ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହର ସହିତ ସରିଲା ଗୁଡ୍ ଫ୍ରାଇଡେ
ଗୁଡ୍ ଫ୍ରାଇଡେ ପାଇଁ କନ୍ଧମାଳ ଜିଲ୍ଲା ଉତ୍ସବ ମୁଖର …..
ଦାରିଙ୍ଗବାଡି: ଗୁଡ୍ ଫ୍ରାଇଡେ ପାଇଁ କନ୍ଧମାଳ ଜିଲ୍ଲା ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଂଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ ପାଳିତ ହୋଇଯାଇଛି। ଉକ୍ତ ବ୍ଲକର ବ୍ରାହ୍ମଣୀଗାଁ ସମେତ ଗଦାପୁର, କାଟିଙ୍ଗିଆ, ତାଜୁଙ୍ଗିଆ, ସରାମୁଳି, ହାତୀମୁଣ୍ଡା, ସିମନବାଡି, ଦାରିଙ୍ଗବାଡି ଆଦି ଅଂଚଳରେ ପାଳନ କରାଯାଇଥିବା ବେଳେ ୪୦ ଦିନ ଧରି ଚାଲିଥିବା ଉପାସନା ଆଜି ପୂର୍ଣ୍ଣାହୁତି ହୋଇଯାଇଛି। ଏହି ପ୍ରରିପ୍ରେକ୍ଷୀରେ ଦାରିଙ୍ଗବାଡି କ୍ୟାଥିଲିକ ଚର୍ଚ୍ଚରେ ପବିତ୍ର ଭାବନା ଓ ଭାବବିହୋଳ ମାହୋଲ ସୃଷ୍ଟି ହୋଇଥିଲା।
ଗୁଡ୍ ଫ୍ରାଇଡେରେ ଶ୍ରଦ୍ଧାଳୁମାନେ ଏକତ୍ରିତ ହୋଇ ପ୍ରଭୁ ଯୀଶୁଙ୍କର ଯାତନା ଓ ବଳିଦାନକୁ ସ୍ମରଣ କରିଥିଲେ। ଦାରିଙ୍ଗବାଡି ପାରିସରେ ଧର୍ମ ଯାଜକ ଏଫ୍ଆର କରୁଣାକର ଦିଗାଲ ଏବଂ ରାଜୀବ ସିଂଙ୍କ ଦ୍ୱାରା ସାମୁହିକ ପ୍ରାର୍ଥନା, ଯଜ୍ଞ, ଆଦି ସମ୍ପାଦନା କରାଯାଇଥିଲା। ଯାହା କି ଶ୍ରଦ୍ଧାଳୁଙ୍କ ମଧ୍ୟରେ ପବିତ୍ର ଭାବନା ଜାଗ୍ରତ ହୋଇଥିଲା। ସେହିପରି ଚର୍ଚ୍ଚରେ ଯୁବତୀ ଯୁବକଙ୍କ ଦ୍ୱାରା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଯାତନା ତଥା ତାଙ୍କ କାହାଣୀକୁ ଅଭିନୟ ମାଧ୍ୟମରେ ଦର୍ଶାଇଥିଲେ ଯାହାକି ଜୀବନ୍ତ ଦୃଶ୍ୟକୁ ଉପସ୍ଥିତ ଶ୍ରଦ୍ଧାଳୁମାନେ ଉପଭୋଗ କରିବା ସହ ଏହା ଦେଖୁଥିବା ଦର୍ଶକମାନେ ସ୍ପର୍ଶକାରୀ ଦୃଶ୍ୟ ଦେଖି ନିଜ ଭାବନାକୁ ରୋକି ପାରି ନ ଥିଲେ। ସମସ୍ତଙ୍କ ଆଖିରୁ ଲୁହ ଆସିଯାଇଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ଯୀଶୁଙ୍କର ଅସହ୍ୟ ଯନ୍ତ୍ରଣାକୁ ମନେ ପକାଇ, ଯେପରି ଏକ ମା’ ନିଜ ସନ୍ତାନର କଷ୍ଟକୁ ଦେଖି ଭାଙ୍ଗି ପଡେ, ସେପରି ସମସ୍ତଙ୍କ ହୃଦୟ ଦୁଃଖରେ ଭରିଯାଇଥିଲା।
ସେହି ଲୁହ କେବଳ ଦୁଃଖର ନୁହେଁ, ବରଂ ପ୍ରଭୁଙ୍କ ପ୍ରତି ଅସୀମ ପ୍ରେମ ଓ ଭକ୍ତିର ପ୍ରତୀକ ଥିଲା ବୋଲି ଯୀଶୁଖ୍ରୀଷ୍ଟ ଶ୍ରଦ୍ଧାଳୁମାନେ ନିଜ ମତ ପ୍ରକାଶ କରିଥିଲେ। ଯୀଶୁଙ୍କର ଅଭିନୟରେ ଝୁନା ମନ୍ତ୍ରୀ ଅଭିନୟ କରିଥିବା ବେଳେ ଅନ୍ୟ ଦୃଶ୍ୟରେ ରିଙ୍କୁ, କାହ୍ନା, ଲଯାର ସଂଗୀତା, କରିନା, କୁଶ୍ମି ଓ ଅନ୍ୟାନ୍ୟ ଯୁବତୀ ଯୁବକ ଅଭିନୟ କରିଥିଲେ।