ଦାରିଙ୍ଗବାଡ଼ି: ବିଶ୍ୱ ପାଳିଛି ମହିଳା ଦିବସ । ଏହି କ୍ରମରେ ରବିବାର ଦିନ ଦାରିଙ୍ଗବାଡ଼ି ଅଂଚଳ କୋଳାହଳମୟ ଥିଲା । ଏକାଧିକ ସ୍ଥାନରେ ବଡ଼ ଧୂମ୍ଧାମରେ ପାଳିତ ହୋଇଯାଇଛି । ବ୍ଲକର ୨୫ଟି ପଂଚାୟତ ଅଂଚଳରୁ ଶହଶହ ମହିଳା ଦାରିଙ୍ଗବାଡ଼ିରେ ପହଂଚି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ କରିଛନ୍ତି । ମାତ୍ର ଚିନ୍ତାର ବିଷୟ ହେଉଛି; ମହିଳାମାନେ ବିପଦପୂର୍ଣ୍ଣ ପରିସ୍ଥିତିରେ ଅଟୋରେ ବସିଥିଲେ । ଆବଶ୍ୟକ ଆସନ ତୁଳନାରେ ଢେର ଅଧିକ ମହିଳା ଅଟୋରେ ଚଳପ୍ରଚଳ କରୁଥିଲେ ।
ପ୍ରକାଶ ଯେ ଦାରିଙ୍ଗବାଡିଠାରୁ ବିଭିନ୍ନ ସ୍ଥାନକୁ ସରକାରୀ ଓ ବେସରକାରୀ ଯାତ୍ରୀବାହୀ ବସ ଯାତାୟାତ କରୁଥିବା ବେଳେ ଯାତ୍ରୀବାହି ଅଟୋ ମଧ୍ୟ ଚଳପ୍ରଚଳ କରୁଛି । ମାଲ ଭଳି ଲଦା ହୋଇ ଅଟୋରେ ଯାତାୟାତ କରିବା ଆଦୌ ସୁରକ୍ଷିତ ନୁହେଁ । ଛୋଟ ଛୋଟ ତିନୋଟି ଚକ ଉପରେ ଭରସା କରି ଏତେ ସଂଖ୍ୟକ ମହିଳା ଯାତ୍ରା କରିବା ସଂପୂର୍ଣ୍ଣ ବେଆଇନ । ଦ୍ରୁତଗତିରେ ଅଟୋଗୁଡ଼ିକ ଚଳପ୍ରଚଳ କରୁଥିବା ସମୟରେ ଯେକୌଣସି ଦୁର୍ଘଟଣା ଘଟିବାର ଆଶଙ୍କା ରହିଛି ।