ବସ୍‌ ଆଶ୍ରୟସ୍ଥଳୀରେ ଜିରୋ ମୌଳିକ ସୁବିଧା

ଇସ୍ପାତ ସହରର ତାପମାତ୍ରା ୪୦ ଡିଗ୍ରି ପାର୍‌ ହେଲାଣି। …..

ରାଉରକେଲା: ଇସ୍ପାତ ସହରର ତାପମାତ୍ରା ୪୦ ଡିଗ୍ରି ପାର୍‌ ହେଲାଣି। ଗତ ୨୪ ଘଂଟା ମଧ୍ୟରେ ସହରର ତାପମାତ୍ରା ୪୦.୯ ଡିଗ୍ରି ରେକର୍ଡ କରାଯାଇଥିଲା। ତେବେ ଆଗାମୀ ୫ ଦିନ ଧରି ପ୍ରବଳ ଖରାରୁ ନିସ୍ତାର ମିଳିବନି।

ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପୂର୍ବାନୁମାନ ଅନୁସାରେ, ଆଜି (୧୯ତାରିଖ) ଓ ଆସନ୍ତାକାଲି (୨୦ ତାରିଖ) ତାପମାତ୍ରା ୪୨ ଡିଗ୍ରି, ୨୧ରେ ୪୩ ଡିଗ୍ରି ଏବଂ ୨୨ ଓ ୨୩ ତାରିଖରେ ସହରର ତାପମାତ୍ରା ୪୫ ଡିଗ୍ରି ଛୁଇଁବ ଅର୍ଥାତ୍‌, ଏହି ସମୟରେ ସହରର ବିଭିନ୍ନ ବସ୍‌ ଆଶ୍ରୟସ୍ଥଳୀରେ ବସ୍‌କୁ ଅପେକ୍ଷା କରି ରହୁଥିବା ଯାତ୍ରୀ ପ୍ରଚଣ୍ଡ ଖରାରେ ସିଝିବା ନିଶ୍ଚିତ। ରାଉରକେଲା ସ୍ମାର୍ଟସିଟି ଲିମିଟେଡ୍‌ ଦ୍ୱାରା ସହରର ବିଭିନ୍ନ ସ୍ଥାନରେ ନିର୍ମିତ ୩୮ଟି ବସ୍‌ ଆଶ୍ରୟସ୍ଥଳରେ ମୌଳିକ ସୁବିଧା ନାହିଁ।

୩୮ଟି ଆଶ୍ରୟସ୍ଥଳ ନିର୍ମାଣ କରାଯାଇଛି: ରାଉରକେଲା ସ୍ମାର୍ଟସିଟି ଲିମିଟେଡ୍‌ ପକ୍ଷରୁ ଯାତ୍ରୀଙ୍କୁ ଖରା ଓ ବର୍ଷାରୁ ମୁକ୍ତି ଦେବାକୁ ରାଉରକେଲା ଓ ଆଖପାଖ ଅଂଚଳରେ ଉଚ୍ଚ ଯାତାୟାତ ଜଙ୍କ୍‌ସନ ଓ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ୩୮ଟି ଆଶ୍ରୟସ୍ଥଳ ନିର୍ମାଣ କରାଯାଇଛି। ବିଶେଷ କରି, ବିର୍ସା ଛକ, ରେଲୱେ ଷ୍ଟେସନ, ପ୍ରମୁଖ ଛକ ଯଥା- ଉଦିତନଗର, ପାନପୋଷ ଛକ, ହନୁମାନ ବାଟିକା ଛକ, ଛେଣ୍ଡ୍‌, ଡିଏଭି ଛକ, ବିଭିନ୍ନ ଶିକ୍ଷାନୁଷ୍ଠାନ ଥିବା ଅଂଚଳ, ଯଥା-ଏନ୍‌ଆଇଟି ମୁଖ୍ୟ ଗେଟ୍‌ ଓ ବ୍ୟାକ୍‌ ପୋଷ୍ଟ୍‌, ବିପିୟୁଟି, ଝିରପାଣି, ବିଭିନ୍ନ ଜନବସତି ଓ ମାର୍କେଟ୍‌ ଅଂଚଳ, ଯଥା- କୋଏଲନଗର, ବାସନ୍ତୀ କଲୋନି, ସିଭିଲ୍‌ ଟାଉନସିପ୍‌, ଫର୍ଟିଲାଇଜର ଟାଉନସିପ୍‌, ଇସ୍ପାତ ସହରାଂଚଳ, ସ୍ୱାସ୍ଥ୍ୟ ଭିତିଭୂମି ଥିବା ଅଂଚଳ, ଯଥା- ରାଉରକେଲା ସରକାରୀ ଡାକ୍ତରଖାନା, ଇସ୍ପାତ ଜେନେରାଲ ହସ୍ପିଟାଲ ସମେତ ସହରର ଆଖପାଖ ଅଂଚଳ, ଯଥା- ବେଦବ୍ୟାସ, ବନ୍ଧମୁଣ୍ଡା, ଲାଠିକଟା, ଜଗଦା ଆଦି ସ୍ଥାନରେ ଯୋଜନାବଦ୍ଧ ଭାବେ ବସ୍‌ ଆଶ୍ରୟସ୍ଥଳୀ ତିଆରି କରାଯାଇଥିଲା। କିନ୍ତୁ, ଏଠାରେ ମୌଳିକ ସୁବିଧା ପ୍ରାୟତଃ ନାହିଁ।

