ରେଙ୍ଗାଲଜୁରୀ ଓ ଚଙ୍ଗରିଆ ଗାଁରେ ଉପମୁଖ୍ୟମନ୍ତ୍ରୀ

ବଲାଙ୍ଗୀର ଖପ୍ରାଖୋଲ ବ୍ଳକ ଚଙ୍ଗରିଆ ପଂଚାୟତ ….

ଧଣ୍ଡାମୁଣ୍ଡା: ବଲାଙ୍ଗୀର ଖପ୍ରାଖୋଲ ବ୍ଳକ ଚଙ୍ଗରିଆ ପଂଚାୟତ ରେଙ୍ଗାଲଜୁରୀ ଓ ଚଙ୍ଗରିଆରେ ଉପମୁଖ୍ୟମନ୍ତ୍ରୀ କନନ ବର୍ଦ୍ଧନ ସିଂଦେଓ କ୍ଷତିଗ୍ରସ୍ତଙ୍କୁ ଭେଟିଛନ୍ତି। ଗତ ୬ ତାରିଖରେ ପ୍ରବଳ ଝଡବର୍ଷା ଓ କୁଆପଥର ମାଡ ହୋଇଥିଲା। ଏକାଧିକ ବ୍ୟକ୍ତି ଆହତ ହୋଇଥିବା ବେଳେ ଅନେକ ଘର ନଷ୍ଟ ହୋଇଥିଲା। ପନିପରିବା ଫସଲ କ୍ଷତିଗ୍ରସ୍ତ ହୋଇଥିଲା। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ କ୍ଷତିଗ୍ରସ୍ତଙ୍କ ସହ ଆଲୋଚନା କରିଛନ୍ତି। ତୁରନ୍ତ ସହାୟତା ନିମନ୍ତେ ଆଶ୍ୱସନା ଦେଇଛନ୍ତି।
କୁଆପଥର ମାଡ଼ରେ କ୍ଷତିଗ୍ରସ୍ତ ପରିବାରଙ୍କୁ ଏ ପର୍ଯ୍ୟନ୍ତ କୌଣସି ଆଖିଦୃଶିଆ ସରକାରୀ କ୍ଷତିପୂରଣ ମିଳି ନଥିଲା। ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଦିନକୁ ଦିନ ତୀବ୍ର ଅସନ୍ତୋଷ ବୃଦ୍ଧି ପାଇଥିଲା। ଖବର ପାଇ ପାଟଣାଗଡ ବିଧାୟକ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ମଧ୍ୟାହ୍ନ ସମୟରେ ଉଭୟ ଗାଁକୁ ଯାଇ କ୍ଷତିଗ୍ରସ୍ତ ପରିବାର ଓ ଚାଷୀଙ୍କ ସହ ଆଲୋଚନା କରିଛନ୍ତି। ଉପମୁଖ୍ୟମନ୍ତ୍ରୀ ଏହି ଗସ୍ତ ବେଳେ ପାଟଣାଗଡ଼ ଉପଜିଲ୍ଲାପାଳ ସୁନୀଲ କୁମାର ମେହେର, ଖପ୍ରାଖୋଲ ତହସିଲଦାର ଆନନ୍ଦ ପଣ୍ଡା, ବିଡିଓ ବିବେକାନନ୍ଦ ଷଡ଼ଙ୍ଗୀ, ସ୍ଥାନୀୟ ରାଜସ୍ୱ ନିରୀକ୍ଷକ ସୁବ୍ରତ ଭୋଇ ନିକଟରେ ଉପସ୍ଥିତ ଥିଲେ। ପୂର୍ବରୁ କ୍ଷୟକ୍ଷତିର ଆକଳନ ଉପଯୁକ୍ତ ଭାବରେ କରାଯାଇନଥିବା ନେଇ ଉଭୟ ଗାଁର କ୍ଷତିଗ୍ରସ୍ତ ପରିବାର ଓ ଚାଷୀ ଉପମୁଖ୍ୟମନ୍ତ୍ରୀ ଶ୍ରୀସିଂଦେଓଙ୍କ ଦୃଷ୍ଟି ଆର୍କଷଣ କରିଥିଲେ ଏବଂ ଲିଖିତ ଭାବରେ ଅବଗତ କରାଇଥିଲେ।
ଉପମୂଖ୍ୟମନ୍ତ୍ରୀ ପହଂଚିବା ଖବର ପାଇ କ୍ଷତିଗ୍ରସ୍ତ ପରିବାର ଓ ଚାଷୀଙ୍କ ସମେତ ପିଲାଠୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ତାଙ୍କୁ ସ୍ୱାଗତ କରିଥିଲେ।

ଗ୍ରାମବାସୀଙ୍କ ସହ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂଦେଓ ଆଲୋଚନା କରିବା ସମୟରେ ପୂର୍ବରୁ ହୋଇଥିବା କ୍ଷୟକ୍ଷତିର ଆକଳନ ସର୍ବସମ୍ମୁଖରେ ଉପଜିଲ୍ଲାପାଳ ଶ୍ରୀ ମେହେରଙ୍କୁ ପଢି ଶୁଣାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ତେବେ କ୍ଷୟକ୍ଷତିର ଆକଳନ ପ୍ରଶାସନିକ ସ୍ତରରେ ଠିକ୍‌ ଭାବରେ କରାଯାଇ ନଥିବା ନେଇ ତଦନ୍ତ ରିପୋର୍ଟରୁ ଗ୍ରାମବାସୀମାନେ ଜାଣିବାକୁ ପାଇଥିଲେ। ଯାହାକୁ ନେଇ ଘଟଣା ସ୍ଥଳରେ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଥିଲା। ପରେ ଗ୍ରାମବାସୀ ପୂନର୍ବାର କ୍ଷୟକ୍ଷତିର ଆକଳନ କରିବାକୁ ଉପମୁଖ୍ୟମନ୍ତ୍ରୀ ସିଂଦେଓଙ୍କୁ ନିବେଦନ କରିବା ସହ ଗ୍ରାମବାସୀଙ୍କ ତରଫରୁ ଏକ ଦାବି ପତ୍ର ପ୍ରଦାନ କରାଯାଇଥିଲା। ଏଥିରେ ମୂଖ୍ୟତଃ କ୍ଷତିଗ୍ରସ୍ତ ପରିବାରଙ୍କୁ ଆବାସ ଯୋଜନାରେ ସାମିଲ କରିବା ସହ କ୍ଷୟକ୍ଷତିର ଉପଯୁକ୍ତ କ୍ଷତିପୂରଣ ଦେବାକୁ ଦାବି ପତ୍ରରେ ଉଲ୍ଲେଖ ରହିଛି। କ୍ଷୟକ୍ଷତିର ପୁନଃଆକଳନ କରିବାକୁ ଉପମୁଖ୍ୟମନ୍ତ୍ରୀ ଉପ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ।