ରାଉରକେଲା: ୨୧ ତାରିଖରେ (ମଙ୍ଗଳବାର ଦିନ) ରାଉରକେଲା ଆସୁଛନ୍ତି ରାଷ୍ଟ୍ରପତି। ଭବ୍ୟ ସ୍ୱାଗତ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଚାଲିଛି ଜୋରଦାର ପ୍ରସ୍ତୁତି। ରାଉରକେଲା ବିମାନବନ୍ଦର ପଡିଆଠୁ ପାନପୋଷ ସର୍କିଟ ହାଉସ୍ ଓ ରାଉରକେଲା ଜନଜାତି ସଂଗ୍ରହାଳୟ ପର୍ଯ୍ୟନ୍ତ ରାସ୍ତା, କାନ୍ଥକୁ ଦିଆଯାଉଛି ନୂଆରୂପ। ବିମାନବନ୍ଦର ପଡିଆରେ ସୁନ୍ଦରଗଡ ଓ ରାଉରକେଲାର ବିଭିନ୍ନ ଘରୋଇ ଓ ସରକାରୀ ବିଦ୍ୟାଳୟ ୧୦ ହଜାର ଛାତ୍ରଛାତ୍ରୀ ବସିବାକୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ୧୦ ହଜାର ଛାତ୍ରଛାତ୍ରୀଙ୍କ ମଧ୍ୟରୁ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବାକୁ ପ୍ରାୟ ଦେଢ଼ ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ।
ଏଥିପାଇଁ ଛାତ୍ରଛାତ୍ରୀମାନେ ପ୍ରତ୍ୟେହ ସକାଳେ ମଂଚସ୍ଥଳରେ ଅଭ୍ୟାସ ଜାରି ରଖିଛନ୍ତି। ଅସହ୍ୟ ତାତି ଓ ଗୁଳୁଗୁଳିର ପ୍ରଭାବ ଯେମିତି ଛାତ୍ରଛାତ୍ରୀଙ୍କ ଉପରେ ନ ପଡିବ, ସେଥିପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି। ମୋଟାମୋଟି ଭାବେ ରାଷ୍ଟ୍ରପତିଙ୍କ ଭବ୍ୟ ସ୍ୱାଗତ କାର୍ଯ୍ୟକ୍ରମରେ ଯେମିତି କୌଣସି ତ୍ରୁଟି ପରିଲକ୍ଷିତ ହୁଏ ସେଥିପାଇଁ ପୂରା ଦମ୍ ଲଗାଇ ଦେଇଛି ଜିଲ୍ଲାର ବରିଷ୍ଠ ଅଧିକାରୀ ଓ ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀ। ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ରାଜ୍ୟପାଳ ହରିବାବୁ କମ୍ଭବପାଟ୍ଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, କେନ୍ଦ୍ର ଆଦିବାସୀ ମନ୍ତ୍ରୀ ଜୁଏଲ ଓରାମଙ୍କ ସହ ଅନ୍ୟ ମନ୍ତ୍ରୀମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ଚୂଡାନ୍ତ ପ୍ରସ୍ତୁତି ହୋଇନାହିଁ।
ସୁରକ୍ଷାରେ ୪୫ ପ୍ଲାଟୁନ୍ ପୁଲିସ ଫୋର୍ସ: ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାଉରକେଲା ବିମାନବନ୍ଦରଠୁ ମଂଚସ୍ଥଳ। ସ୍ପେସ୍ ଛକରୁ ହନୁମାନ ବାଟିକା, ହକି ଛକ, ରାଉରକେଲା ଜନଜାତି ସଂଗ୍ରହାଳୟ, ସମନ୍ୱିତ ନିର୍ଦ୍ଦେଶ ଓ ନିୟନ୍ତ୍ରଣ କେନ୍ଦ୍ର, ସର୍କିଟ ହାଉସ ସମ୍ପୂର୍ଣ୍ଣ ସୁରକ୍ଷାବଳୟ ମଧ୍ୟରେ ରହିବ। ଡିଆଇଜି, ଏସ୍ପି, ଅତିରିକ୍ତ ଏସ୍ପି, ଡିଏସ୍ପି, ଇନ୍ସପେକ୍ଟରଙ୍କ ସମେତ ମୋଟ ୪୫ ପ୍ଳାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯିବ। ସ୍ପେସ୍ ଛକ, ଛେଣ୍ଡ୍ ଛକ, ଡିିଏଭି ଛକ, ହନୁମାନ ବାଟିକା, ହକିଛକରେ ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୁଲିସ ମୁତୟନ କରାଯିବ।
ପ୍ରମୁଖ ଛକରେ ୩୫ ସାଂସ୍କୃତିକ ଗୋଷ୍ଠୀର ସ୍ୱାଗତ: ବିମାନବନ୍ଦର ସଭାମଂଚରେ ଗହଳି ନ ହେବାକୁ ପ୍ରମୁଖ ଛକରେ ଭବ୍ୟ ସ୍ୱାଗତ କାର୍ଯ୍ୟକ୍ରମ କରାଯିବାକୁ ନିଷ୍ପତି ନିଆଯାଇଛି। ୩୫ରୁ ଅଧିକ ସାଂସ୍କୃତିକ ଗୋଷ୍ଠୀଙ୍କ ଦ୍ୱାରା ସ୍ପେସ୍ଛକ ଛକ, ଛେଣ୍ଡ୍ ଛେକ, ଡିଏଭି ଛକ, ହନୁମାନ ବାଟିକା ଛକ, ହାଇଟେକ୍ ଛକ, ସରକାରୀ କଲେଜ ଛକ, ହକି ଛକ, ସର୍କିଟ ହାଉସ୍ ନିକଟରେ ଉତ୍କଳ କଳା ସଂସ୍କୃତିର ଝଲକ ଦେଖିବାକୁ ମିଳିବ। ଜିଲ୍ଲା ଓ ଜିଲ୍ଲା ବାହାର କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ।
ସର୍କିଟ ହାଉସ୍ରେ ମଧ୍ୟାହ୍ନ ଭୋଜନ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପାନପୋଷ ସର୍କିଟ ହାଉସ୍ରେ ମଧ୍ୟାହ୍ନ ଭୋଜନ କରିବେ। ରାଷ୍ଟ୍ରପତିଙ୍କୁ ଓଡିଶାର ପାରମ୍ପରିକ କେଉଁ ପ୍ରକାର ଖାଦ୍ୟ ପରଷା ଯିବ। ଦିନକ ପୂର୍ବରୁ ଖାଦ୍ୟର ମେନରୁ ଜଣାପଡିବ। ସେଠାରେ ପ୍ରାୟ ଦୁଇଘଂଟା ରହଣି କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ପାନପୋଷ ସର୍କିଟ ହାଉସ୍କୁ ନୂଆ ରୂପ ଦିଆଯାଉଛି।