କିଡ୍ନୀ ଅକ୍ଷମତା

କିଡ୍ନୀ ଏପରି ଏକ ଅଙ୍ଗ, ଯାହାର କାର୍ଯ୍ୟ ଅକ୍ଷମତା …

କିଡ୍ନୀ ଏପରି ଏକ ଅଙ୍ଗ, ଯାହାର କାର୍ଯ୍ୟ ଅକ୍ଷମତା ଅନେକ ଡେରିରେ ଧରାପଡ଼େ । ଅଙ୍ଗଟି ପ୍ରାୟ ୮୦-୯୦ ଶତାଂଶ ଅକ୍ଷମ ନ ହୋଇପଡ଼ିବାର ପୂର୍ବ ପର୍ଯ୍ୟନ୍ତ ରୋଗୀକୁ ସେ ସମ୍ପର୍କରେ କିଛି ଜଣାପଡ଼େନି । ପୁଣି ଅନେକ କ୍ଷେତ୍ରରେ ଗୋଟିଏ କିଡ୍ନୀ କାର୍ଯ୍ୟରହିତ ହୋଇପଡ଼ିଥିଲେ ମଧ୍ୟ ଅନ୍ୟ କିଡ୍ନୀଟି ସନ୍ତୋଷଜନକ ଭାବରେ କାର୍ଯ୍ୟ କରି ଚାଲିଥିବାରୁ କିଡ୍ନୀ ଅସୁସ୍ଥତା ବିଷୟରେ କୌଣସି ସୂଚନା ନ ମିଳିବା କିଛି ଅସ୍ୱାଭାବିକ ନୁହେଁ । ଦୁଇଟିଯାକ କିଡ୍ନୀ ସୁସ୍ଥ ଭାବରେ କାମ କରି ଚାଲିଥିବା ବେଳେ ବିଭିନ୍ନ କାରଣବଶତଃ ଏହା ହଠାତ୍ ଅକାମୀ ହୋଇପଡ଼େ ।

ଏପରି ଅବସ୍ଥାକୁ କୁହାଯାଏ ‘ଆକୁ୍ୟଟ ରେନାଲ ଫେଲୁ୍ୟଓର୍’ ବା ଏ.ଆର୍ଏଫ୍ । କିଡ୍ନୀ ମଧ୍ୟ ଦେଇ ଯଥେଷ୍ଟ ରକ୍ତ ପ୍ରଭାବିତ ହୋଇ ନ ପାରିବା ଯୋଗୁ ଏହାର ଅକ୍ଷମତା ଉପୁଜେ । ତରଳ ଝାଡ଼ାବାନ୍ତି ଯୋଗୁ ଡିହାଇଡ୍ରେସନ୍ ହେବା, ଶରୀରରୁ ଅଧିକ ରକ୍ତକ୍ଷୟ ଘଟିବା, ଚର୍ମର ବେଶି ଅଂଶ ପୋଡ଼ିଯିବା, ସଂକ୍ରମଣ ବଢ଼ି ସେପ୍ଟିସିମିଆ ହେବା, ଅଂଶୁଘାତ ହେବା, ବିଷାକ୍ତ ସାପ କାମୁଡ଼ିବା, ବିଷ ଖାଇବା ଇତ୍ୟାଦି କାରଣରୁ ପ୍ରକାଶ ପାଏ ଆକୁ୍ୟଟ୍ କିଡ୍ନୀ ଅକ୍ଷମତା । ଏହା ମାରାତ୍ମକ ହୋଇଥିଲେ ମଧ୍ୟ ବିହିତ ଚିକିସôା ଫଳରେ ସୁଫଳ ମିଳିବାର ସମ୍ଭାବନା ବେଶି । ପରିସ୍ରାର ପରିମାଣ କମିଯିବା, ଆଉ ଉଠିବା, ବାନ୍ତି ହେବା, ଭୋକ ମରିଯିବା, ଦୁର୍ବଳତା ଅନୁଭବ କରିବା, ନିଦୁଆ ଲାଗିବା, ଶ୍ୱାସକଷ୍ଟ ହେବା, ପାଦ ଫୁଲିବା ଆଦି ଏହାର କେତୋଟି ସାଧାରଣ ଲକ୍ଷଣ । ଏଭଳି ଲକ୍ଷଣ ଦେଖାଦେବା ମାତ୍ରେ ବିଳମ୍ବ ନ କରି ଅଭିଜ୍ଞ କିଡ୍ନୀ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।