ହାଟଡ଼ିହି: ନନ୍ଦିପଦା ଥାନା ଅନ୍ତର୍ଗତ ଅଁରା ଗ୍ରାମରେ ଜମିବାଡି ବିବାଦକୁ ନେଇ ଜଣେ ବିଧବା ମହିଳାଙ୍କୁ ମାଡ ମାରି ଘରୁ ଘୋଷାଡି ବାହାର କରି ଦେଇଛନ୍ତି ପଡୋଶୀ। ଗ୍ରାମବାସୀଙ୍କ ହସ୍ତକ୍ଷେପରେ ଉକ୍ତ ମହିଳାଙ୍କୁ ପୁଣି ଥଇଥାନ କରାଯାଇଛି। ଗ୍ରାମର ସ୍ୱର୍ଗତଃ ମହେଶ୍ୱର ନାୟକଙ୍କ ବିଧବା ପତ୍ନୀ ମନୋରମାଙ୍କ ଅଭିଯୋଗ ଅନୁସାରେ, ତାଙ୍କ ସ୍ୱାମୀ ମୋଟ ୧୪ ଡିସିମିଲ ଘରବାଡ଼ିରୁ ଘରର ଦକ୍ଷିଣ ଦିଗକୁ ଅର୍ଜୁନ ଜେନାକୁ ୫ ଡିସିମିଲ ଜାଗା ବିକିଥିଲେ। ଉତର ଦିଗରୁ ଗୌରାଙ୍ଗ ଜେନାଙ୍କୁ ୪ ଡିସିମିଲ ଜମି ବିକିଥିଲେ। ଏବେ ଅଭିଯୁକ୍ତ ଗୌରାଙ୍ଗ ଜେନା ବଳପୂର୍ବକ ମନୋରମା ନାୟକଙ୍କ ବଳକା ୫ ଡିସିମିଲ ଘରବାଡ଼ି ଦଖଲ କରିବାକୁ ଉଦ୍ୟମ ଚଳାଇଛି। ଏଥିପାଇଁ ପୀଡ଼ିତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଛନ୍ତି।
ଏ ସଂପର୍କରେ ମନୋରମା ବାରମ୍ବାର ପଂଚାୟତ ଓ ଥାନାର ଦ୍ୱାରସ୍ଥ ହୋଇଥିଲେ ବି ନ୍ୟାୟ ମିଳୁନି। ସୂଚନାନୁସାରେ, ଆଜକୁ ଚାରିବର୍ଷ ହେଲା ମନୋରମାଙ୍କ ସ୍ୱାମୀ ମରିଗଲେଣି। ମନୋରମା ଝିଅକୁ ଅନ୍ୟତ୍ର ବିବାହ କରି ଦେଇଛନ୍ତି। ୧୫ ବର୍ଷର ପୁଅ ରୋଜଗାର ପାଇଁ ବାହାରକୁ ଯାଇଛି। ତା’ର ସୁଯୋଗ ନେଇ ପଡୋଶୀ ଗୌରାଙ୍ଗ ଜେନା, ତାଙ୍କ ପୁଅ ପ୍ରିୟବ୍ରତ, ଖଗେଶ୍ୱର ଓ ତାଙ୍କ ସ୍ତ୍ରୀ ସରସ୍ୱତୀ ଜେନା ମିଳିତ ଭାବେ ମନୋରମାଙ୍କୁ ମାଡ଼ ମାରି ଘରୁ ବାହାର କରି ଦେଇଛନ୍ତି। ତିନିଦିନ ହେଲାଣି ମନୋରମା ଓ ତାଙ୍କ ବୁଢ଼ି ମା’ ସାହିଲୋକଙ୍କ ବାରଣ୍ଡାରେ ଆଶ୍ରୟ ନେଇଛନ୍ତି।