ସମୟ ଲାଗୁ ପଛେ ଗଣତିମଣତି ଭଲରେ ସରୁ

ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଆଧାରରେ ….

ପୁରୀ: ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଆଧାରରେ ରତ୍ନଭଣ୍ଡାର ଗଣତି ମଣତିର ଦ୍ୱିତୀୟ ପର୍ଯ୍ୟାୟ ବୁଧବାରଠାରୁ ଆରମ୍ଭ ହୋଇଯାଇଛି। ବୁଧବାର ସକାଳୁ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଗଚ୍ଛିତ ଅଳଙ୍କାର ଓ ମୂଲ୍ୟବାନ ସାମଗ୍ରୀର ଗଣତି କାର୍ଯ୍ୟ ପୁନଃ ଆରମ୍ଭ ହୋଇଛି। ଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ ଦିନର ଗଣତିମଣତି ପରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ଗଣମାଧ୍ୟମକୁ କହିଛନ୍ତି ମହାପ୍ରଭୁଙ୍କ ଆଶୀର୍ବାଦରୁ ସବୁ କିଛି ଠିକ୍‌ଠାକ ଚାଲିଛି।

ଗଜପତି ମହାରାଜ କହିଛନ୍ତି, ମହାପ୍ରଭୁଙ୍କ କୃପାରୁ ଶୁଭ ଦିବସରେ ରତ୍ନଭଣ୍ଡାରର ବାହାର ଭଣ୍ଡାର ଗଣତି ମଣତି ଆରମ୍ଭ ହୋଇଛି। ମହାପ୍ରଭୁଙ୍କ ଦର୍ଶନ ସରିଲା ପରେ ବାହାର ରତ୍ନଭଣ୍ଡାର ଅନୁଧ୍ୟାନ କରିଥିଲୁ। ସରକାରଙ୍କ ଦ୍ୱାରା ଗଠିତ କମିଟି, ଅଧିକାରୀ ଏବଂ ସେବାୟତ ଏଥିରେ ଉପସ୍ଥିତ ଥିଲେ। ଏସ୍‌ଓପି ଅନୁସାରେ ଗଣତିମଣତି ଆରମ୍ଭ ହୋଇଛି। ପ୍ରତ୍ୟେକ ମୂଲ୍ୟବାନ ଜିନିଷ ୩ଡି ମ୍ୟାପିଂ କରାଯାଉଛି। ଏହା ଦ୍ୱାରା ପୂର୍ଣ୍ଣ ଛବି ମିଳିିପାରିବ।

ମହାପ୍ରଭୁଙ୍କର ଅଳଙ୍କାର ଭ୍ୟାଲୁଏସନ୍‌ ପାଇଁ ଯୋଜନା ନାହିଁ। ମହାପ୍ରଭୁଙ୍କ ଗହଣାର ବିସ୍ତୃତ ବିବରଣୀ ରଖାଯାଉଛି, ଯାହାଦ୍ୱାରା ଭବିଷ୍ୟତରେ କୌଣସି ଅସୁବିଧା ହେବ ନାହିଁ। ବାହାର ରତ୍ନଭଣ୍ଡାର ଗଣତିମଣତି ପରେ ଭିତର ରତ୍ନଭଣ୍ଡାରର ଗଣତିମଣତି ହେବ। ଆଜି ମହାପ୍ରଭୁଙ୍କ ଦର୍ଶନରେ କୌଣସି ଅସୁବିଧା ନାହିଁ। ମହାପ୍ରଭୁଙ୍କ କୃପାରୁ ସବୁକିଛି ଠିକ୍‌ଠାକ ଚାଲିଛି। ଗଣତିମଣତିର ସମୟ ସୀମା ନାହିଁ। ଶ୍ରଦ୍ଧାଳୁମାନେ ଭଲଭାବରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ମହାପ୍ରଭୁଙ୍କ ଇଚ୍ଛାନୁସାରେ ଏହି କାମ ସଂପାଦିତ ହେବ। ପର୍ବଦିନ ଗୁଡିକରେ ଗଣତିମଣତି ହୋଇପାରିବ ନାହିଁ। ଯେଉଁଦିନ ମନ୍ଦିରରେ ଶ୍ରଦ୍ଧାଳୁମାନଙ୍କର ଭିଡ ରହିବ, ସେଦିନ ଗଣତିମଣତି ସ୍ଥଗିତ ରଖାଯିବ।

ସମୟ ଲାଗୁ ପଛେ ମହାପ୍ରଭୁଙ୍କ କାମ ଭଲରେ ହେଉ। ସୂଚନାଯୋଗ୍ୟ, ଗତ ୨୫ ତାରିଖ ଦିନ ରତ୍ନଭଣ୍ଡାର ଗଣତି ଆରମ୍ଭ ହୋଇଥିଲା। ପ୍ରଥମ ଦିନରେ ଚଳନ୍ତି ଭଣ୍ଡାରର ରତ୍ନ ସବୁ ଗଣାଯାଇ ୧୯୭୮ ମସିହା ତାଲିକା ସହ ମେଳକ କରାଯାଇଥିଲା। ଅଳଙ୍କାର ସବୁକୁ ଅଲଗା ଅଲଗା ସିନ୍ଦୁକରେ ରଖାଯିବା ସହ ସବୁ ରତ୍ନର କ୍ୟାଟ୍‌ଲଗ୍‌ ପ୍ରସ୍ତୁତ କରାଯାଇଥିଲା। ରତ୍ନଗୁଡିକର ଓଜନ କରାଯିବା ସହ ପ୍ରଥମ ଥର ପାଇଁ ମୁଖ୍ୟ ଅଳଙ୍କାରଗୁଡିକର ୩ଡି-ମ୍ୟାପିଂ କରାଯାଇଥିଲା।

ଆଜି ବାହାର ଭଣ୍ଡାର ଖୋଲା ହୋଇଥିଲା। ଏହି ପ୍ରକ୍ରିୟା ଲଗାତର ୪ ଦିନ ଧରି (୧୧ ତାରିଖ ଯାଏଁ) ଚାଲିବ ବୋଲି ଆଶା କରାଯାଉଛି। ୧୨ ତାରିଖ ରବିବାର ବନ୍ଦ ରହି ପୁଣି ଥରେ ୧୩ ତାରିଖରେ ହେବ। ୧୪ ଓ ୧୫ ଦୁଇଦିନ ବନ୍ଦ ରହିବା ପରେ ୧୬ରୁ ୧୮ ତାରିଖ ତିନିଦିନ ଲଗାତାର ଜାରି ରହିବ। ଏହା ପରେ କେବେ ଗଣତି ହେବ ସେ ନେଇ ଆଲୋଚନା ପରେ ତାରିଖ ଧାର୍ଯ୍ୟ ହେବ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି।