ଗୁରୁ ସିଂହାରୀ ଶ୍ୟାମସୁନ୍ଦର କରଙ୍କ ୧୧୮ତମ ଜୟନ୍ତୀ ପାଳିତ
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ …..
ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପକ୍ଷରୁ ଓଡ଼ିଶୀ ସଙ୍ଗୀତର ମଉଡ଼ମଣି ଓ ଆଦ୍ୟଗୁରୁ ସିଂହାରୀ ଶ୍ୟାମସୁନ୍ଦର କରଙ୍କ ୧୧୮ତମ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି।ଆଜିର କାର୍ଯ୍ୟକ୍ରମରେ ସଂସ୍କୃତି ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ଦେବ ପ୍ରସାଦ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।ନିଜର ଅଭିଭାଷଣରେ ଶ୍ରୀ ଦାଶ ଗୁରୁ ସିଂହାରୀ ଶ୍ୟାମସୁନ୍ଦର କରଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ।
ସେ କହିଥିଲେ ଯେ, “ଗୁରୁ ସିଂହାରୀ ଶ୍ୟାମସୁନ୍ଦର ଏକାଧାରରେ ଥିଲେ ଜଣେ ସୁଦକ୍ଷ ମର୍ଦ୍ଦଳ ବାଦକ, ଗାୟକ ଏବଂ ନୃତ୍ୟ ସଂଯୋଜକ। ବହୁ ଗୁଡ଼ିଏ ଓଡ଼ିଶୀ ସଙ୍ଗୀତର ସ୍ୱର ସଂଯୋଜନା କରି ସେ ଓଡ଼ିଶୀ ସଙ୍ଗୀତର ମାନ ବର୍ଦ୍ଧନ କରିଛନ୍ତି।ତାଙ୍କର ସଙ୍ଗୀତ ସାଧନା ଓ ସଙ୍ଗୀତ ନିମନ୍ତେ ଉତ୍ସର୍ଗୀକୃତ ଜୀବନ ଆମ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ।”ଆଜି ଗୁରୁ ସିଂହାରୀ ଶ୍ୟାମସୁନ୍ଦରଙ୍କ ଜୟନ୍ତୀ ଅବସରରେ ଡକ୍ଟର ବିଜୟ କୁମାର ଜେନା, ଶ୍ରୀ ସୀମାଞ୍ଚଳ ଦାସ, ଶ୍ରୀମତୀ ସଙ୍ଗୀତା ପଣ୍ଡା ଓଡ଼ିଶୀ ସଙ୍ଗୀତ ପରିବେଷଣ କରିଥିଲେ, ଯାହାକି ଦର୍ଶକମାନଙ୍କୁ ବିମୋହିତ କରିଥିଲା।
ଆଜିର କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ଶ୍ୟାମାମଣି ଦେବୀ, ଗୁରୁ ଗୋପାଳ ଚନ୍ଦ୍ର ପଣ୍ଡା, ଗୁରୁ ରାମହରି ଦାସ, ଗୁରୁ ଘନଶ୍ୟାମ ପଣ୍ଡା, ଡ଼କ୍ଟର କୀର୍ତ୍ତନ ନାରାୟଣ ପାଢ଼ୀ, ଡ଼କ୍ଟର ଶାନ୍ତୁନୁ କୁମାର ରଥ, ଶ୍ରୀଯୁକ୍ତ ପ୍ରଫୁଲ୍ଲ ମିଶ୍ର, ଆକାଶବାଣୀର ପୂର୍ବତନ ନିର୍ଦ୍ଦେଶକ ତଥା ବିଶିଷ୍ଟ କଣ୍ଠଶିଳ୍ପୀ ଶ୍ରୀମତି ସୁଧା ମିଶ୍ର, ଦୂରଦର୍ଶନର ପୂର୍ବତନ ନିର୍ଦ୍ଦେଶକ ତଥା ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ଶ୍ରୀମତୀ ଦୀପ୍ତି ମିଶ୍ର, ଓଡ଼ିଶୀ ନୃତ୍ୟ ଗୁରୁ ଶ୍ରୀ ବିଚିତ୍ରାନନ୍ଦ ସ୍ବାଇଁ, ନୃତ୍ୟ ଗୁରୁ ପିତାମ୍ବର ବିଶ୍ବାଳ, ବିଶିଷ୍ଟ ମର୍ଦଳ ବାଦକ ଶ୍ରୀଯୁକ୍ତ ଧନେଶ୍ୱର ସ୍ବାଇଁ ଏବଂ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶକ ଶ୍ରୀମତୀ ଶୁଚିସ୍ମିତା ମନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।