ମାଓବାଦୀ ପ୍ରସଙ୍ଗ: କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ନବରଙ୍ଗପୁର ସାଂସଦ
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମାର୍ଚ୍ଚ ୩୧ ସୁଦ୍ଧା ଭାରତକୁ …..
ନବରଙ୍ଗପୁର: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମାର୍ଚ୍ଚ ୩୧ ସୁଦ୍ଧା ଭାରତକୁ ମାଓମୁକ୍ତ ଘୋଷଣା କରିଛନ୍ତି। ଏହି ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଶାହାଙ୍କୁ ଭେଟିଛନ୍ତି ନବରଙ୍ଗପୁର ସାଂସଦ ଇଂ. ବଳଭଦ୍ର ମାଝୀ। ଯଦିଓ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ମାଓମୁକ୍ତ ଘୋଷଣାକୁ କାଗଜକଲମରେ ପ୍ରକାଶ କରିବା ସହ ୱେବ୍ ଏବଂ ବିଭିନ୍ନ ପର୍ଯ୍ୟଟନ ସାଇଟ୍ରେ ପ୍ରକାଶ କରିବାକୁ ଅନୁରୋଧ କରିଛନ୍ତି ସାଂସଦ। ଏହା ଫଳରେ ତାଙ୍କ ସଂସଦୀୟ କ୍ଷେତ୍ରରେ ଥିବା ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନ ସ୍ଥଳକୁ ଅନ୍ତଃରାଷ୍ଟ୍ରୀୟ ପର୍ଯ୍ୟଟକଙ୍କ ଆଗମନ ଆରମ୍ଭ ହେବ। ସାଂସଦଙ୍କ ମତରେ ଏବେମଧ୍ୟ ବିଦେଶୀ ପର୍ଯ୍ୟଟକମାନେ ମାଓ ଅଂଚଳ ଭାବି ସେଠାକୁ ବୁଲିବା ପାଇଁ ଯିବାକୁ ଡରୁଛନ୍ତି।
କେନ୍ଦ୍ର ସରକାର ମୁଖ୍ୟତଃ ଏହି ଦୁଇଟି ଜିଲ୍ଲାକୁ ଅଧିକା ପ୍ରଚାର ଓ ପ୍ରସାର କରିବା କଲେ ବିଦେଶୀ ପର୍ଯ୍ୟଟକ ଆସିବା ସହ ପର୍ଯ୍ୟଟନ ଶିଳ୍ପର ବି ଅଭିବୃଦ୍ଧି ହେବ ବୋଲି ଆଲୋଚନା କରିଥିଲେ। ଏହା ସହ ତାଙ୍କ ସଂସଦୀୟ କ୍ଷେତ୍ରର ଗମନାଗମନ (ରେଳ, ଏନ୍ଏଚଏଆଇ), ଆଇନଶୃଙ୍ଖଳା, ଶିକ୍ଷା, ସ୍ୱାସ୍ଥ୍ୟ, ଜଳସେଚନକୁ ନେଇ ଆଲୋଚନା କରିଥିଲେ। ତେଲ ମଧ୍ୟମ ଜଳସେଚନ ପ୍ରକଳ୍ପ ଓ କୋଲାବ ମିଡିଲ ପ୍ରକଳ୍ପ ପାଇଁ ଆଲୋଚନା କରିଥିଲେ। ତେଲ ପ୍ରକଳ୍ପ ହେଲେ ଜିଲ୍ଲାର ସୁଖା ଅଂଚଳ ଚନ୍ଦାହାଣ୍ଡି ଓ କୋଲାବ ମିଡିଲ ପ୍ରକଳ୍ପ ହେଲେ ମାଲକାନଗିରୀ ଜିଲ୍ଲାର ଜଳସେଚନର ଉନ୍ନତି ହେବା ସହ ଚାଷରେ ଅଭିବୃଦ୍ଦି ହେବ ବୋଲି କହିଥିବା କହିଛନ୍ତି ସାଂସଦ।
୨୦୧୯ ମସିହାରେ ବସ୍ତର ଅଂଚଳକୁ କେନ୍ଦ୍ରମନ୍ତ୍ରୀ ଗସ୍ତରେ ଆସିଥିଲେ। ତେବେ ନବରଙ୍ଗପୁର ସାଂସଦୀୟ କ୍ଷେତ୍ରରେ ଗୃହମନ୍ତ୍ରୀ ଆସି ନଥିବାରୁ ପରିଦର୍ଶନରେ ଆସିବା ପାଇଁ ସାଂସଦ ନିମନ୍ତ୍ରଣ କରିଥିଲେ। କେନ୍ଦ୍ରମନ୍ତ୍ରୀ ଗସ୍ତରେ ଆସିଲେ ନିଶ୍ଚିତ ରୂପେ ସଂସଦୀୟ ଅଂଚଳର ବିଭିନ୍ନ କ୍ଷେତ୍ରରେ ଅଭିବୃଦ୍ଧି ହେବ ବୋଲି ସାଂସଦ କହିଛନ୍ତି। ଅଲୋଚନା ଫଳପ୍ରଦ ହେବା ସହ ଗୃହମନ୍ତ୍ରୀ ସକାରାତ୍ମକ ମନ୍ତବ୍ୟ ଦେବା ସହ ଓଡିଶା ଏବଂ ଖାସ୍ କରି ଆଦିବାସୀ ଅଧ୍ୟୁଷିତ ଅଂଚଳର ବିକାଶକୁ ପ୍ରାଥମିକତା ଲକ୍ଷ୍ୟ ବୋଲି କହିଥିବା କହିଛନ୍ତି ସାଂସଦ। ସାଂସଦ ଓ ଗୃହମନ୍ତ୍ରୀଙ୍କ ଭେଟଘାଟ ଆଗାମୀ ଦିନରେ ନବରଙ୍ଗପୁର ସଂସଦୀୟ କ୍ଷେତ୍ର ପାଇଁ କେତେ ଦୂର ଲାଭଜନକ ରହିବ, ତାହା ସମୟ କହିବ।