ବିଶେଷ କରି ପାନୀୟ ଜଳ, କାର୍ଯ୍ୟକ୍ଷମ ସିଟ୍‌, ପର୍ଯ୍ୟାପ୍ତ ଛାଇର ଅଭାବ ଯୋଗୁ ଯାତ୍ରୀ ଯାବତୀୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏକାଧିକ ଆଶ୍ରୟସ୍ଥଳୀ ଏବେ ଅବହେଳିତ ଅବସ୍ଥାରେ ରହିଛି। ତେବେ କେବଳ ଏଭଳି ଆଶ୍ରୟସ୍ଥଳୀ ନୁହେଁ; ବରଂ ବିଭିନ୍ନ ସରକାରୀ ଓ ବେସରକାରୀ ବସ୍‌ଗୁଡିକ ମଧ୍ୟ ସରକାରୀ ନିୟମ ଅନୁସରଣ କରୁନାହାନ୍ତି। ଗ୍ରୀଷ୍ମ ସମୟରେ ପ୍ରତ୍ୟେକ ବସ୍‌ରେ ସମସ୍ତ ଯାତ୍ରୀଙ୍କ ପାଇଁ ପାନୀୟ ଜଳ, ଓଆର୍‌ଏସ୍‌ ପ୍ୟାକେଟ୍‌, ଆଇସ୍‌ ପ୍ୟାକ୍‌, ପ୍ରାଥମିକ ଚିକିତ୍ସା କିଟ୍‌ ଆଦି ରହିବା ବାଧ୍ୟତାମୂଳକ।

ଏତଦ୍‌ବ୍ୟତୀତ ପରିଚାଳନା ଓ ସମୟ ନିର୍ଦ୍ଧାରଣ ପ୍ରତିବନ୍ଧକ, ସିଟ୍‌ ସଂଖ୍ୟା ଅନୁଯାୟୀ ଯାତ୍ରୀ ପରିବହନ ଆଦି ମାନଦଣ୍ଡ ପୂରଣ କରିବା ବାଧ୍ୟତାମୂଳକ। କିନ୍ତୁ ଗୋଟିଏ ବି ବସ୍‌ ଏସବୁ ନିୟମ ପାଳନ କରୁ ନଥିବା ଦେଖିବାକୁ ମିଳିଛି। ଏମିତି କି ରାଉରକେଲା ସହର ଭିତରେ ଓ ବିଶ୍ରା, ବୀରମିତ୍ରପୁର, ରାଜଗାଙ୍ଗପୁରକୁ ଚଳାଚଳ କରୁଥିବା ଆମ୍‌ ବସ୍‌ ବି ଏସବୁ ନିୟମ ମାନୁନାହାନ୍ତି। ଯଦ୍ୱାରା ସହରର ଯାତ୍ରୀ ଅଂଶୁଘାତର ଶିକାର ହେବା ଆଶଙ୍କା ସର୍ବାଧିକ।