ଅଫିସ୍ ଅଫ୍ ପ୍ରଫିଟ୍। ଏପରି ଗୋଟିଏ ଶବ୍ଦ ଯାହା ଶାସନ କଳକୁ ବିବାଦ ଭିତରକୁ ଟାଣି ନେଇଯାଏ। ଲୋକକଲ୍ୟାଣମୂଳକ ଯୋଜନାରୁ ବିପୁଳ ପରିମାଣର ପୁଞ୍ଜି ହାସଲ କରିବା ପାଇଁ ଯଦି କୌଣସି ସରକାରୀ ଅଧିକାରୀ ସରକାରୀ ଦପ୍ତରକୁ ପାରିବାରିକ ବ୍ୟବସାୟର କେନ୍ଦ୍ରସ୍ଥଳ ଭାବେ ବ୍ୟବହାର କରନ୍ତି; ତେବେ ସେଠାରେ ଅଫିସ୍ ଅଫ୍ ପ୍ରଫିଟ୍ କଥାଟି ଉଠେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ କ୍ୟାବିନେଟ୍ରେ ଏକାଧିକ ମନ୍ତ୍ରୀ ସାମ୍ବିଧାନିକ ପଦପଦବୀକୁ ପାରିବାରିକ ବ୍ୟବସାୟ କ୍ଷେତ୍ରରେ ବ୍ୟବହାର କରୁଛନ୍ତି। ସେମାନଙ୍କ ଭିତରୁ କେନ୍ଦ୍ରମନ୍ତ୍ରୀ ଅମିତ ଶାହ, ଜେପି ନଡ୍ଡା ଓ କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀ ସର୍ବାଧିକ ଫାଇଦା ହାସଲ କରୁଥିବାର ନଜିର ରହିଛି। ବିଜେପିରେ ପାରିବାରିକ ଶାସନର ପ୍ରଶ୍ନ ନାହିଁ ବୋଲି ନରେନ୍ଦ୍ର ମୋଦିଜୀ ଯାହା ପ୍ରଚାର ଓ ପ୍ରସାର କରୁଛନ୍ତି। ତାହା ସଂପୂର୍ଣ୍ଣ ମିଛ।
ବହୁ ସରକାରୀ ପଦାଧିକାରୀ ସରକାରୀ କାର୍ଯ୍ୟାଳୟକୁ ‘ଅଫିସ୍ ଅଫ୍ ପ୍ରଫିଟ୍’ରେ ପରିଣତ କରିଛନ୍ତି, କରିଥିଲେ ଓ କରୁଥିବେ। ‘ନା ଖାଉଙ୍ଗା ନା ଖାନେଦୁଙ୍ଗା’। ୟା’ର ମତଲବ କ’ଣ? ଠାକୁର ଘରେ କିଏ? ‘ମୁଁ କଦଳୀ ଖାଇନି’।
ବ୍ୟକ୍ତିଗତ ଡ୍ରୋନ୍ କମ୍ପାନୀରେ ଟଙ୍କା ଖଟାଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦୁଇପୁଅ ବେଶ ଦୁଇପଇସା କମାଉଛନ୍ତି। ବର୍ତମାନର ବିଶ୍ୱ ଭୂ-ରାଜନୈତିକ ପରିସ୍ଥିତି ଓ ଚାଲିଥିବା ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପରିବାରକୁ ନେଇ ଏକ ସମ୍ବେଦନଶୀଳ ତଥ୍ୟ ସାମ୍ନାକୁ ଆସିଛି। ଟ୍ରମ୍ପଙ୍କ ଦୁଇ ପୁଅ, ଏରିକ ଟ୍ରମ୍ପ ଓ ଡୋନାଲ୍ଡ ଟ୍ରମ୍ପ ଜୁନିଅର, ପ୍ରତିରକ୍ଷା କ୍ଷେତ୍ରରେ ବ୍ୟବହୃତ
ହେଉଥିବା ଅତ୍ୟାଧୁନିକ ଡ୍ରୋନ୍ ନିର୍ମାଣକାରୀ କମ୍ପାନୀରେ ଜଣେ ଜଣେ ‘ଟାଣୁଆ ନିବେଶକ’ ବୋଲି ଜଣାପଡ଼ିଛି।
