ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି। ଶାସକ ଓ ବିରୋଧୀ ଦଳ ମଧ୍ୟରେ ବୟାନବାଜି ସହ ଛକାପଞ୍ଝା ଚାଲିଛି। ବିଶେଷ କରି ବିଜେଡି ଭିତରେ ଉଭୟ ପ୍ରାର୍ଥୀଙ୍କୁ ନେଇ ଅସନ୍ତୋଷ ଥିବାରୁ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ସ୍ଥିତି ବିଗୁଡୁଥିବା ଦେଖି ୧୩ ରୁ ୧୬ ତାରିଖ ପର୍ଯ୍ୟନ୍ତ ବିଧାୟକମାନେ ଭୁବନେଶ୍ୱର ନ ଛାଡିବାକୁ ଦଳ ପକ୍ଷରୁ ହ୍ୱିପ୍ ଜାରି କରାଯାଇଛି। ଅପର ପକ୍ଷରେ ବିଜେପି ଘୋଡାବେପାରରେ ମାତିଛି ବୋଲି ନିଜେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଆରୋପ ଲଗାଇଛନ୍ତି। ଏପଟେ ଦିଲ୍ଲୀପ ରାୟଙ୍କ ବିଜୟ ନେଇ ବିଜେପି ନିଶ୍ଚିତ ଅଛି।
ବିଜେଡିରେ ଏତେ ମାତ୍ରାରେ ଅସ୍ଥିରତା ଦେଖାଦେବାର କାରଣ ହେଉଛି ଦଳରେ ପ୍ରାର୍ଥୀ ଚୟନ। ଜିତିବା ପାଇଁ ଦଳୀୟ ପ୍ରାର୍ଥୀ ସଂତୃପ୍ତ ମିଶ୍ରଙ୍କର ପାଖରେ ସଂଖ୍ୟା ଅଛି। କିନ୍ତୁ ତାଙ୍କ ପ୍ରାର୍ଥିତ୍ୱକୁ ନେଇ ଦଳ ଭିତରେ ଅସନ୍ତୋଷ ଦେଖାଦେଇଛି। ବିଜେଡିରେ ସାମିଲ ହେବାର କମ୍ ଦିନ ଭିତରେ ତାଙ୍କୁ ଅତ୍ୟଧିକ ପ୍ରାଧାନ୍ୟ ମିଳୁଥିବାରୁ ତାହାକୁ ବରିଷ୍ଠ ନେତାମାନେ ସହଜରେ ଗ୍ରହଣ କରି ପାରୁନାହାନ୍ତି। ସେଥିପାଇଁ ବିଧାୟକ ମାନଙ୍କୁ ମନାଇବା ନିମନ୍ତେ ଦଳର ସଭାପତିଙ୍କୁ ବେଶ୍ କସରତ କରିବାକୁ ପଡୁଛି।
ପ୍ରତିଦିନ ବିଧାୟକମାନଙ୍କୁ ଡାକି ନିଜେ ନବୀନ କଥା ହେଉଛନ୍ତି। ଏପରିକି ବିଧାୟକମାନଙ୍କୁ ନିର୍ମାଲ୍ୟ ଛୁଇଁ ଶପଥ ନେବାକୁ କୁହାଯାଉଛି। ସଂତୃପ୍ତ ଓ ସ୍ୱାଧୀନ ପ୍ରାର୍ଥୀ ଡାକ୍ତର ଦତେଶ୍ୱର ହୋତା ବିଧାୟକମାନଙ୍କୁ ବ୍ୟକ୍ତିଗତ ଭାବେ ଭେଟି ସମର୍ଥନ ଲୋଡୁଛନ୍ତି। ଏମିତିରେ ବିଜେଡିରେ ସଂଖ୍ୟା ଯାହା, ଦଳୀୟ ପ୍ରାର୍ଥୀ କାହାକୁ ବ୍ୟକ୍ତିଗତ ଭେଟିବା ଆବଶ୍ୟକ ନାହିଁ। କିନ୍ତୁ ଅସନ୍ତୋଷ ବାରି ହୋଇ ପଡୁଥିବାରୁ ନିଜେ ସଂତୃପ୍ତ ବିଧାୟକମାନଙ୍କୁ ଭେଟୁଥିବା ଚର୍ଚ୍ଚା ଚାଲିଛି।
