ଭରସା ହରାଉଛି ନବୋଦୟ ବିଦ୍ୟାଳୟ

ଅଭିଭାବକ କାହା ଭରସାରେ ସେମାନଙ୍କ ….

କୋରାପୁଟ: ଅଭିଭାବକ କାହା ଭରସାରେ ସେମାନଙ୍କ ପିଲାଙ୍କୁ ନବୋଦୟ ବିଦ୍ୟାଳୟରେ ପାଠ ପଢ଼ାଇବେ? ଦାୟିତ୍ୱହୀନତାର ଦ୍ୱାହି ଦେଇ କର୍ମଚାରୀଙ୍କୁ ନିଲମ୍ବନ କରିଦେଲେ ମୃତ ପିଲାମାନେ ଜୀବନ ଫେରି ପାଇବେନି । ମୂଳ ପ୍ରସଙ୍ଗ ହେଉଛି, ଏତେବଡ଼ ଦୁର୍ଘଟଣା ଘଟିଲା କାହିଁକି?

କୋରାପୁଟ ଜିଲ୍ଲାର କୋଲାବ ଜଳ ଭଣ୍ଡାରରେ ୩ ଜଣ ଛାତ୍ର ବୁଡିଯାଇ ପ୍ରାଣ ହରାଇବା ଘଟଣାରେ ନବୋଦୟ ବିଦ୍ୟାଳୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ପଦାର୍ଥ ବିଜ୍ଞାନ ଶିକ୍ଷକ ଚମନ୍ କୁମାର, କ୍ରୀଡା ଏବଂ ଶାରୀରିକ ଶିକ୍ଷା ଶିକ୍ଷକ ରାହୁଲ ସିଂ ଓ ହଷ୍ଟେଲ ଦାୟିତ୍ୱରେ ଥିବା କର୍ମଚାରୀ ଈଶ୍ୱରଙ୍କୁ ନିଲମ୍ବନ କରାଯାଇଛି । ନବୋଦୟ ବିଦ୍ୟାଳୟର ଭୋପାଳସ୍ଥିତ ଆଂଚଳିକ କାର୍ଯ୍ୟାଳୟ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

ସୂଚନାଯୋଗ୍ୟ, ଶନିବାର କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ପରିଚାଳିତ ଦଶମ ବୋର୍ଡ ପରୀକ୍ଷା ସରିଥିଲା । ନବୋଦୟ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନେ ମାଛରା ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇ ନିଜ ସ୍କୁଲକୁ ଫେରିଥିଲେ । ବସ୍ରେ ଫେରିବା ସମୟରେ ହିଁ ପିଲାମାନେ ଖୁସିରେ ହୋଲି ଖେଳିଥିଲେ । ବିଦ୍ୟାଳୟ ପଛପଟେ ଥିବା କୋଲାବ ଜଳ ଭଣ୍ଡାରକୁ ଗାଧୋଇବା ପାଇଁ ଲିଙ୍ଗରାଜ ଖିଲୋ, ଓମ ପ୍ରକାଶ ବେହେରା ଓ ସ୍ୱସ୍ଥିତ ସୁନ୍ଦର ହାଲୱା ଯାଇଥିଲେ । କୌଣସି କାରଣରୁ ପାଣିରେ ବୁଡି ପ୍ରାଣ ହରାଇଥିଲେ ।

ପରୀକ୍ଷା କେନ୍ଦ୍ରରୁ ଫେରିବା ପରେ ନୀଳଗିରି ହାଉସର ୮ ଜଣ ପିଲା କୋଲାବ ଜଳଭଣ୍ଡାରକୁ ଗାଧୋଇବା ପାଇଁ ଯାଇଥିଲେ ।
ସେଥିମଧ୍ୟରୁ ଏହି ୩ ଜଣ ଛାତ୍ର ପାଣିରେ ବୁଡି ଯାଇଥିଲେ । ଖବର ପାଇ ସ୍କୁଲ କର୍ମଚାରୀମାନେ ପିଲାମାନଙ୍କୁ ପାଣିରୁ ଉଦ୍ଧାର କରି କୋରାପୁଟ ଏସ୍ଏଲ୍ଏନ୍ ମେଡିକାଲ କଲେଜରେ ଭର୍ତି କରିଥିଲେ । ତେବେ ଡାକ୍ତର ୩ ଜଣ ଛାତ୍ରଙ୍କୁ ମୃତ ଘୋଷଣା କରିଥିଲେ ।