍ୟକ୍ତି ହାତକୁ ନେବା ଉଚିତ୍ ନୁହେଁ । ପଂଚାୟତ ଆଇନାନୁମୋଦିତ ଅଦାଲତ ନୁହେଁ । ଏଭଳି ଘଟଣାକୁ ଆଇନର ଉଲ୍ଲଂଘନ ଧରାଯିବ ବୋଲି ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ କହିଛନ୍ତି ।

ଏହି ପରିପ୍ରେକ୍ଷୀରେ ହାଇକୋର୍ଟ ପ୍ରତ୍ୟେକ ଜିଲ୍ଲାର ଜିଲ୍ଲାପାଳ ଏବଂ ଏସ୍ପିମାନଙ୍କୁ ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ନିଦେ୍ର୍ଦଶ ଦେଇଛନ୍ତି । ଏହି ଅଧିକାରୀମାନେ ପ୍ରତ୍ୟେକ ପଂଚାୟତର ସରପଂଚ, ସମିତିସଭ୍ୟ, ୱାର୍ଡ ସଭ୍ୟ ଏବଂ ଅନ୍ୟ ବରିଷ୍ଠ ବ୍ୟକ୍ତିମାନଙ୍କୁ ଏହି ଆଇନ ସମ୍ପର୍କରେ ସଚେତନ କରିବା ଲାଗି ପଦକ୍ଷେପ ନେବେ । ଯଦି କେହି ବି ଭବିଷ୍ୟତରେ ଏଭଳି ସମ୍ବେଦନଶୀଳ ପ୍ରସଙ୍ଗକୁ ପଂଚାୟତ ମଧ୍ୟରେ ସୀମିତ ରଖିବାକୁ ବା ସମାଧାନ କରିବାକୁ ଉଦ୍ୟମ କରନ୍ତି ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ହାଇକୋର୍ଟ ଆଦେଶରେ ସ୍ପଷ୍ଟ କରିଛନ୍ତି ।

ପୋକ୍ସୋ ମାମଲାରେ ନିମ୍ନ ଅଦାଲତ ଦ୍ୱାରା ୨୦ ବର୍ଷ ଜେଲଦଣ୍ଡରେ ଦଣ୍ଡିତ ଆସାମୀ ସନତ କୁମାର ପ୍ରଧାନର ଅପିଲକୁ ଖାରଜ କରିବା ଅବସରରେ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଏସ୍. କେ. ପାଣିଗ୍ରାହୀ ଏହି ଆଦେଶ ଦେଇଛନ୍ତି । ମାମଲାରୁ ଜଣାଯାଇଛି ଯେ, ପୀଡିତାଙ୍କ ଘରକୁ ନିୟମିତ ଭାବେ ଆସାମୀ ସନତ ଆସିଥାଏ । ପୀଡିତାଙ୍କ ପିତାମାତା ଘରେ ନଥିବା ସମୟରେ ଆସାମୀ ସନତ ବଳାକôାର କରିଥିଲା । ଏହି ଘଟଣା ସମ୍ପର୍କରେ କାହାରି ଆଗରେ କହିଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲା । ୨୦୧୬ ମସିହାରେ ଏହି ଘଟଣା ଘଟିଲା ବେଳେ ପୀଡିତାଙ୍କୁ ପ୍ରାୟ ୧୭ ବର୍ଷ ହୋଇଥିଲା । ପରେ ଏହି ଘଟଣା ସଂକ୍ରାନ୍ତରେ ପୀଡିତା ତାଙ୍କ ପରିବାର ଲୋକଙ୍କୁ କହିଥିଲେ । ପୀଡିତାଙ୍କ ବାପା ଏ ସଂକ୍ରାନ୍ତରେ ଗ୍ରାମରେ ଜଣାଇଥିଲେ ।

ଗ୍ରାମସଭା ଡକାଯାଇ ପୀଡିତା ସାବାଳିକା ହେବା ପରେ ଆସାମୀ ସନତକୁ ବିବାହ କରିବେ ବୋଲି ନିଷ୍ପତି ହୋଇଥିଲା । ଏହି ନିଷ୍ପତିରେ ସନତ ସହମତି ପ୍ରକାଶ କରିଥିଲା । ୨୦୨୧ ମସିହାରେ ସନତ ପୀଡିତାଙ୍କୁ ବିବାହ କରିଥିଲା । ବିବାହର ମାତ୍ର ୧୦/୧୫ ଦିନ ପରେ ଆସାମୀ ସନତ ଆଉ ଘରକୁ ଆସି ନଥିଲା ଏବଂ ପୀଡିତାଙ୍କ ସହ କୌଣସି ପ୍ରକାର ଯୋଗାଯୋଗରେ ରହି ନଥିଲା । ପରେ ସନତର ପରିବାର ଲୋକେ ପୀଡିତାଙ୍କୁ ନିର୍ଯାତନା ଦେବା ସହ ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିଲେ ବୋଲି ଅଭିଯୋଗ ହୋଇଥିଲା ।

ଏହି ଘଟଣାକୁ ନେଇ ପୀଡିତା କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନାରେ ଏତଲା ଦେଇଥିଲେ । ଏତଲା ଆଧାରରେ ପୁଲିସ ଅଭିଯୁକ୍ତକୁ ଗିରଫ କରିବା ସହ ପୋକ୍ସୋ ଆଇନରେ ମାମଲା ରୁଜୁ କରିଥିଲା । ମାମଲାର ଶୁଣାଣି କନ୍ଧମାଳ ଜିଲ୍ଲା ଫାଷ୍ଟ ଟ୍ରାକ୍ ଅଦାଲତରେ ହୋଇଥିଲା । ଅଦାଲତ ପୋକ୍ସୋ ଆଇନରେ ଆସାମୀ ସନତକୁ ୨୦ ବର୍ଷ ଜେଲ୍ ଏବଂ ୨୦ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଥିଲେ । ଏହି ଆଦେଶକୁ ଚାଲେଞ୍ଜ୍ କରି ଆସାମୀ ସନତ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ।

ହାଇକୋର୍ଟ ମାମଲାର ଶୁଣାଣି ପରିପ୍ରେକ୍ଷୀରେ ନାବାଳିକା ପୀଡିତାଙ୍କ ପ୍ରତି ଦୁଷ୍କର୍ମ ଏକ ସମ୍ବେଦନଶୀଳ ପ୍ରସଙ୍ଗ ଓ ଏହାର ବିଚାର ପଂଚାୟତ ସ୍ତରରେ ନିଆଯାଇଥିବାରୁ ତୀବ୍ର ସମାଲୋଚନା କରିଛନ୍ତି ।ଏଭଳି ପ୍ରସଙ୍ଗରେ ପଂଚାୟତ ଆଇନକୁ ହାତକୁ ନେବା ଉଚିତ୍ ନୁହେଁ ବୋଲି ମତ ଦେଇଛନ୍ତି । ଏଥିସହ ହାଇକୋର୍ଟ ନିମ୍ନ ଅଦାଲତଙ୍କ ଆଦେଶକୁ କାଏମ୍ ରଖି ଆସାମୀ ସନତର ଆବେଦନକୁ ଖାରଜ କରି ଦେଇଛନ୍ତି ।