ନୂଆଦିଲ୍ଲୀ: ସରକାର ନିର୍ଦ୍ଦେଶ ଦେବା ପରେ ଦେଶରେ ତୈଳ ବିଶୋଧନ କମ୍ପାନିଗୁଡିକ ଏଲ୍ପିଜି ଉତ୍ପାଦନ ପ୍ରାୟ ୧୦ ପ୍ରତିଶତ ବଢ଼ାଇଛନ୍ତି। ଏହାଦ୍ୱାରା ସମ୍ଭାବ୍ୟ ନିଅଂଟିଆ ପରିସ୍ଥିତିକୁ ଟାଳି ଦିଆଯାଇଛି। ଦେଶରେ ଏଲ୍ପିଜି ଅଭାବକୁ ଅସ୍ୱୀକାର କରିବା ସହ ସରକାର ଏହା କହିଛନ୍ତି। ମହଜୁଦ ଏବଂ କଳାବଜାରୀକୁ ରୋକିବା ପାଇଁ ଅତିରିକ୍ତ ପ୍ରଶାସନିକ ପଦକ୍ଷେପ ନିଆଯାଇଛି। ସେହିଭଳି ବୁକିଂ ଅବଧିକୁ ୨୧ ଦିନରୁ ୨୫ ଦିନକୁ ବଢ଼ାଇ ଦେଇଛନ୍ତି। ଏଥିସହିତ ଅତ୍ୟାବଶ୍ୟକ ସାମଗ୍ରୀ ଆଇନକୁ ମଧ୍ୟ ଲାଗୁ କରାଯାଇଛି। ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ସାମୟିକ ସମସ୍ୟା ଦେଖାଦେଇଥିଲା।
ଅଧିକାରୀଙ୍କ କହିବାନୁଯାୟୀ, ଭୂରାଜନୈତିକ ଅସ୍ଥିରତା ଏବଂ ଯୋଗାଣ ଶୃଙ୍ଖଳ ଉପରେ ଚାପ ସତ୍ୱେ ଶକ୍ତି ଯୋଗାଣ ପରିଚାଳନା କ୍ଷେତ୍ରରେ ଭାରତ ଅନ୍ୟ ଦେଶମାନଙ୍କ ତୁଳନାରେ ଭଲ ସ୍ଥିତିରେ ରହିଛି। ଶକ୍ତି ଉପଲବ୍ଧତା ଏବଂ ଇନ୍ଧନ ଆମଦାନୀରେ ନିରନ୍ତରତା ବଜାୟ ରଖିବା ପାଇଁ ସରକାର ଅନେକ ଦେଶ ସହିତ ସବୁ ସମୟରେ ଯୋଗାଯୋଗରେ ଅଛନ୍ତି। ଉଭୟ ପେଟ୍ରୋଲିୟମ ମନ୍ତ୍ରାଳୟ ଏବଂ ଶକ୍ତି କମ୍ପାନିଗୁଡିକ ସେମାନଙ୍କ ଅନ୍ତର୍ଜାତୀୟ ସହଯୋଗୀମାନଙ୍କ ସହିତ ନିୟମିତ ଯୋଗାଯୋଗରେ ଅଛନ୍ତି।
ଭାରତ ପାଇଁ ଯଥେଷ୍ଟ ଶକ୍ତି ଉତ୍ସ ରହିଛି। ପରିସ୍ଥିତିକୁ ମୁକାବିଲା କରିବା ପାଇଁ ଭାରତ ଭଲଭାବେ ପ୍ରସ୍ତୁତ ରହିଛି ବୋଲି କୁହାଯାଇଛି। ସାମାଜିକ ଗଣମାଧ୍ୟମରେ ପ୍ରସାରିତ ମିଛ ଖବରକୁ ବିଶ୍ୱାସ ନକରିବା ପାଇଁ ସରକାର ଲୋକଙ୍କୁ ନିବେଦନ କରିଛନ୍ତି।
ଘରୋଇ ଏଲ୍ପିଜି ଯୋଗାଣକୁ ସରକାର ସର୍ବାଧିକ ଅଗ୍ରାଧିକାର ଦେଉଛନ୍ତି। କେତେକ ସଂଗଠନ ପକ୍ଷରୁ ଏଲ୍ପିଜି ଅଭାବ ନେଇ ଲେଖାଯାଇଥିବା ଚିଠିକୁ ସରକାର ସେତେଟା ଗୁରୁତ୍ୱ ଦେଇ ନଥିଲେ ବି ସେସବୁ ଉଦ୍ବେଗର ଅନୁଧ୍ୟାନ କରାଯାଉଛି ବୋଲି କୁହାଯାଇଛି। ଦେଶରେ ଆଦୌ ଗ୍ୟାସ୍ ସଂକଟ ନାହିଁ।