କ୍ୟାପିଟାଲ ହସ୍ପିଟାଲ ହାଲଚାଲ: ଭିଡ଼କୁ ନୁହନ୍ତି ଦାନ୍ତ ଡାକ୍ତର

ବିଜେପି ସରକାର ନିକଟରେ ଜବାବ ନାହିଁ

ଓଡ଼ିଶାଟାକୁ ସମ୍ଭାଳିଛନ୍ତି ଜଣେ ମୁଖ୍ୟମନ୍ତ୍ରୀ, ଦୁଇଟା ଉପମୁଖ୍ୟମନ୍ତ୍ରୀ। ….

ଭୁବନେଶ୍ୱର: ଓଡ଼ିଶାଟାକୁ ସମ୍ଭାଳିଛନ୍ତି ଜଣେ ମୁଖ୍ୟମନ୍ତ୍ରୀ, ଦୁଇଟା ଉପମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ଓ ଦୁଇଟା ଉପ-ମୁଖ୍ୟମନ୍ତ୍ରୀଙ୍କ ବଙ୍ଗଳା ନିକଟରୁ ମାତ୍ର ଗୋଟିଏ କିଲୋମିଟର ଦୂରତାରେ କ୍ୟାପିଟାଲ ହସ୍ପିଟାଲ। ରାଜ୍ୟର ଡବଲ ଇଞ୍ଜିନ ସରକାରକୁ ଇନ୍ଧନ ଯୋଗାଇ ଆସୁଛନ୍ତି ପ୍ରଧାନମନ୍ତ୍ରୀ ଓ ସ୍ୱରାଷ୍ଟ୍ର ମନ୍ତ୍ରୀ। ଆୟୁଷ୍ମାନ ଭାରତ ଯୋଜନାଟିକୁ ବିଜେଡି ଲାଗୁ କଲାନି ବୋଲି କେତେ ତୁମ୍ବିତୋଫାନ କରିଥିଲେ ପ୍ରଧାନମନ୍ତ୍ରୀ ଓ ସ୍ୱରାଷ୍ଟ୍ରମନ୍ତ୍ରୀ। ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରାଯିବା ପରେ ମୁଖ୍ୟମନ୍ତ୍ରୀ ମହୋଦୟ ରାଜକୋଷରୁ ପୁଳାଏ ଟଙ୍କା ଖର୍ଚ୍ଚ କରି ଓଡ଼ିଶାର ଆଗଧାଡ଼ିର ନିୟମିତ ଖବରକାଗଜରେ ପ୍ରଧାନମନ୍ତ୍ରୀଙ୍କୁ କୋଟି କୋଟି ଶୁଭେଚ୍ଛା ଜଣାଇଲେ। ହେଲେ କ୍ୟାପିଟାଲ ହସ୍ପିଟାଲର ଜରାଜୀର୍ଣ୍ଣ ସେବା ସୁଦୃଢ଼ ହୋଇପାରିଲାନି।

କ୍ୟାପିଟାଲ ହସ୍ପିଟାଲର ଦନ୍ତ ବିଭାଗ ସ୍ଥିତିରେ ସୁଧାର ଆସୁନି। ବିଭାଗରେ ନା ଅଛନ୍ତି ଦକ୍ଷ ଡାକ୍ତର, ନା ରହିଛି ଅତ୍ୟାଧୁନିକ ଯନ୍ତ୍ରପାତି। ସାମାନ୍ୟ ଦାନ୍ତ ଉପାଡିବା ପାଇଁ ବି ରୋଗୀଙ୍କୁ ରେଫର କରାଯାଉଛି କଟକ ବଡ଼ ଡାକ୍ତରଖାନା। ନଚେତ୍‌ ଭୁବନେଶ୍ୱର ଏମ୍‌ସ। ମୁଖ୍ୟମନ୍ତ୍ରୀ ଏ ସଂପର୍କରେ ଅବଗତ। ବିଧାନସଭା ମଧ୍ୟ ଏ ସଂପର୍କରେ ଅବଗତ। କ’ଣ ପାଇଁ ସ୍ୱାସ୍ଥ୍ୟ ବିଭାଗ ହାତବାନ୍ଧି ବସିଛି, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଓପିଡି ସମ୍ମୁଖରେ ପ୍ଲାଷ୍ଟିକ୍‌ ଦୌଡି ବନ୍ଧା ହୋଇଛି। ଦୌଡି ବାହାରେ ଦୂରରେ ରହି ରୋଗୀଙ୍କୁ ଡାକ୍ତର ପରାମର୍ଶ ଦେଉଛନ୍ତି। ଡାକ୍ତରଙ୍କ ଦୁର୍ବ୍ୟବହାରରେ ଅତିଷ୍ଠ ହେଉଛନ୍ତି ରୋଗୀ।

