ଟୁପୁରୁଟାପୁରୁ: ବିଜେପି ମାଲିକାନାକୁ ଗଲା କଳିଙ୍ଗ ଷ୍ଟୁଡିଓ!

କଳିଙ୍ଗ ଷ୍ଟୁଡିଓର ପରିଚାଳନା ଦାୟିତ୍ୱ ବହନ କରିଥିବା …..

ଭୁବନେଶ୍ୱର: କଳିଙ୍ଗ ଷ୍ଟୁଡିଓର ପରିଚାଳନା ଦାୟିତ୍ୱ ବହନ କରିଥିବା ସଂସ୍ଥାର ମାଲିକ କ୍ଷମତାସୀନ ବିଜେପିର ଜଣେ ଟାଣୁଆ କର୍ମୀ। ତେଣୁ ଟେଣ୍ଡର ପ୍ରକ୍ରିୟାରେ ନାନା ଜାଲିଆତି କରାଯାଇଛି ବୋଲି ଚଳଚ୍ଚିତ୍ର ଜଗତର କିଛି ଆଗଧାଡ଼ିର ପ୍ରଯୋଜକ, ଅଭିନେତା, ବିତରକ ଟୁପୁରୁଟାପୁରୁ ହଉଛନ୍ତି। ଓଡ଼ିଆ ଚଳଚ୍ଚିତ୍ର ଆକାଶକୁ ଘୋଟିଛି ରାଜ୍ୟ ସରକାରଙ୍କ କାଳକ୍ଷେପଣ କଳାବାଦଲ। ଓଡ଼ିଶାରେ ଏକମାତ୍ର ସିନେମା ନିର୍ମାଣ ସଂସ୍ଥା ‘କଳିଙ୍ଗ ଷ୍ଟୁଡିଓ’କୁ ଲାଭଜନକ ସଂସ୍ଥାରେ ପରିଣତ କରିବା ପାଇଁ ଓଡ଼ିଶାର ମେଧାବୀ ପ୍ରଶାସକଙ୍କ ନିକଟରେ ଆଗ୍ରହ ନାହିଁ। ଓଡ଼ିଆ ଚଳଚ୍ଚିତ୍ର ଜଗତର ବହୁ ଅଭିନେତା ଅଭିନେତ୍ରୀ ବିଜେଡି ଓ ବିଜେପିରେ ଅଛନ୍ତି।

ମାତ୍ର ସେମାନଙ୍କ ଭିତରୁ କେହି କଳିଙ୍ଗ ଷ୍ଟୁଡ଼ିଓ ଅବା ଓଡ଼ିଆ ଚଳଚ୍ଚିତ୍ର ଦୁନିଆକୁ ଉଠିଆ କରିବା ଭଳି କ୍ଷମତାସୀନ ଦଳ ଉପରେ ଚାପ ପକାଇ ପାରିନାହାନ୍ତି। କ୍ଷମତାସୀନ ଦଳର ତୁଷ୍ଟୀକରଣ ରାଜନୀତି କ୍ରମେ କଳିଙ୍ଗ ଷ୍ଟୁଡ଼ିଓ ପରି ଦୁଧିଆଳି ଗାଈକୁ ଜୀର୍ଣ୍ଣଶୀର୍ଣ୍ଣ କରି ରଖିଛି। ୧୬୪ କୋଟି ଟଙ୍କାରେ କଳିଙ୍ଗ ଷ୍ଟୁଡିଓକୁ ନବୀକରଣ କରାଯାଇଥିଲା; ରାଜ୍ୟ ସରକାର ଉକ୍ତ ଟଙ୍କାରୁ କିଛି ଫାଇଦା ପାଇବେନି ବୋଲି ଏକପ୍ରକାର ଆଶଙ୍କା ସୃଷ୍ଟି କରାଯାଇଚି। ଆସନ୍ତା ୨ ବର୍ଷ ପାଇଁ ଇଡ୍‌କୋ କଳିଙ୍ଗ ଷ୍ଟୁଡିଓକୁ ଘରୋଇ ସଂସ୍ଥା ‘ଯାତ୍ରୀ କର୍ପୋରେଟ୍‌ ସର୍ଭିସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌’ ହାତକୁ ଟେକି ଦେଇଛି। ଅର୍ଥାତ୍‌ କଳିଙ୍ଗ ଷ୍ଟୁଡିଓ ଉଦ୍‌ଘାଟନ ପରେ ଏହାର ରକ୍ଷଣାବେକ୍ଷଣା ଦାୟିତ୍ୱ ନେବ ଏହି ଘରୋଇ ସଂସ୍ଥା। ଏଥିପାଇଁ ‘ଓଡିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ (ଓଏଫ୍‌ଡିସି)’ ଦୁଇ ବର୍ଷ ପାଇଁ ପାଖାପାଖି ୮ କୋଟି ଟଙ୍କା ଖର୍ଚ୍ଚ କରିବ। ଏଥିରୁ ବୁଝାପଡେ, ଯାତ୍ରୀ କର୍ପୋରେଟ୍‌ ସର୍ଭିସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ କଳିଙ୍ଗ ଷ୍ଟୁଡିଓ ରକ୍ଷଣାବେକ୍ଷଣ ବାବଦକୁ ଓଏଫ୍‌ଡିସି ନିକଟରୁ ୮ କୋଟି ନେଇ ଜିରୋ ସର୍ଭିସ୍‌ ପ୍ରଦାନ କରିବ।

ସୂଚନା ଅନୁଯାୟୀ, କଳିଙ୍ଗ ଷ୍ଟୁଡିଓର ରକ୍ଷଣାବେକ୍ଷଣ ଦାୟିତ୍ୱ ନିଜେ ସରକାର ବହନ କରିବେ ନାହିଁ। ବରଂ ଦୁଇ ବର୍ଷ ନିମନ୍ତେ ଏହି ଠିକା ସଂସ୍ଥାକୁ ଏଥିପାଇଁ ନିୟୋଜିତ କରାଯାଇଛି। ଏଥିପାଇଁ ସରକାରଙ୍କ ପକ୍ଷରୁ ସଂପୃକ୍ତ ସଂସ୍ଥାକୁ ପ୍ରାୟ ୬ କୋଟି ୯୦ ଲକ୍ଷ ଟଙ୍କା ପ୍ରଦାନ କରାଯିବ। ଜିଏସ୍‌ଟି ବାବଦ ଅତିରିକ୍ତ ଅର୍ଥ ପ୍ରାୟ ୧ କୋଟି ଟଙ୍କା ମଧ୍ୟ ସରକାର ବହନ କରିବେ। ଇତିମଧ୍ୟରେ ଟେଣ୍ଡର ପ୍ରକ୍ରିୟା ସଂପନ୍ନ ହୋଇଯାଇଛି। ‘ଇଡ୍‌କୋ’ ପକ୍ଷରୁ ମୁଖ୍ୟ ମହାପ୍ରବନ୍ଧକ, (ସିଭିଲ୍‌)ଙ୍କ ସ୍ୱାକ୍ଷରରେ ୩୧.୧୨.୨୫ରେ ଟେଣ୍ଡର ଆହ୍ୱାନ କରାଯାଇଥିଲା। ଟେଣ୍ଡର ପ୍ରକ୍ରିୟାର ସ୍ୱଚ୍ଛତାକୁ ନେଇ ବିଭିନ୍ନ ମହଲରେ ପ୍ରତିବାଦ ଉଠିଲାଣି। ଅଭିଯୋଗ ହୋଇଛି ଯେ ଏହି ଟେଣ୍ଡର ପ୍ରକ୍ରିିୟା ପାଇଁ ‘ଇଡ୍‌କୋ’ର ପରିଚାଳନା ନିର୍ଦ୍ଦେଶକ ବା ଅଧ୍ୟକ୍ଷଙ୍କ ମଞ୍ଜୁରି ନିଆଯାଇନାହିଁ କି ଏଥିପାଇଁ ସରକାରଙ୍କ ପକ୍ଷରୁ ‘ଇଡ୍‌କୋ’କୁ ଅଧିକୃତ ମଧ୍ୟ କରାଯାଇନାହିଁ। କଳିଙ୍ଗ ଷ୍ଟୁଡିଓର ସତ୍ୱାଧିକାରୀ ଓଏଫ୍‌ଡିସିକୁ ମଧ୍ୟ ଟେଣ୍ଡର ସମ୍ବନ୍ଧିତ ସୂଚନା ପ୍ରଦାନ କରାଯାଇ ନାହିଁ। ୨୦୨୫ ଡିସେମ୍ବର ୧୨ରେ ଟେଣ୍ଡରରେ ‘ଯାତ୍ରୀ କର୍ପୋରେଟ୍‌ ସର୍ଭିସ୍‌’ ଦ୍ୱାରା ପ୍ରଦତ ବୈଷୟିକ ପ୍ରତିବେଦନ ବେଳେ ଓଏଫ୍‌ଡିସିକୁ ସଂପୃକ୍ତ କରା ନଯିବା ଏହି ଟେଣ୍ଡର ପ୍ରକ୍ରିୟାର ସ୍ୱଚ୍ଛତା ପ୍ରତି ସନ୍ଦେହ ସୃଷ୍ଟି କରିଛି।

