ପଟ୍ଟାଙ୍ଗି/ସୁନାବେଡା: ଜବାହାର ନବୋଦୟ ବିଦ୍ୟାଳୟର ତିନିଜଣ ଛାତ୍ରଙ୍କ ମୃତ୍ୟୁ ଘଟଣାର ମାତ୍ର ତିନିଦିନ ପରେ ପୁଣି ଜଣେ ଆଶ୍ରମ ବିଦ୍ୟାଳୟ ଛାତ୍ରଙ୍କ ମୃତ୍ୟୁକୁ ନେଇ କୋରାପୁଟ ଜିଲ୍ଲାରେ ଶୋକାକୁଳ ପରିବେଶ ସହ ତୀବ୍ର ଉତେଜନା ଦେଖାଦେଇଛି। ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ରେଙ୍ଗା ଆଶ୍ରମ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ର ସୁହାନ ଖରାଙ୍କ ମୃତ୍ୟୁ ଏବେ ରହସ୍ୟ ଘେରରେ। ସୁହାନଙ୍କ ମୃତ୍ୟୁକୁ ନେଇ ବିଦ୍ୟାଳୟ କର୍ତୃପକ୍ଷ ଓ ଶିକ୍ଷକଙ୍କ ବୟାନରେ ତାଳମେଳ ରହୁ ନଥିବା ଅଭିଯୋଗ ହୋଇଛି।
ଶିକ୍ଷକ ଓ ପିଅନଙ୍କ କହିବା ଅନୁସାରେ, ପରୀକ୍ଷା ପରେ ସୁହାନ ଓ ତାଙ୍କର ତିନିଜଣ ସାଙ୍ଗ ନିକଟସ୍ଥ ନଦୀକୁ ଗାଧୋଇବାକୁ ଯାଇଥିଲେ। ସେଠାରେ ସୁହାନ ଅଚେତ ହେବାରୁ ସାଙ୍ଗମାନେ ତାଙ୍କୁ ସ୍କୁଲକୁ ଆଣିଥିଲେ। ହେଲେ ପ୍ରଧାନ ଶିକ୍ଷକ ଅଖିଳ କୁମାର ଦାସଙ୍କ କହିବାନୁସାରେ, ଛାତ୍ର ଜଣକ ବାଥରୁମ୍ରେ ପଡ଼ି ଅଚେତ ହୋଇଥିଲେ। ଅପରପକ୍ଷେ ଡାକ୍ତରୀ ରିପୋର୍ଟ ଅନୁଯାୟୀ କୁନ୍ଦୁଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯିବା ପୂର୍ବରୁ ହିଁ ସୁହାନଙ୍କ ମୃତ୍ୟୁ ହୋଇସାରିଥିଲା ବୋଲି ଡାକ୍ତର କହିଛନ୍ତି। ତଥ୍ୟର ଏହି ବିଭ୍ରାଟ ଯୋଗୁ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ମୃତ ଛାତ୍ରଙ୍କ ସମ୍ପର୍କୀୟ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା।
ସମ୍ପର୍କୀୟଙ୍କ ପ୍ରଶ୍ନବାଣରେ ପ୍ରଧାନ ଶିକ୍ଷକ ଦାସ ଚେତାଶୂନ୍ୟ ହୋଇପଡ଼ିବାରୁ ତାଙ୍କୁ କୋରାପୁଟ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ପଟ୍ଟାଙ୍ଗି ଥାନା ଏସ.ଆଇ. ହିମାଂଶୁ ବେନିଆ ଓ ଏ.ଏସ.ଆଇ. ମାଧବ ତାଡିଙ୍ଗି ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି। ପୁଲିସ ବିଦ୍ୟାଳୟର ଶିକ୍ଷକ, ପିଅନ ଓ ସୁହାନଙ୍କ ସହ ଥିବା ତିନିଜଣ ସାଙ୍ଗଙ୍କୁ ପଚରାଉଚରା କରିଛି। ଜିଲ୍ଲା ମଙ୍ଗଳ ଅଧିକାରୀ ସୁନୀଲ କୁମାର ତାଣ୍ଡ କହିଛନ୍ତି ଯେ, ଘଟଣାର ଉଭୟ ପୁଲିସ ଓ ବିଭାଗୀୟ ତଦନ୍ତ ଜାରି ରହିଛି।
ମୃତକଙ୍କ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ପ୍ରକୃତ ସତ୍ୟାସତ୍ୟ ଜଣାପଡ଼ିବ। ମୃତ ସୁହାନଙ୍କ ମାଆ କୁନି ଖରା କହିଛନ୍ତି ଯେ, ସୁହାନ ଫୋନରେ ତାଙ୍କୁ ପରୀକ୍ଷା ସରିଲେ ଘରକୁ ନେବା ପାଇଁ ଆସିବୁ ବୋଲି କହିଥିଲା। ସୁହାନଙ୍କ ମୃତ୍ୟୁ ପରେ ତାଙ୍କ ବିଧବା ମାଆ ଏବେ ସମ୍ପୂର୍ଣ୍ଣ ବେସାହାରା ହୋଇପଡ଼ିଛନ୍ତି।