ସେମାନଙ୍କ ନାମରେ ଗଣ୍ଡା ଗଣ୍ଡା ଅଭିଯୋଗ ହସ୍ପିଟାଲ କର୍ତୃପକ୍ଷଙ୍କ ପାଖରେ ରହିଛି। ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ଭଲ ଭାବରେ ଅବଗତ ରହିଛି।
ସ୍ୱାସ୍ଥ୍ୟ ସଚିବ ଏହା ଉପରେ ଆବଶ୍ୟକୀୟ ପଦକ୍ଷେପ ନେବାକୁ ୪ ମାସ ତଳେ ନିର୍ଦ୍ଦେଶ ଦେଇଥିଲେ। ତଥାପି ସ୍ଥିତିରେ ସୁଧାର ଆସୁନି। ବାଲୁଗାଁରୁ ଜଣେ ବ୍ୟକ୍ତି ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲ ଆସିଥିଲେ। ଜଣେ ବରିଷ୍ଠ ସର୍ଜନ ତାଙ୍କ ଚିକିତ୍ସା କରିଥିଲେ। ତେବେ ରୋଗୀଙ୍କ ଦାନ୍ତ ସମସ୍ୟା ଥିବାରୁ ଡାକ୍ତର ତାଙ୍କୁ ଦାନ୍ତ ବିଭାଗକୁ ପଠାଇଥିଲେ। ହେଲେ ଦାନ୍ତ ଡାକ୍ତର ଠିକ୍‌ରେ ନ ଦେଖି ସିଧା ଏସ୍‌ସିବି ରେଫର କରିଥିଲେ। ଏହାକୁ ନେଇ ସେ କର୍ତୃପକ୍ଷଙ୍କ ପାଖରେ ଅଭିଯୋଗ କରିଥିଲେ। ପୂର୍ବରୁ ମଧ୍ୟ ନୟାପଲ୍ଲୀ ରଞ୍ଜିତା ନାୟକ ନାମ୍ନୀ ଜଣେ ମହିଳା ଅଭିଯୋଗ କରିଥିଲେ।

ବର୍ତମାନ ବିଭାଗରେ ୩ ଜଣ ଡାକ୍ତର ଅଛନ୍ତି। ସେଥିରୁ ଜଣେ ପ୍ରସୂତିକାଳୀନ ଛୁଟିରେ ଅଛନ୍ତି। ଜଣେ ଠିକା, ଆଉ ଜଣେ ଡିଇଆଇସିରୁ ଆସି କାର୍ଯ୍ୟ କରୁଛନ୍ତି। ଆଉ ଜଣେ ଡାକ୍ତରଙ୍କ ବଦଳି ପରେ ପଦବି ଖାଲି ପଡିଛି। ଡେଂଟାଲ ଟେକ୍ନିସିଆନ୍‌ ପଦବି ୪ବର୍ଷ ହେଲାଣି ଖାଲି ଅଛି। ହସ୍ପିଟାଲ କର୍ତୃପକ୍ଷଙ୍କୁ ପଚାରିଲେ ସେହି ଦୁଇ ପଦ ଘୋଷା ଲାଇନ ଶୁଣିବାକୁ ମିଳୁଛି ଯେ ‘ଦାନ୍ତ ବିଭାଗ ସମ୍ପର୍କରେ ଅବଗତ ଅଛୁ। ଏ ନେଇ ସ୍ୱାସ୍ଥ୍ୟ ବିଭାଗକୁ ଜଣାଇ ଦିଆଯାଇଛି। ଖୁବ୍‌ ଶୀଘ୍ର ଉପଯକ୍ତ ପଦକ୍ଷେପ ନିଆଯିବ’।