ଏହି ଖବର ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ହୋଇଛି, କାରଣ ଏହା ସରକାରଙ୍କ ସାମରିକ ନୀତି ଏବଂ ରାଷ୍ଟ୍ରପତିଙ୍କ ପରିବାରର ବ୍ୟକ୍ତିଗତ ବ୍ୟବସାୟିକ ସ୍ୱାର୍ଥ ମଧ୍ୟରେ ଥିବା ସୀମାରେଖାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ସୋମବାର ଦିନ ଅରିଅସ୍ ଗ୍ରୀନୱେ ହୋଲ୍ଡିଂସ୍ ଇନକର୍ପୋରେଟେଡ୍ (ଏଜିଏଛ୍) ପକ୍ଷରୁ ଜାରି ହୋଇଥିବା ଏକ ପ୍ରେସ୍ ରିଲିଜ୍ ଅନୁଯାୟୀ, ଏରିକ ଓ ଡୋନାଲ୍ଡ ଜୁନିଅର ସ୍ୱୟଂଶାସିତ ଡ୍ରୋନ୍ ତିଆରି କରୁଥିବା କମ୍ପାନୀ ‘ପାୱାର୍ସ’ ରେ ବଡ଼ ଧରଣର ନିବେଶ କରିଛନ୍ତି। ଏଥିସହିତ ସେମାନେ ଫ୍ଲୋରିଡ଼ାରେ ଗଲ୍ଫ କୋର୍ସ ପରିଚାଳନା କରୁଥିବା ସଂସ୍ଥା ଅରିଅସ୍ ଗ୍ରୀନୱେ ସହ ମଧ୍ୟ ଜଡ଼ିତ ଅଛନ୍ତି।
ଅରିୟସ୍ ଗ୍ରୀନୱେର ମଧ୍ୟବର୍ତୀକାଳୀନ ସିଇଓ ମାଥ୍ୟୁ ସେକର ଏହି ବ୍ୟବସାୟିକ ସମ୍ପର୍କକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ଏହି ବ୍ୟବସାୟିକ ସମ୍ପର୍କ କେବଳ ନିବେଶକଙ୍କ ପାଇଁ ଏକ ଆକର୍ଷଣୀୟ ସୁଯୋଗ ନୁହେଁ, ବରଂ ବର୍ତମାନର ବିଶ୍ୱସ୍ତରୀୟ ଅନିଶ୍ଚିତତା ଓ ସାମରିକ ଆବଶ୍ୟକତା ଦୃଷ୍ଟିରୁ ଏହା ଅଧିକ ପ୍ରାସଙ୍ଗିକ।
ଏହାର ସିଧାସଳଖ ଅର୍ଥ ହେଉଛି, ଯେତେବେଳେ ଦୁନିଆରେ ଯୁଦ୍ଧର ସ୍ଥିତି ଉପୁଜୁଛି, ସେତେବେଳେ ଡ୍ରୋନ ଚାହିଦା ବଢୁଛି। ଆଉ ଏହି ବର୍ଦ୍ଧିତ ଚାହିଦା ଫଳରେ ଟ୍ରମ୍ପଙ୍କ ପୁଅମାନେ ବିପୁଳ ମାତ୍ରାରେ ମୁନାଫା ଅର୍ଜନ କରୁଛନ୍ତି। ଡ୍ରୋନ୍ ଟେକ୍ନୋଲୋଜିର ବ୍ୟବହାର ବୃଦ୍ଧି ପାଉଥିବା ବେଳେ, ଟ୍ରମ୍ପଙ୍କ ପରିବାରର ଏହି ନିବେଶ ସେମାନଙ୍କୁ ଆର୍ଥିକ ଭାବେ ଶକ୍ତିଶାଳୀ କରୁଛି। ମାତ୍ର ସାର୍ବଜନୀନ ପଦବୀରେ ଥାଇ ପରିବାରର ଏଭଳି ବ୍ୟବସାୟିକ କାରବାର ଆମେରିକା ରାଜନୀତିରେ ଏକ ନୂଆ ବିବାଦର ସୂତ୍ରପାତ କରିଛି। ବିଶେଷଜ୍ଞମାନେ ଏହାକୁ ‘ଲାଭଜନକ ନିବେଶ’ କହିବେ ନା ‘ରାଜନୈତିକ ପ୍ରଭାବର ଅପବ୍ୟବହାର’, ତାହା ଏବେ ବଡ଼ ପ୍ରଶ୍ନ।
କଥାରେ ଅଛି, ବଡ଼ଲୋକଙ୍କୁ ଜବାବ ନାହିଁ। କ୍ଷମତାର ଅପବ୍ୟବହାର କରୁଥିବା ବ୍ୟକ୍ତି ଓ ସେମାନଙ୍କ ପରିବାରକୁ ଦେଶର ଜନତା ମିଳିମିଶି ଦେଶାନ୍ତର କରିଦେବା ଉଚିତ। ମାତ୍ର ଏଭଳି ପଦକ୍ଷେପ ଗ୍ରହଣ କରିବାକୁ ଆମ ଜନତାଙ୍କର ସତ୍ସାହସ ଅଛି?
ସୁଭଦ୍ରା ଟଙ୍କା ଲୋଭରେ ଯୋଉ ମହିଳା ନିଜର ଭୋଟଖଣ୍ଡିକୁ ବିକି ଦେଇପାରୁଛନ୍ତି, ସେହି ମହିଳା ଓ ସେମାନଙ୍କ ପରିବାର ଦୁର୍ନୀତି ଓ ଭ୍ରଷ୍ଟାଚାରୀ ନେତାଙ୍କ ବିରୋଧରେ ପାଟି ଫିଟାଇବାର ସତ୍ସାହସ ହରାଇଛନ୍ତି।