୧୮ କୋଟି ବିନିମୟରେ ଶ୍ରୀମନ୍ଦିର ଆଲୋକୀକରଣ

୧୮ କୋଟି ଟଙ୍କା ବିନିମୟରେ ଶ୍ରୀମନ୍ଦିରକୁ ଝଲମଲ କରିବେ ରାଜ୍ୟ ସରକାର। …..

ପୁରୀ: ୧୮ କୋଟି ଟଙ୍କା ବିନିମୟରେ ଶ୍ରୀମନ୍ଦିରକୁ ଝଲମଲ କରିବେ ରାଜ୍ୟ ସରକାର। ମନ୍ଦିର ବେଢ଼ାରେ ଲାଗିବ ଲେଜର ୩ଡି ମ୍ୟାପିଙ୍ଗ ଲାଇଟ୍‌। ଫଳରେ ପ୍ରାୟ ଦେଢ଼ କିଲୋମିଟର ଦୂରରୁ ଝଲସିବ ଶ୍ରୀମନ୍ଦିର।

ଶ୍ରୀମନ୍ଦିର ଗରିମା ବଜାୟ ରଖିବା ପାଇଁ କୌଣସି ରଙ୍ଗୀନ୍‌ କି ଫ୍ଲାସ୍‌ ଲାଇଟ୍‌ ଲାଗିବନି। କିନ୍ତୁ ଚାରି ଦ୍ୱାର, ଗର୍ଭଗୃହ ଶିଖର, ନାଟ ମଣ୍ଡପ ଉପର, ଜଗମୋହନ ଉପର ସହ ମେଘନାଦ ପାଚେରି ଓ ଭିତର ବେଢ଼ା ସବୁ ଚମକିବ। ପରିକ୍ରମା ପ୍ରକଳ୍ପ ପରିସର ବି ଦୂରରୁ ଝଲସିବ। ସୋମବାର ଜିଲ୍ଲାପାଳ ତଥା ଉପମୁଖ୍ୟ ପ୍ରଶାସକ ଦିବ୍ୟଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ

ଶ୍ରୀଜଗନ୍ନାଥ ମନ୍ଦିର ଆଲୋକୀକରଣ ବୈଠକରେ ଏ ନିଷ୍ପତି ନିଆଯାଇଛି। ଖୁବ୍‌ଶୀଘ୍ର ହେବ ଆଲୋକିକରଣ ଟେଣ୍ଡର ପ୍ରକ୍ରିୟା। କ୍ଷେତ୍ର ସମୀକ୍ଷା ସରିଛି।ପ୍ରୋଜେକ୍ଟର ବ୍ୟବହାର କରାଯାଇ ଯେଉଁ ଲାଇଟ୍‌ ସବୁ ଲାଗିବ; ତା’ ବଳରେ ରାତିରେ ପ୍ରାୟ ଦେଢ଼ କିଲୋମିଟର ଦୂରରୁ ଶ୍ରୀମନ୍ଦିର ସ୍ପଷ୍ଟ ଦେଖାଯିବ।ଆଲୋକୀକରଣ ଇନ୍‌ଷ୍ଟଲେସନ୍‌ ପ୍ରକ୍ରିୟା ଶ୍ରୀମନ୍ଦିର ଐତିହ୍ୟକୁ କ୍ଷତି କରିବନି।

ଏଏସ୍‌ଆଇ ନିୟମ ଅନୁଯାୟୀ ଲାଇଟ୍‌ ଇନ୍‌ଷ୍ଟଲେସନ୍‌ ହେବ। ଶ୍ରୀମନ୍ଦିର ଐତିହ୍ୟ ଢାଂଚାକୁ ନ ଛୁଇଁ କୌଣସି ସ୍କୃ ନ ଲଗାଇ ଲଗାଯିବ ଲାଇଟ୍‌। ପାଶ୍ୱର୍ ଦେବଦେବୀ ମନ୍ଦିରଗୁଡିକ ମଧ୍ୟ ଦୂରରୁ ସ୍ପଷ୍ଟ ଦେଖାଯିବା ଭଳି ଲାଇଟିଂ କରାଯିବ। ପ୍ରଥମେ ଡେମୋ ଦେଖିବା ପରେ କେଉଁ ଲାଇଟ୍‌ ରହିବ ସେ ନେଇ ନିଷ୍ପତି ନିଆଯିବ।ଭାରତର ପ୍ରସିଦ୍ଧ ଦେବସ୍ଥଳୀ ମହାକାଳେଶ୍ୱର ଓ ଅଯୋଧ୍ୟା ଭଳି ଲାଇଟିଂ ପ୍ରକଳ୍ପ କରିବାକୁ ଯୋଜନା ରହିଛି ।ଯେଉଁ କମ୍ପାନୀ ଟେଣ୍ଡର ନେବ, ସେ ଆଗାମୀ ୫ ବର୍ଷ ଯାଏ ମେଂଟେନାନ୍ସ କରିବ ବୋଲି ପ୍ରଶାସନ ସୂତ୍ରରୁ ଜଣାପଡିଛି।