ଯୁଯୁମୁରା: ଚଳିତ ମାସ ୨୫ ତାରିଖରେ ପୁଅ ସୁଜିତଙ୍କ ବିବାହ ପାଇଁ ବୌଦ୍ଧ ଜିଲ୍ଲା ବୌଦ୍ଧ ଥାନା ଅନ୍ତର୍ଗତ ବଘିଆପଡ଼ା ଗ୍ରାମର ବିପ୍ଳବ ବେହେରା (୬୦) ଜୋରଦାର ପ୍ରସ୍ତୁତି ଚଳାଇଥିଲେ। ଧୁମଧାମରେ ବିବାହ ସମାରୋହ ଆୟୋଜନ ପାଇଁ ଜିନିଷପତ୍ର କିଣାକିଣିକୁ ତୀବ୍ର କରିଦେଇଥିଲେ।
ଭୋଜିରେ ଅତିଥିମାନଙ୍କୁ କ’ଣ ପରସା ଯିବ ତାହାର ଯୋଜନା କରିଥିଲେ। ଡିଜେ, ସାଉଣ୍ଡ, ବରଯାତ୍ରୀଙ୍କ ପାଇଁ ବ୍ୟବସ୍ଥା କରୁଥିଲେ। ସେହିପରି ଝିଅ ଘର ପକ୍ଷରୁ ମଧ୍ୟ ବିବାହ ପାଇଁ ଜୋରଦାର ପ୍ରସ୍ତୁତି ଜାରି ରହିଥିଲା। କିନ୍ତୁ ଦୁଃଖର ବିଷୟରେ ଏକ ଅସ୍ୱାଭିକ ଘଟଣାର ଶିକାର ହୋଇ ଆଜି ଅପରାହ୍ଣରେ ବିପ୍ଲବଙ୍କର ମୃତ୍ୟୁ ଘଟିଛି। ପୁଅ ବାହାଘର ପାଇଁ ଭାବି ବୋହୂ ତଥା ସମୁଦିଙ୍କ ଘରକୁ ଲଗ୍ନପତ୍ର ଦେବାକୁ ଯାଉଥିବା ବେଳେ ଅଧବାଟରେ ବଜ୍ରପାତ ତାଙ୍କର ଜୀବନ ନେଇଛି।
ପୁଲିସର ସୂଚନା ଅନୁସାରେ ବଘିଆପଡା ଗ୍ରାମର ବିପ୍ଲବ ବେହେରା ନିଜ ପୁଅ ସୁଜିତଙ୍କ ବିବାହ ପାଇଁ ଆଜି ପୂର୍ବାହ୍ଣରେ ନିଜ ଭାଇ ବଳରାମ ବେହେରା (୫୭)ଙ୍କ ସହିତ ସମ୍ବଲପୁର ଜିଲ୍ଲା ଯୁଯୁମୁରା ଥାନା ଅଧୀନ ଗହିରିପାଲି ଅଭିମୁଖେ ବାହାରିଥିଲେ। ଗହିରିପାଲିର ପ୍ରେମାନନ୍ଦ ସାହୁଙ୍କର ଝିଆରୀ ଶ୍ରାବଣୀଙ୍କ ସହିତ ସୁଜିତଙ୍କର ବିବାହ ସ୍ଥିରୀକୃତ ହୋଇଥିଲା।
ଏଥି ପାଇଁ ଦୁଇ ଭାଇ ବିପ୍ଳବ ଏବଂ ବଳରାମ ହାତରେ ଲଗ୍ନପତ୍ର ନେଇ ଆଗକୁ ବଢୁଥିଲେ। ଆଉ ମାତ୍ର ୩ କିଲୋମିଟର ରାସ୍ତା ଅତିକ୍ରମ କରିଥିଲେ ଭାବି ସମୁଦିଙ୍କ ଘରକୁ ପହଂଚି ଥାନ୍ତେ। ଏହି ସମୟରେ ଚାରିଆଡୁ କଳାହାଣ୍ଡିଆ ମେଘ ମାଡି ଆସିଥିଲା।
ଧୀରେ ଧୀରେ ପବନ ବହିଥିଲା। କାଳବୈଶାଖୀର ପ୍ରଭାବରେ ହୋଇଥିବା ଝଡ ଉଗ୍ରରୂପ ନେଇଥିଲା। ପ୍ରାଣ ବିକଳରେ ବିପ୍ଲବ ଏବଂ ବଳରାମ ଯୁଯୁମୁରା-କେଶାପାଲି ରାସ୍ତାରେ ଥିବା ବାଣ୍ଡିଝରଣ ବସ୍ଷ୍ଟପ୍ରେ ଅଟକି ଯାଇ ଆଶ୍ରୟ ନେଇଥିଲେ। ବର୍ଷା ଏବଂ ଘଡଘଡି ବନ୍ଦ ହେଲା ପରେ ସମୁଦିଘରକୁ ଯିବାକୁ ଯୋଜନା କରୁଥିଲେ। ବିବାହ ସଂପର୍କିତ ଯୋଜନା ପ୍ରସ୍ତୁତ କରୁଥିଲେ। ଅନ୍ୟପଟରେ ସମୁଦି ଘର ଲୋକେ ମଧ୍ୟ ଅତିଥିଙ୍କ ଆଗମନକୁ ଅପେକ୍ଷା କରିଥିଲେ।
ଭାଗ୍ୟର ବିଡମ୍ବନା ବଡ ବିଚିତ୍ର। ଅପରାହ୍ଣ ପ୍ରାୟ ୧୨ଟା ହେବ। ଏହି ସମୟରେ ଆକାଶରୁ ଖସିପଡିଲା ବଜ୍ର। ବିପ୍ଲବ ଏବଂ ବଳରାମ ଆଶ୍ରୟ ନେଇଥିବା ବସ୍ଷ୍ଟପରେ ଖସିପଡିଲା ବଜ୍ର।
ଏଥିରେ ଦୁଇଭାଇ ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକଙ୍କର ଠାରୁ ସୂଚନା ପାଇଁ ପ୍ରେମାନନ୍ଦ ଘଟଣାସ୍ଥଳରେ ପହଂଚି ଥିଲେ। ଆହତ ଦୁଇଭାଇଙ୍କୁ ପ୍ରଥମେ ଯୁଯୁମୁରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଡାକ୍ତର ବିପ୍ଳବ ବେହେରାଙ୍କୁ ମୃତ ଘୋଷଣା କରିଥିଲେ। ବଳରାମଙ୍କ ଅବସ୍ଥା ସ୍ଥିର ରହିଥିବା ସୂଚନା ମିଳିଛି।
ଏନେଇ ଯୁଯୁମୁରା ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଆସନ୍ତାକାଲି ଶବ ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡ଼ିଛି। ଏହି ଘଟଣା ପରେ ସୁଜିତ ଏବଂ ଶ୍ରାବଣୀଙ୍କ ବିବାହର ପୂର୍ବ ନିର୍ଦ୍ଧାରିତ ତାରିଖ ନେଇ ଏକ ଅନିଶ୍ଚିତତା ଦେଖାଯାଇଛି।ଉଭୟ ଗହିରିପାଲି ଏବଂ ବଘିଆପଡାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।