ଜନଗଣନାର ନୂତନ ସୂତ୍ର: ଲିଭ୍-ଇନ୍ ସମ୍ପର୍କକୁ ସ୍ୱାମୀ-ସ୍ତ୍ରୀ ମାନ୍ୟତା
ସମୟ ସୁଅରେ ପାରମ୍ପରିକ ବିବାହ ପଦ୍ଧତି ଲୋପ ପାଇବାର …..
ନୂଆଦିଲ୍ଲୀ: ସମୟ ସୁଅରେ ପାରମ୍ପରିକ ବିବାହ ପଦ୍ଧତି ଲୋପ ପାଇବାର ମୂଳଦୁଆ ଆରମ୍ଭ କରିଛନ୍ତି ଆମ ଲୋକପ୍ରିୟ ସରକାର।
ଭାରତରେ ଲିଭ୍ ଇନ୍ ରିଲେସନସିପ୍ ଭଳି ଆଧୁନିକ ସମ୍ପର୍କକୁ ମିଳିବାକୁ ଯାଉଛି ସାମାଜିକ ସ୍ୱୀକୃତି। ଏଥର ଜନଗଣନାରେ ଲିଭ୍ ଇନ୍ କପୁଲଙ୍କୁ ନୂଆ ନିୟମ ମାନିବାକୁ ପଡ଼ିବ। ଲିଭ୍ ଇନ୍ ଦମ୍ପତି ଏବେ ବିବାହିତ ଲିଷ୍ଟରେ ସାମିଲ ହେବେ।
ସମାନ ପରିବାରରେ ଏକାଠି ରହୁଥିବା ଲିଭ୍ ଇନ୍ ଦମ୍ପତି ମାନଙ୍କୁ ଏହି ଜନଗଣନାରେ ବିବାହିତ ବିବେଚନା କରାଯିବ। ଜନଗଣନା ପୋର୍ଟାଲରେ ଏହା ସ୍ପଷ୍ଟ କରାଯାଇଛି। ସରକାରଙ୍କ ଅନୁଯାୟୀ ଯଦି ଲିଭ୍ ଇନ୍ରେ ରହୁଥିବା ପୁରୁଷ ଓ ମହିଳା ସେମାନଙ୍କର ସମ୍ପର୍କକୁ ଏକ ସ୍ଥିର ସମ୍ପର୍କ ବୋଲି ବିବେଚନା କରନ୍ତି। ତେବେ ଜନଗଣନା ସମୟରେ ହେଉ କିମ୍ବା ଜଣେ ଗଣକ ପରିବାରକୁ ଗସ୍ତ କରିବା ସମୟରେ ହେଉ ସେମାନଙ୍କୁ ଜଣେ ବିବାହିତ ଦମ୍ପତି ଭାବେ ରେକର୍ଡ କରାଯିବ।
ଅଧିକାରୀମାନେ କହିଛନ୍ତି ପୂର୍ବ ଜନଗଣନା ସମୟରେ ମଧ୍ୟ ନିଜକୁ ବିବାହିତ ବୋଲି ଘୋଷଣା କରିଥିବା ଅବିବାହିତ ଦମ୍ପତିମାନଙ୍କୁ ସମାନ ଭାବେ ରେକର୍ଡ କରାଯାଇଥିଲା। ସମାଜର ପରିବର୍ତିତ ଗଠନକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଭୋଟ୍ ଆଇଡି ସଂଶୋଧନ ଆଇନ୍ ଆଜିଠୁ ସେପ୍ଟେମ୍ବର ୩୦ ମଧ୍ୟରେ ୪୫ ଦିନ ପାଇଁ ଚାଲିବ। ପ୍ରତ୍ୟେକ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଂଚଳ ଦ୍ୱାରା ପୃଥକ ଭାବେ ତାରିଖ ସୂଚିତ କରାଯିବ। ପ୍ରଥମ ୧୫ ଦିନ ସ୍ୱୟଂ ଗଣନା ପାଇଁ ହେବ। ତା’ପରେ ଗଣନାକାରୀଙ୍କ ଦ୍ୱାରା କ୍ଷେତ୍ର ପରିଦର୍ଶନ ପାଇଁ ୩୦ ଦିନର ଅବଧି ରହିବ।
ପରମ୍ପରାକୁ ଜାବୁଡ଼ି ଧରିଥିବା ପରିବାର ଏହି ଧରଣର ପତି-ପତ୍ନୀ ସ୍ୱୀକୃତିକୁ ପାରମ୍ପରିକ ବିବାହ ପ୍ରଥା ପ୍ରତି ଏକ ଚାଲେଞ୍ଜ ଦୃଷ୍ଟିରେ ଦେଖୁଛନ୍ତି। ଅନ୍ୟପକ୍ଷରେ ଯୁବପିଢି ଏବଂ ନାଗରିକ ଅଧିକାରକର୍ମୀମାନେ ଏହାକୁ ବ୍ୟକ୍ତିଗତ ସ୍ୱାଧୀନତା ଏବଂ ସମ୍ପର୍କର ଆଧୁନିକ ରୂପକୁ ସ୍ୱୀକୃତି ଦେବାର ଏକ ଐତିହାସିକ ପଦକ୍ଷେପ ବୋଲି ବିବେଚନା କରୁଛନ୍ତି।
ଜନଗଣନା ସମୟରେ ଦିଆଯାଇଥିବା ବ୍ୟକ୍ତିଗତ ତଥ୍ୟ ସମ୍ପୂର୍ଣ୍ଣ ଗୋପନୀୟ ରହିବ। ଆରଟିଆଇ ତଥ୍ୟରେ ମଧ୍ୟ ସାର୍ବଜନୀନ କରାଯିବ ନାହିଁ। ଧାରା ୧୫ ଅନୁସାରେ ବ୍ୟକ୍ତିଗତ ତଥ୍ୟ ସମ୍ପୂର୍ଣ୍ଣ ଭାବେ ଗୋପନୀୟ ରଖାଯିବ। ଏହି ତଥ୍ୟକୁ କୋର୍ଟରେ ପ୍ରମାଣ ଭାବରେ ମଧ୍ୟ ଉପସ୍ଥାପନ କରାଯାଇ ପାରିବ ନାହିଁ।
ଏ ନେଇ ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ଜନଗଣନା କମିଶନର ସୂଚନା ଦେଇଛନ୍ତି। ସେହିପରି ଜନଗଣନା ଅଧିକାରୀ ମାନଙ୍କୁ ଏକ କଠୋର ଚେତାବନୀ ଦେଇଛନ୍ତି।
ତଥ୍ୟର ଅବହେଳା କିମ୍ବା ଅପବ୍ୟବହାର ଜନଗଣନା କାର୍ଯ୍ୟରେ ବାଧା ସୃଷ୍ଟି କରିବା କିମ୍ବା ନାଗରିକ ମାନଙ୍କୁ ଜାଣିଶୁଣି ଅପମାନଜନକ କିମ୍ବା ଅନୁପଯୁକ୍ତ ପ୍ରଶ୍ନ ପଚାରିବା ଅପରାଧ ଭାବେ ଧରାଯିବ। ଏପରି ଉଲଂଘନ ଜନଗଣନା ଆଇନ୍ ୧୯୪୮ ଅନୁଯାୟୀ ଦଣ୍ଡନୀୟ ଅପରାଧ। ଏହାର ଫଳସ୍ୱରୂପ ଜରିମାନା ଏବଂ ୩ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ହୋଇପାରେ। ଆଗାମୀ ଜନଗଣନାର ସମଗ୍ର ପ୍ରକ୍ରିୟା ସମ୍ପୂର୍ଣ୍ଣ ଏବଂ ଡିଜିଟାଇଜେସନ୍ ଦ୍ୱାରା କରାଯାଉଛି।
ପ୍ରଥମଥର ପାଇଁ ସମ୍ପୂର୍ଣ୍ଣ କାର୍ଯ୍ୟ ଅନଲାଇନ୍ ରେ କରାଯିବ। ଏହା ନାଗରିକ ମାନଙ୍କୁ ଏକ ସ୍ୱଗଣନା ପ୍ରଣାଳୀ ମାଧ୍ୟମରେ ଏକ ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ସେମାନଙ୍କର ସୂଚନା ଦାଖଲ କରିବାକୁ ଅନୁମତି ଦେବ। ଏବଂ ଅନଲାଇନ୍ ସିଷ୍ଟମ୍ ଲୋକମାନଙ୍କୁ ସିଧାସଳଖ ନିଜେ ସେମାନଙ୍କର ଜନଗଣନା ସୂଚନା ପ୍ରବେଶ କରିବାକୁ ଅନୁମତି ଦେବ।