‘କଳିଙ୍ଗ ଷ୍ଟୁଡିଓ’ର ରକ୍ଷଣାବେକ୍ଷଣ ପାଇଁ ‘ଯାତ୍ରୀ କର୍ପୋରେଟ୍‌ ସର୍ଭିସ୍‌’ ମନୋନୀତ ହୋଇଛି ଏବଂ ଷ୍ଟୁଡିଓର ଆୟ ଅସୁଲ କରି ସଂପୃକ୍ତ ସଂସ୍ଥା ସରକାରଙ୍କୁ ପ୍ରଦାନ କରିବ। ଏହି ପ୍ରକ୍ରିୟାରେ ଅର୍ଥ ବାଟମାରଣା ଏବଂ କଳିଙ୍ଗ ଷ୍ଟୁଡିଓର ସଂପୂର୍ଣ୍ଣ ଦାୟିତ୍ୱ ସଂପୃକ୍ତ ଠିକା ସଂସ୍ଥା ପାଖକୁ ଚାଲିଯିବାର ଆଶଙ୍କା ରହିଛି। ଅର୍ଥାତ୍‌ ଓଏଫ୍‌ଡିସି ୮ କୋଟି ଟଙ୍କା ଖର୍ଚ୍ଚ କରିବ, କିନ୍ତୁ ଲାଭ ନେବ ଠିକା ସଂସ୍ଥା। ୨ ବର୍ଷକୁ ୮ କୋଟି ହିସାବରେ ଷ୍ଟୁଡିଓର ରକ୍ଷଣାବେକ୍ଷଣା ପାଇଁ ଓଏଫ୍‌ଡିସି ମାସକୁ ଖର୍ଚ୍ଚ କରିବ ୨୮.୭୫ ଲକ୍ଷ ଟଙ୍କା। ବର୍ତମାନ କଳିଙ୍ଗ ଷ୍ଟୁଡିଓ ଖୋଲିନି, କିନ୍ତୁ ମାସକୁ ଆସୁଛି ପାଖାପାଖି ୪ ଲକ୍ଷ ଟଙ୍କାର ବିଦ୍ୟୁତ୍‌ ବିଲ୍‌। ଷ୍ଟୁଡିଓ ଖୋଲିବା ପରେ ମାସକୁ ବିଦ୍ୟୁତ୍‌ ବିଲ୍‌ ୨୫ ଲକ୍ଷ ଟଙ୍କାରୁ ଅଧିକ ଆସିବ ବୋଲି ଆକଳନ କରାଯାଉଛି, ଯାହା ଓଏଫ୍‌ଡିସି ହିଁ ବହନ କରିବ। ଅର୍ଥାତ୍‌ କଳିଙ୍ଗ ଷ୍ଟୁଡିଓ ପାଇଁ ମାସକୁ ୫୦ ଲକ୍ଷରୁ ଅଧିକ ଟଙ୍କା ଓଏଫ୍‌ଡିସି ଖର୍ଚ୍ଚ କରିବ।

ଯଦି କଳିଙ୍ଗ ଷ୍ଟୁଡିଓ ମାସକୁ ୧ କୋଟି ଟଙ୍କାର ଆୟ ନ କରେ, ତେବେ ଷ୍ଟୁଡିଓ ନବୀକରଣର ମୂଳ ଲକ୍ଷ୍ୟ ଚରିତାର୍ଥ ହେବ ନାହିଁ। ଏହି ପ୍ରକ୍ରିୟାକୁ ତୁରନ୍ତ ବାତିଲ୍‌ କରା ନଗଲେ କଳିଙ୍ଗ ଷ୍ଟୁଡିଓ ନବୀକରଣ ଓ ପୁନଃକ୍ଷମ ଉଦ୍ଦେଶ୍ୟ ସଫଳ ହେବ ନାହିଁ ବୋଲି ସନ୍ଦେହ ପ୍ରକାଶ ପାଉଛି। ଯଦି ଏହି ଆଶଙ୍କା ସତ୍ୟ ହୁଏ ତେବେ କଳିଙ୍ଗ ଷ୍ଟୁଡିଓର ରାଜସ୍ୱ ରୋଜଗାର ତୁଳନାରେ ଠିକା ସଂସ୍ଥାକୁ ପ୍ରଦାନ କରାଯିବାକୁ ଥିବା ରକ୍ଷଣାବେକ୍ଷଣ ଖର୍ଚ୍ଚ ଗୁରୁତର ଭାବରେ ଅସନ୍ତୁଳିତ ହେବା ନେଇ ଆଶଙ୍କା ଦେଖାଦେଇଛି। ଏ ସଂପର୍କରେ ଓଏଫ୍‌ଡିସି ପକ୍ଷରୁ କୁହାଯାଇଛି, ବୈଷୟିକ ଟିମ୍‌ ଓ ମାନବ ସମ୍ବଳର ଅଭାବ ଯୋଗୁଁ ସେମାନେ ଇଡ୍‌କୋ ଉପରେ ନିର୍ଭରଶୀଳ। ଏଣୁ ଟେଣ୍ଡର ପ୍ରକ୍ରିୟାରେ ଇଡ୍‌କୋର ବୈଷୟିକ ଟିମ୍‌ ସାମିଲ ରହିଥିଲେ।