ଅପର ପକ୍ଷରେ ବିଜେଡି ବିଧାୟକ ମାନଙ୍କୁ ଏକାଠି ରଖିବାକୁ ଦଳ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ସେମାନଙ୍କୁ ହୋଟେଲ ନେବାକୁ କିଛି ନେତା ପ୍ରସ୍ତାବ ଦେଇଥିଲେ। କିନ୍ତୁ ସେ ନେଇ ନିଷ୍ପତି ହୋଇ ପାରି ନଥିଲା। ତେଣୁ ଦଳୀୟ ବିଧାୟକମାନେ ଭୁବନେଶ୍ୱର ନ ଛାଡିବାକୁ ଆଜି ବିଧାୟକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ହ୍ୱିପ୍ ଜାରି କରିଛନ୍ତି। ହ୍ୱିପ୍ ଅନୁଯାୟୀ ୧୩ରୁ ୧୬ ତାରିଖ ପର୍ଯ୍ୟନ୍ତ ବିଧାୟକମାନେ ଭୁବନେଶ୍ୱର ଛାଡି ଯାଇପାରିବେ ନାହିଁ। ସମସ୍ତେ ଏହାକୁ କଡାକଡି ଭାବେ ପାଳନ କରିବେ। ମିଳିଥିବା ସୂଚନା ଅନୁଯାୟୀ ୧୫ ତାରିଖରେ ସବୁ ବିଧାୟକଙ୍କର ନବୀନ ନିବାସରେ ଏକ ବୈଠକ ବସିବ।
ବିଜେପି ଉପରେ ଘୋଡାବେପାର ଆରୋପ ଲଗାଇ ଗଣମାଧ୍ୟମକୁ ନବୀନ କହିଛନ୍ତି, ମଧ୍ୟପ୍ରାଚ୍ୟରେ ଲକ୍ଷାଧିକ ଓଡିଆ ଫସି ରହିଛନ୍ତି। ପରିତାପର ବିଷୟ ଯେ ବିଜେପି ସରକାର ସେମାନଙ୍କ ବିଷୟରେ ଚିନ୍ତା ନକରି ଏଠାରେ ଘୋଡାବେପାର ଉପରେ ଧ୍ୟାନ କେନ୍ଦ୍ରୀଭୂତ କରୁଛି। ଏହା ଦୁଃଖଦାୟକ।
ରବୀନ୍ଦ୍ର ଜେନା ବିଜେପିରେ ଯୋଗ ଦେଲା ପରେ ତାଙ୍କ ପତ୍ନୀ ବିଧାୟିକା ସୁବାସିନୀ ଜେନା ଆଉ ଦଳୀୟ ନିଷ୍ପତି ମାନିବେନି ବୋଲି ଚର୍ଚ୍ଚା ଜୋର ଧରିଛି। ଆଜି ସେ ବିଧାନସଭା ଆସି ନ ଥିବାରୁ ତାଙ୍କ ପ୍ରତିକ୍ରିୟା ଜଣାପଡିନାହିଁ। ତେବେ ଗତକାଲି ତାଙ୍କୁ ଦଳୀୟ ପ୍ରାର୍ଥୀ ସଂତୃପ୍ତ ମିଶ୍ର ସାକ୍ଷାତ କରି ସମର୍ଥନ ଲୋଡିଥିଲେ। କଂଗ୍ରେସ ବିଧାୟକମାନଙ୍କୁ ଏକାଠି ରଖିବାକୁ ପିସିସି ସଭାପତି ଭକ୍ତ ଦାସ ବେଶ୍ କସରତ କରୁଛନ୍ତି। ବିଧାୟକ ମାନଙ୍କର ଘନ ଘନ ବୈଠକ ଡାକି ଆଲୋଚନା କରୁଛନ୍ତି। ରାତ୍ରିଭୋଜନରେ ବି ଏକାଠି ହେଉଛନ୍ତି। କିନ୍ତୁ ଗୋଟିଏ ଜାଗାରେ ସବୁ ବିଧାୟକଙ୍କୁ ଏକାଠି କରିବାରେ ସଭାପତି ଏଯାଏଁ ସଫଳ ହୋଇନାହାନ୍ତି। ତଥାପି ସମସ୍ତେ ଦଳୀୟ ନିଷ୍ପତି ମାନିବେ ବୋଲି ନେତାମାନେ ଜୋର୍ ଦେଉଛନ୍ତି।
ବିଜେପିର ଦୁଇ ଦଳୀୟ ପ୍ରାର୍ଥୀ ଜିତିବା ନେଇ ନିଶ୍ଚିତ ଅଛନ୍ତି। ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କ ପାଇଁ ଗୁପ୍ତ ରଣନୀତି ଜାରି ରହିଛି। ଖୋଲାଖୋଲି ଭାବେ ଦିଲ୍ଲୀପ କେ?ଣସି ବିଧାୟକଙ୍କୁ ଭେଟିଥିବା ଖବର ଏଯାଏଁ ଆସି ନାହିଁ। କିନ୍ତୁ ଦିଲ୍ଲୀପଙ୍କ ପାଇଁ ସଂଖ୍ୟା ଯୋଗାଡ କରିବାରେ ବିଜେପି ପୂରା ଦମ୍ରେ ଉଦ୍ୟମ ଚଳାଇଛି। ନିର୍ବାଚନ ପୂର୍ବଦିନ ସବୁ ବିଧାୟକଙ୍କୁ ଏକ ହୋଟେଲରେ ରଖି ରଣନୀତି ସମ୍ପର୍କରେ ଅବଗତ କରାଯିବ।