କୁଟିଆ କନ୍ଧଙ୍କ ଗୁହାରି ଶୁଣିଲେ ଜିଲ୍ଲାପାଳ

ସ୍ୱାଧୀନତାର ୭୮ ବର୍ଷ ପରେ ଆଜି ଜଣେ ଯୁବ ଜିଲ୍ଲାପାଳ …

ବାଲିଗୁଡ଼ା: ସ୍ୱାଧୀନତାର ୭୮ ବର୍ଷ ପରେ ଆଜି ଜଣେ ଯୁବ ଜିଲ୍ଲାପାଳ ବେଲଘରରେ ପହଂଚି ଆଦିମ ଜନଜାତି କୁଟିଆ କନ୍ଧ (ପିଭିଟିଜି)ମାନଙ୍କ ଅଭିଯୋଗ ଶୁଣିଛନ୍ତି। ବିଗତ ଦିନରେ ବାଇକରେ ଯାଇ କୁଟିଆ ଗାଁରେ ପହଂଚି ସମସ୍ୟା ଦେଖିବା ସହ ସରକାରଙ୍କ ଯୋଜନା ଦେଖି ଚର୍ଚ୍ଚାରେ ଥିବା କନ୍ଧମାଳ ଜିଲ୍ଲାପାଳଙ୍କ ଏହି ଜନଶୁଣାଣିକୁ ବିଭିନ୍ନ ମହଲରେ ସ୍ୱାଗତ କରାଯିବା ସହ ଜିଲ୍ଲାପାଳଙ୍କ ପ୍ରୟାସକୁ ପ୍ରଶଂସା କରାଯାଇଛି।

ଏହି ଜନଶୁଣାଣି ବେଲଘରଠାରେ ଥିବା କୁଟିଆ କନ୍ଧ ଉନ୍ନୟନ ସଂସ୍ଥା ସମ୍ବିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିବା ବେଳେ ବେଲଘର, ଗୁମା, ଝିରିପାଣି ଓ ବିଲାମାଳ ପଂଚାୟତରେ ବସବାସ କରୁଥିବା ଆଦିମ ଜନଜାତି କୁଟିଆ କନ୍ଧ (ପିଭିଟିଜି)ମାନେ ସେମାନଙ୍କ ବ୍ୟକ୍ତି ଗତ ସାମୁହିକ ସମସ୍ୟା ନେଇ ଜିଲ୍ଲାପାଳଙ୍କ ନିକଟରେ ପହଂଚିଥିଲେ। କିଭଳି ସରକାରଙ୍କ ଯୋଜନା ଠିକ ରେ ମିଳିପାରୁନି ଓ ଲୋକେ ବିଭିନ୍ନ ଯୋଜନାରୁ ବଂଚିତ ହେଉଛନ୍ତି ଏଭଳି ମାଳମାଳ ସମସ୍ୟା ଜିଲ୍ଲାପାଳଙ୍କ ହସ୍ତଗତ ହୋଇଥିଲା।

ବ୍ୟକ୍ତିଗତ ଓ ସାମୁହିକ ୧୨୫ଟି ମାମଲାକୁ ଗୋଟିଗୋଟି କଇରୀ ଜିଲ୍ଲାପାଳ ଶୁଣିଥିଲେ। କେଉଁ ଗାଁରେ ଶୁଦ୍ଧ ପାନୀୟ ଜଳର ସମସ୍ୟା ରହିଛି  କେଉଁଠି ଲୋକଙ୍କୁ ଆବାସ ଯୋଜନାରୁ ବଂଚିତ ହୋଇଛନ୍ତି। ସବୁଠାରୁ ବିଡମ୍ବନା ରହିଥିଲା ୬୦ରୁ ୭୦ ବର୍ଷର ବୃଦ୍ଧବୃଦ୍ଧାମାନେ ଏବେବି ଭତା ପାଇବାରୁ ବଂଚିତ ହୋଇ ରହିଛନ୍ତି। ବେଲଘର ପଂଚାୟତର ମାଦଲାକୁନାର ରଘୁ ବାରଡୁ ମାଝି ଭତା ପାଉଥିବା ବେଳେ ୧୧ ମାସ ହେଲା ବୟସ ତ୍ରୁଟି ଥିବାରୁ ଭତା ପାଉନାହାନ୍ତି ସେହିଭଳି ଲଲକୁଟାଡୁ ମାଝି ମଧ୍ୟ ବୟସ ୭୦ ପହଂଚିଥିଲେ ମଧ୍ୟ ଭତାରୁ ବଂଚିତ ଅଛନ୍ତି କେବଳ ଏହି ଦୁଇଜଣ ନୁହନ୍ତି ଏଭଳି ବହୁ ବୃଦ୍ଧବୃଦ୍ଧା ଭତାରୁ ବଂଚିତ ରହିଥିବା ଦେଖିବାକୁ ମିଳିଥିଲା।

ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ ଭୋଟର କାର୍ଡ ଓ ଆଧାରକାର୍ଡରେ ବୟସ ଠିକ ନଥିବାରୁ ଏଭଳି ବଂଚିତ ହେଉଥିବା ଜଣାପଡିଥିଲା। ଏହା ପରେ ଜିଲ୍ଲାପାଳ ବେଦ ଭୂଷଣ ଏହାକୁ ଗୁରୁତର ସହ ନେଇ ଡାକ୍ତର ଟିମ ଏହାର ଅନୁଧ୍ୟାନ କରି ଭୋଟର କାର୍ଡ ଓ ଆଧାରକାର୍ଡରେ ଖୁବ ଶୀଘ୍ର ବୟସ ସଂଶୋଧନ କରାଯିବା ସହ ଭତା ଦେବା ପାଇଁ କହିଥିଲେ। ଜିଲ୍ଲାପାଳଙ୍କ ସହ କନ୍ଧମାଳ ଜିଲ୍ଲା ପ୍ରକଳ୍ପ ଅଧିକାରୀ ଶମ୍ଭୁନାଥ ନନ୍ଦୀ, ଉପଜିଲ୍ଲାପାଳ ପ୍ରଣିତା ଦାସ, ଆଦିବାସୀ ଉନ୍ନୟନ ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ  ବେହେରା, ଜିଲ୍ଲା ଶିକ୍ଷାଧିକାରୀ ରାଜେଶ କୁମାର ସ୍ୱାଇଁ ସମେତ ବିଭିନ୍ନ ବିଭାଗର ଅଧିକାରୀ ମାନେ ସାମିଲ ହୋଇଥିଲେ। ବେଲଘର ଠାରେ ଏଭଳି କିଛି ମାସ ବ୍ୟବଧାନରେ ଜନଶୁଣାଣି କରାଗଲେ ଲୋକଙ୍କ ସମସ୍ୟା ଦୂର ହୋଇ ପାରିବ ବୋଲି ବ୍ଲକ ଅଧକ୍ଷ ବାସନ୍ତୀ ମାଝି, ସରପଂଚ ଗୋବିନ୍ଦ ମାଝି, ଗୁମା ସରପଂଚ ସାଞ୍ଜୁ ମଲ୍ଲିକ  ଓ ବିଲାମାଳ ସରପଂଚ ବାବିତା ମାଝି କହିଛନ୍ତି।