ଚାଷୀଙ୍କ ଦୁଆରେ ବିହନ ଦେବ ‘ବିହନ ରଥ’

ପବିତ୍ର ଅକ୍ଷୟ ତୃତୀୟା ଓ ରାଜ୍ୟସ୍ତରୀୟ କୃଷକ ଦିବସ ଅବସରରେ ….

ଭୁବନେଶ୍ୱର: ପବିତ୍ର ଅକ୍ଷୟ ତୃତୀୟା ଓ ରାଜ୍ୟସ୍ତରୀୟ କୃଷକ ଦିବସ ଅବସରରେ କଟକସ୍ଥିତ କେନ୍ଦ୍ରୀୟ ଧାନ ଗବେଷଣା ଅନୁଷ୍ଠାନ (ସିଆର୍‌ଆର୍‌ଆର୍‌ଆଇ) ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର କୃଷକମାନଙ୍କ ପାଇଁ ଅନେକ ବଡ଼ ଘୋଷଣା କରିଛନ୍ତି। ଚାଷୀଙ୍କ ଦୁଆର ମୁହଁକୁ ଏଣିକି ଉନ୍ନତମାନର ବିହନ ଯୋଗାଇ ଦିଆଯିବ। ଏଥିପାଇଁ ‘ଆମ ବିହନ ରଥ’ର ଶୁଭାରମ୍ଭ କରାଯାଇଛି। ଏହାସହ ମୁଖ୍ୟମନ୍ତ୍ରୀ ୪୧,୬୮, ୫୮୨ ଜଣ ଚାଷୀଙ୍କୁ ସିଏମ୍‌-କିସାନ ଯୋଜନାରେ ୮୩୮ କୋଟି ୪୮ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।

ଏହି ଭ୍ରାମ୍ୟମାଣ ବିହନ ବିକ୍ରୟ କେନ୍ଦ୍ର ଗୁଡିକ ପ୍ରଥମ ପର୍ଯ୍ୟାୟରେ ୧୦ଟି ଜିଲ୍ଲାର ୩୧ଟି ବ୍ଲକରେ ଚାଲୁ ହେବ। ୫ କେଜିଆ ପ୍ୟାକେଟ୍‌ ଆକାରରେ ନୂତନ କିସମର ଧାନ ବିହନ ଗ୍ରାମ ପଂଚାୟତ ସ୍ତରରେ ଉପଲବ୍ଧ ହେବ।ଧାନ ଗବେଷଣା କେନ୍ଦ୍ର ନିକଟରେ ଥିବା ଚାଷ ଜମିରେ ମୁଖ୍ୟମନ୍ତ୍ରୀ ଭୂମିପୂଜା କରିବା ପରେ ଅକ୍ଷି ମୁଠି ଅନୁକୂଳ କରିଥିଲେ। ଏହାପରେ କୃଷି ପ୍ରଦର୍ଶନୀ ବୁଲି ଦେଖିଥିଲେ।

କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସମସ୍ତ କୃଷକ ଭାଇ ଓ ଭଉଣୀଙ୍କୁ ଅକ୍ଷୟ ତୃତୀୟାର ଶୁଭେଚ୍ଛା ଜଣାଇ କହିଥିଲେ ଯେ, ଓଡ଼ିଶାର ଅର୍ଥନୀତି, ସଂସ୍କୃତି ଓ ସମୃଦ୍ଧିର ମୂଳ ଆଧାର ହେଉଛି କୃଷି। ଅକ୍ଷୟ ତୃତୀୟା ଦିନ ଚାଷୀମାନେ ଅକ୍ଷିମୁଠି ଅନୁକୂଳ କରି ନୂଆ କୃଷି ବର୍ଷର ଶୁଭାରମ୍ଭ କରୁଥିବାରୁ ଏହା ଓଡ଼ିଶାର ଗୌରବମୟ ପରମ୍ପରା।

ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ଯେ, ୨୦୨୬ ଖରିଫ ଋତୁ ପାଇଁ ରାଜ୍ୟର ୪୧ ଲକ୍ଷ ୬୮ ହଜାର ୫୮୨ ଜଣ କୃଷକଙ୍କୁ ସିଏମ-କିଷାନ ଯୋଜନାରେ ପ୍ରାୟ ୮୩୮ କୋଟି ୪୮ ଲକ୍ଷ ଟଙ୍କା ଡିବିଟି ମାଧ୍ୟମରେ ପ୍ରଦାନ କରାଯାଇଛି। ଏହି ଚାଷୀମାନଙ୍କ ମଧ୍ୟରୁ ୪୧,୨୪,୨୪୧ ଜଣ ଚାଷୀ ହେଉଛନ୍ତି କ୍ଷୁଦ୍ର ଓ ନାମମାତ୍ର ଚାଷୀ। ୪୧,୦୪୯ ଜଣ ହେଉଛନ୍ତି ଭୂମିହୀନ କୃଷକ ପରିବାରର ଚାଷୀ ଏବଂ ୩,୨୯୨ ଜଣ ହେଉଛନ୍ତି ଜନଜାତି କୃଷକ ପରିବାରର ଚାଷୀ।

ନୂଆ ସରକାର କ୍ଷମତାକୁ ଆସିବା ପରେ କେବଳ ୨୨ ମାସ ମଧ୍ୟରେ ରାଜ୍ୟର କୃଷି ଅଭିବୃଦ୍ଧି ହାର ୫.୩ ପ୍ରତିଶତକୁ ପହଂଚିଛି, ଯାହା ଜାତୀୟ ହାରଠାରୁ ଅଧିକ। ଚଳିତ ବର୍ଷ ରାଜ୍ୟରେ ୧୫୦ ଲକ୍ଷ ମେଟ୍ରିକ ଟନ୍‌ରୁ ଅଧିକ ଖାଦ୍ୟଶସ୍ୟ ଉତ୍ପାଦନ ହୋଇ ଏକ ନୂଆ ରେକର୍ଡ ସୃଷ୍ଟି ହୋଇଛି। ସେ ଏହି ସଫଳତା ପାଇଁ ରାଜ୍ୟର ପ୍ରତ୍ୟେକ କୃଷକଙ୍କୁ ଅଭିନନ୍ଦନ ଜଣାଇଥିଲେ।

ଚାଷୀଙ୍କ ପରିଶ୍ରମର ଯଥୋଚିତ ମୂଲ୍ୟ ଦେବା ପାଇଁ ରାଜ୍ୟ ସରକାର କ୍ୱିଂଟାଲ ପିଛା ୩୧୦୦ ଟଙ୍କାରେ ଧାନ କ୍ରୟ କରୁଥିବା ମୁଖ୍ୟମନ୍ତ୍ରୀ କହିଥିଲେ। ୨୦୨୫-୨୬ ଖରିଫ ଋତୁରେ ୧୮ ଲକ୍ଷ ୫୫ ହଜାର ୬୬୧ ଜଣ ଚାଷୀଙ୍କଠାରୁ ୭୬.୪୭ ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ କରାଯାଇଛି। ଏଥିପାଇଁ ୫,୫୮୯ କୋଟି ୯୮ ଲକ୍ଷ ଟଙ୍କା ଇନ୍‌ପୁଟ ସହାୟତା ଦିଆଯାଇଛି।

କୃଷି ବିଦ୍ୟାନିଧି ଛାତ୍ରବୃତି ଯୋଜନା ମାଧ୍ୟମରେ କୃଷକ ପରିବାରର ପିଲାମାନଙ୍କୁ ବୈଷୟିକ ଓ ବୃତିଗତ ଶିକ୍ଷା ପାଇଁ ସହାୟତା ଦିଆଯାଉଛି। ୨୦୨୫-୨୬ ଶିକ୍ଷାବର୍ଷରେ ୬୮ ହଜାର ୯୧୦ ଜଣ ଛାତ୍ରଛାତ୍ରୀଙ୍କୁ ୨୯୧ କୋଟି ୬୦ ଲକ୍ଷ ଟଙ୍କାରୁ ଅଧିକ ସହାୟତା ମିଳିଛି। ରାଜ୍ୟ ସରକାର ‘ବଳଭଦ୍ର ଜୈବିକ ଚାଷ ମିଶନ’ ମାଧ୍ୟମରେ ଜୈବିକ ଚାଷକୁ ପ୍ରୋତ୍ସାହନ ଦେଉଛନ୍ତି। ସେହିପରି ଓଡ଼ିଶାର ପାରମ୍ପରିକ ମାଣ୍ଡିଆକୁ ବିଶ୍ୱ ମଂଚରେ ପହଂଚାଇବା ପାଇଁ ଶ୍ରୀ ଅନ୍ନ ଅଭିଯାନକୁ ଆହୁରି ଜୋରଦାର କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଗତ ବର୍ଷ ଅକ୍ଟୋବର ମାସରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ‘ପି.ଏମ୍‌ ଧନ-ଧାନ୍ୟ କୃଷି ଯୋଜନା’ରେ ଓଡ଼ିଶାର କନ୍ଧମାଳ, ମାଲକାନଗିରି, ସୁନ୍ଦରଗଡ ଓ ନୂଆପଡ଼ା ଭଳି ଚାରିଟି ଆଦିବାସୀ ଜିଲ୍ଲା ସ୍ଥାନ ପାଇଥିବାରୁ ସେ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ।