ଆଇନଗତ ଲଢେଇ କରିବ ଭୁବନେଶ୍ୱର ଉନ୍ନୟନ ପରିଷଦ

ଭୁବନେଶ୍ୱର ମହାନଗର ନିଗମ ଭରତପୁର ଜୋକଲାଣ୍ଡି ମୌଜାର ……

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ ଭରତପୁର ଜୋକଲାଣ୍ଡି ମୌଜାର ତାରିଣୀ ହାଟରେ ନୂତନ ମାଛ ମାର୍କେଟ ନିର୍ମାଣ ଆଳରେ ପ୍ରାୟ ୩୦ ଜଣ ଗରିବ ଛୋଟ ଛୋଟ ଦୋକାନୀଙ୍କ ଦୋକାନ ଘର ଭାଙ୍ଗି ଦେଇଛି। ଗରିବ ଦୋକାନୀମାନଙ୍କୁ କୌଣସି କ୍ଷତିପୂରଣ କି ଥଇଥାନ ପାଇଁ ବ୍ୟବସ୍ଥା ନକରି ଏମିତି ଭାଙ୍ଗିବାକୁ ଭୁବନେଶ୍ୱର ଉନ୍ନୟନ ପରିଷଦ ଘୋର ନିନ୍ଦା କରିଛି।

ସୂଚନା ଅଧିକାର ଅଭିଯାନ ଆବାହକ ପ୍ରଦୀପ ପ୍ରଧାନ ଭୁବନେଶ୍ୱର ଉନ୍ନୟନ ପରିଷଦ ସଭାପତି ବାସୁଦେବ ଭଟ୍ଟ, ସଂଯୋଜକ ପ୍ରସନ୍ନ ବିଷୋୟୀ, ଅମିତ ଦାଶ ସେଠାକୁ ଯାଇ ଉଚ୍ଛେଦ ସ୍ଥାନ ସହ ତାରିଣୀ ହାଟ ବ୍ୟବସାୟୀ ସଂଘର କର୍ମକର୍ତାଙ୍କ ସହିତ ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ। ମା’ ତାରିଣୀ ହାଟର ବ୍ୟବସାୟୀ ମାନେ ୨୦୦୦ ମସିହାରୁ ଏଠାରେ ଛୋଟ ବ୍ୟବସାୟ କରି ନିଜର ଗୁଜୁରାଣ ମେଂଟାଇ ଆସୁଛନ୍ତି।

ବର୍ତମାନ ସେଠାରେ ଏକ ନୂତନ ମାଛ ମାର୍କେଟ ନିର୍ମାଣ କରିବା ପାଇଁ ପ୍ରାୟ ୩୦ ଜଣଙ୍କ ଦୋକାନ ବେଆଇନ ଭାବେ ଭାଙ୍ଗି ଦିଆଯାଇଛି। ଗରିବ ଦୋକାନୀ ବର୍ତମାନ କିପରି ପରିବାର ଚଳାଇ ଆମ ଗୁଜୁରାଣ ମେଂଟାଇବେ। ଦୋକାନ ଭାଙ୍ଗି ଯିବା ହେତୁ ଉଧାର କରି ଦୋକାନ ନିର୍ମାଣ ଟଙ୍କା ବର୍ତମାନ ବୋଝ ହୋଇଗଲାଣି। ଏପଟେ ଦୋକାନ ବନ୍ଦ ହୋଇ ବେରୋଜଗାର। ପରିବାର ଦୁଃଖରେ ଭାଙ୍ଗି ପଡିଲେଣି। ଉପଯୁକ୍ତ କ୍ଷତିପୂରଣ ଓ ସଠିକ ଥଇଥାନ ପାଇଁ ସେମାନେ ବିଏମ୍‌ସିକୁ ବହୁବାର ଅଭିଯୋଗ କରିଥିଲେ ମଧ୍ୟ କିଛି ଫଳ ମିଳିନି।ଏହି ଅସୁବିଧା ଦୂର ପାଇଁ ତୁରନ୍ତ ପଦକ୍ଷେପ ନେଇ ପେଟପାଟଣା ଓ ରୋଜଗାର ପ୍ରଦାନ ହେତୁ ହାଟ ବ୍ୟବସାୟ କମିଟି ଆଗକୁ ଆନ୍ଦୋଳନ ସହ ଆଇନଗତ ଲଢେଇ କରିବ।