ଭୁବନେଶ୍ୱର: ବୁଧବାର (୮-୪-୨୦୨୬)ରେ ଭୁବନେଶ୍ୱରସ୍ଥିତ ସପ୍ତମ ବାଟାଲିୟନ ପରିସରରେ ଆକାଉଂଟାଂଟ୍ ଜେନେରାଲ, ଓଡିଶା, ଭୁବନେଶ୍ୱର ଓ ଓଡିଶା ପୁଲିସ ମୁଖ୍ୟ କାର୍ଯ୍ୟାଳୟ ଆନୁକୂଲ୍ୟରେ ପେନସନ ଏବଂ ଜିପିଏଫ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଏହି ଅଦାଲତରେ କଟକ ଏବଂ ଖୋର୍ଦ୍ଧା ଜିଲ୍ଲାର ପୁଲିସ ବିଭାଗର ଅବସରପ୍ରାପ୍ତ ପୁଲିସ କର୍ମଚାରୀଙ୍କ ପେନସନ ସମ୍ବନ୍ଧୀୟ ବିଭିନ୍ନ ଅଭିଯୋଗର ଶୁଣାଣି କରାଯାଇଥିଲା। ଏହି ଅଦାଲତରେ ଦୀର୍ଘ ଦିନ ଧରି ପଡ଼ି ରହିଥିବା ଗ୍ରାଚୁଇଟି, ଜି.ପି.ଏଫ୍, ପରିବାର ପେନ୍ସନ୍ ଏବଂ ଅନ୍ୟାନ୍ୟ ଆର୍ଥିକ ସମସ୍ୟା ସମ୍ବନ୍ଧୀୟ ବିଭିନ୍ନ ଅଭିଯୋଗର ପ୍ରାଥମିକତା ଭିତିରେ ଶୁଣାଣି କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ, ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ (ଆଧୁନିକୀକରଣ) ଉଦଘାଟନ କରିଥିଲେ।
ଓଡ଼ିଶା ପୁଲିସ କର୍ମଚାରୀମାନଙ୍କ ପାଇଁ ପ୍ରଥମଥର ପାଇଁ ଏହି ପେନସନ ଅଦାଲତ ଆୟୋଜନ କରିଛି ବୋଲି ମତବ୍ୟକ୍ତ କରିଥିଲେ। ଏହି ପଦକ୍ଷେପ ପେନସନ ଉପଭୋକ୍ତାଙ୍କ କଲ୍ୟାଣ ନିମନ୍ତେ ଏକ ମାଇଲଷ୍ଟୋନ ଭାବେ ପରିଗଣିତ ହେବ ବୋଲି ସେ କହିଥିଲେ। ଏହାସହ ସେ ପ୍ରିନ୍ସିପାଲ୍ ଆକାଉଂଟାଂଟ୍ ଜେନେରାଲ୍ଙ୍କ କାର୍ଯ୍ୟାଳୟର ଏହି ପ୍ରୟାସକୁ ପ୍ରଶଂସା କରିଥିଲେ। ଏହି ଅଦାଲତରେ ମୋଟ ୬୮ ଜଣ ପେନସନର / ଫ୍ୟାମିଲି ପେନସନର ଉପସ୍ଥିତ ହୋଇ ନିଜର ଅଭିଯୋଗ ଓ ସମସ୍ୟା ଉପସ୍ଥାପନ କରିଥିଲେ। ସମସ୍ତ ମାମଲାକୁ ସଠିକ ଭାବରେ ପରୀକ୍ଷା କରାଯାଇ ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଥିଲା।
ଏହାସହ ୧୬ଟି ପେନ୍ସନ୍ ପେମେଂଟ୍ ନିର୍ଦ୍ଦେଶ (ପିପିଓ), ଗ୍ରାଚୁଏଟି ପେମେଂଟ୍ ନିର୍ଦ୍ଦେଶ (ଜିପିଓ) ଓ ଜିପିଏଫ୍ ସୂଚନା ପତ୍ର ହିତାଧିକାରୀମାନଙ୍କୁ ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ଶ୍ରୀ ପ୍ରିୟଦର୍ଶୀ ଏବଂ ସ୍ୱାମୀ ଶୁଭମ ବୈଜନାଥ, ଆଇଏ ଆଣ୍ଡ୍ଏଏସ୍ ଉପ ମହାଲେଖାକାର, ଏଜି (ଏଇ) ଓଡ଼ିଶା, ଭୁବନେଶ୍ୱରଙ୍କ ଦ୍ୱାରା ବିତରଣ କରାଯାଇଥିଲା। ଏହି ଅଦାଲତରେ ମମତା ମଲ୍ଲିକ (ଆର୍ଥିକ ପରାମର୍ଶଦାତା, ରାଜ୍ୟ ପୁଲିସ ମୁଖ୍ୟାଳୟ), ସରୋଜ କୁମାର ନାଏକ, ଅର୍ଥ ଅଧିକାରୀ, ରାଜ୍ୟ ପୁଲିସ ମୁଖ୍ୟାଳୟ, କଟକ ଏବଂ ଏ.ଜି. କାର୍ଯ୍ୟାଳୟର ବରିଷ୍ଠ ଆକାଉଂଟ୍ ଅଫିସର ଶରତ କୁମାର ମହାପାତ୍ର, ବିଶ୍ୱାସ କୁମାର ସିହ୍ନା ଓ ରବି କୁମାରଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ପୋଲିସ ଅଧିକାରୀମାନେ ଉପସ୍ଥିତ ରହି ପେନସନରଙ୍କ ଅଭିଯୋଗକୁ ପ୍ରତ୍ୟକ୍ଷ ଭାବେ ଶୁଣିଥିଲେ ଏବଂ ସମାଧାନ ପାଇଁ ଆବଶ୍ୟକ ନିର୍ଦ୍ଦେଶ ଦେଇଥିଲେ।