ଭୁବନେଶ୍ୱର: ଗୁରୁବାର ଗ୍ରାମ୍ୟ ଉନ୍ନୟନ ବିଭାଗର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ସର୍ବୋଚ୍ଚ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ଗ୍ରାମ୍ୟ ଉନ୍ନୟନ, ପଂଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକ ଅଧ୍ୟକ୍ଷତା କରିଥିଲେ। ୨୦୨୫-୨୬ ବର୍ଷର କାର୍ଯ୍ୟର ସଫଳତା ଏବଂ ୨୦୨୬-୨୭ ବର୍ଷ ପାଇଁ ନୂତନ ରୋଡମ୍ୟାପ୍ ପ୍ରସ୍ତୁତ କରାଯାଇଛି। ଗତ ୨୦୨୫-୨୬ ଆର୍ଥିକ ବର୍ଷରେ ବିଭାଗ ପକ୍ଷରୁ ୮୯.୪୫ ପ୍ରତିଶତ ଅର୍ଥ ବିନିଯୋଗ କରାଯାଇଛି। ବୈଠକରୁ ମିଳିଥିବା ସୂଚନାନୁସାରେ, ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (ପିଏମ୍ଜିଏସ୍ୱାଇ) କାର୍ଯ୍ୟକାରୀ କରିବାରେ ଓଡ଼ିଶା ଦେଶରେ ୮ମ ସ୍ଥାନରେ ରହିଛି। ନୂତନ ଜ୍ଞାନକୌଶଳ ଓ ସାମଗ୍ରୀ ବ୍ୟବହାର କରି ରାସ୍ତା ନିର୍ମାଣ କରିବାରେ ଓଡ଼ିଶା ସାରା ଦେଶରେ ପ୍ରଥମ ସ୍ଥାନରେ ରହିଥିବାରୁ ମନ୍ତ୍ରୀ ଶ୍ରୀ ନାୟକ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ସାଧୁବାଦ ଜଣାଇଥିଲେ।
ପୂର୍ବବର୍ଷର ସଫଳତାକୁ ଆଧାର କରି ଆହୁରି ଉଚ୍ଚ ଲକ୍ଷ୍ୟ ରଖିବା ସହିତ ଚଳିତ ବର୍ଷରେ ନିଜ ପ୍ରଦର୍ଶନକୁ ନିଜେ ଅତିକ୍ରମ କରିବା ପାଇଁ ଅଧିକ ସଂକଳ୍ପ ଓ ପ୍ରୟାସ ସହ କାମ କରିବା ଆବଶ୍ୟକ ବୋଲି ମନ୍ତ୍ରୀ ଶ୍ରୀ ନାଏକ ଆହ୍ୱାନ ଦେଇଥିଲେ। ବର୍ଷା ଦିନ ପୂର୍ବରୁ ଟେଣ୍ଡର ପ୍ରକ୍ରିୟା ଶେଷ କରି, ବର୍ଷା ଛାଡ଼ିବା ମାତ୍ରେ କାମ ଦ୍ରୁତ ଗତିରେ ଆରମ୍ଭ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଏହି ବୈଠକରେ ‘ମିଶନ ପାୱାର’ ମାଧ୍ୟମରେ ଅପହଂଚ ଗାଁଗୁଡିକୁ ପକ୍କା ରାସ୍ତାରେ ଯୋଡ଼ିବା ପାଇଁ ଆଲୋଚନା ମଧ୍ୟ କରାଯାଇଛି। କେଉଁ ଜିଲ୍ଲାରେ କେତେ ଅପହଂଚ ଗାଁ ରହିଛି! ତାହାର ସବିସ୍ତୃତ ସମୀକ୍ଷା କରାଯାଇଛି। ଲକ୍ଷ୍ୟ ହାସଲ ପାଇଁ ସମୟସୀମା ମଧ୍ୟ ନିର୍ଦ୍ଧାରିତ କରାଯାଇଛି। ଆଗାମୀ ମାସଗୁଡ଼ିକରେ ସଂଯୋଗ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଉପରେ ଧ୍ୟାନ ଦେବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଓ ଅନ୍ୟାନ୍ୟ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସମ୍ପର୍କରେ ମଧ୍ୟ ସମୀକ୍ଷା ହୋଇଛି। ଆବଶ୍ୟକ ଅଂଚଳଗୁଡ଼ିକୁ ଚିହ୍ନଟ କରିବା ସହ ଉନ୍ନୟନ ଲାଭ ସମସ୍ତ ଅଂଚଳରେ ସମାନ ଭାବରେ ଯେଭଳି ପହଂଚିବ ସେଥିପ୍ରତି ଦୃଷ୍ଟିଦେବାକୁ ମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନୂତନ ରାସ୍ତା ନିର୍ମାଣ ଭଳି ପୁରୁଣା ରାସ୍ତାର ମରାମତି ଓ ସୁଦୃଢ଼ୀକରଣ ଉପରେ ଗୁରୁତ୍ୱପୂର୍ଣ୍ଣ ପ୍ରଦାନ କରାଯାଇଛି। କମିଶନର ତଥା ଶାସନ ସଚିବ ଯାମିନୀ ଷଡ଼ଙ୍ଗୀ ଆଲୋଚନା ଆରମ୍ଭ କରିଥିଲେ। ସ୍ୱତନ୍ତ୍ର ଶାସନ ସଚିବ ସର୍ବେଶ୍ୱର ସିଂହ ଏବଂ ସର୍ବୋଚ୍ଚ ଯନ୍ତ୍ରୀ ପ୍ରଦୀପ କୁମାର ଜେନା ଓ ସମସ୍ତ ସର୍କଲ ଏବଂ ଡିଭିଜନ୍ ମୁଖ୍ୟ ନିଜ ନିଜ ଅଂଚଳର କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇଥିଲେ।