ବୋରିଗୁମ୍ମା: ଗୁରୁବାର କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକର ଏକ ଆଶ୍ରମ ବିଦ୍ୟାଳୟରେ ଏକ ଦୁଃଖଦ ଘଟଣା ଘଟିଛି। ହଷ୍ଟେଲ୍ରେ ରହି ପଢୁଥିବା ଜଣେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କର ଆକସ୍ମିକ ମୃତ୍ୟୁକୁ ନେଇ ଅଂଚଳରେ ତୀବ୍ର ଉଦ୍ବେଗ ପ୍ରକାଶ ପାଇଛି। ଘଟଣାର ତଦନ୍ତ ନିମନ୍ତେ ପରିବାର ଓ ନିକଟ ସମ୍ପର୍କୀୟଙ୍କ ପକ୍ଷରୁ ଦାବି ହୋଇଛି।
ନୂଆଗାଁ ଆଶ୍ରମ ବିଦ୍ୟାଳୟରେ ଆଜି ପୂର୍ବାହ୍ଣରେ ଜଣେ ୭ମ ଶ୍ରେଣୀ ଛାତ୍ରୀ ସୁବର୍ଣ୍ଣ ଅମନାତ୍ୟ (୧୩)ଙ୍କ ମୃତ୍ୟୁ ଘଟିଥିଲା। ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ପୂର୍ବାହ୍ଣ ୯ଟାରେ ସେମାନଙ୍କୁ ସୁବର୍ଣ୍ଣଙ୍କ ସ୍ୱାସ୍ଥ୍ୟ ଖରାପ ରହିଛି ବୋଲି ସୂଚିତ କରାଯାଇଥିଲା। ଖବର ପାଇ ସେମାନେ ବିଦ୍ୟାଳୟରେ ପହଂଚିଥିଲେ। ଅସୁସ୍ଥ ସୁବର୍ଣ୍ଣଙ୍କୁ ଗାଡି ବ୍ୟବସ୍ଥା କରି ବୋରିଗୁମ୍ମା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ।
ସେଠାରେ ଡାକ୍ତର ସୁବର୍ଣ୍ଣଙ୍କ ମୃତ୍ୟୁ ଘଟିଥିବା କହିଥିଲେ। ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ଚିକିତ୍ସା ସୁବିଧା ମିଳି ନଥିବାରୁ ଏହି ଦୁଃଖଦ ଘଟଣା ଘଟିଛି। ଯଦି ତୁରନ୍ତ ହସ୍ପିଟାଲ୍କୁ ନିଆଯାଇଥାନ୍ତା ତେବେ ସେ ବଂଚି ଯାଇଥାନ୍ତେ। କିନ୍ତୁ ବିଦ୍ୟାଳୟ ପକ୍ଷରୁ ଏଭଳି କୌଣସି ତ୍ୱରିତ ପଦକ୍ଷେପ ନିଆଯାଇ ନଥିଲା।