ଗତବର୍ଷ ଜୁଲାଇ ମାସ ୩ ତାରିଖରେ ରୁଜୁ ହୋଇଥିବା ଏକ ମାମଲାରେ ନ୍ୟାୟ ପ୍ରଦାନ କରିବା ନାଁରେ ଜଣେ ମହିଳାଙ୍କୁ ଫେଭର ମାଗିବା ଖଣ୍ଡପଡା ଝଊଚଙ ମଦନ ମୋହନ ପ୍ରଧାନଙ୍କୁ ପଡିଛି ମହଙ୍ଗା। ତାଙ୍କ ନାଁରେ ଫତେଗଡ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ତାଙ୍କୁ ନୟାଗଡ ଜିଲ୍ଲା ପୁଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି।
ଅଭିଯୋଗ ଆଣିଥିବା ମହିଳାଙ୍କ ନିକଟକୁ ଏସ୍ଡିପିଓ ହ୍ୱାଟ୍ସଆପ୍ରେ ଅନେକ ଅଶ୍ଲୀଳ ମେସେଜ ପଠାଇଥିବା ଅଭିଯୋଗ ହୋଇଛି। ‘ହାଫ୍ ଡ୍ରେସ୍ରେ ଫଟୋ ପଠାଇବେ। ଭଲ ଫଟୋଟେ ଛାଡିବେ, ଯେମିତି ଟିକିଏ ଦିଶୁଥିବ।…ଶାଢ଼ୀ ଟିକେ ତଳକୁ କରି ଫଟୋ ଦେବେ।’ ଏ ତ ଗଲା ହ୍ୱାଟ୍ସ ଆପ୍ ମେସେଜ। ଫୋନ୍ କରି ପୁଲିସ ଅଧିକାରୀ ଜଣକ ଉକ୍ତ ମହିଳାଙ୍କୁ ନିଜ ପାଲରେ ପକାଇବାକୁ ପ୍ରୟାସ କରିଥିବା ଅଭିଯୋଗ ହୋଇଛି। ମହିଳା ଜଣଙ୍କ ଏସ୍ଡିପିଓଙ୍କ କଲ୍କୁ ରେକର୍ଡ କରିଛନ୍ତି। ସେଥିରେ ଏସ୍ଡିପିଓ ତାଙ୍କୁ କହିଛନ୍ତି – ସୁବିଧା ଦେଖି କି ଆସିବ।
ଯେଉଁ ଦିନ ଫ୍ରି ଥିବ ଆସିବ। ରାତିରେ ରହିବ କି? ଧରିଲେ କିଛି ଅସୁବିଧା କି? ମନେକର କଥା ହେଲା ବେଳକୁ ରୁମ୍ରେ ଧରାଧରି ହୋଇଗଲା, କିଛି ଅସୁବିଧା କି? ଏମିତିକି ଏସ୍ଡିପିଓ ତାଙ୍କୁ ଫୋନ୍ କରି ସିଧାସଳଖ ତାଙ୍କ ସହିତ ହୋଟେଲକୁ ଯିବାକୁ ମଧ୍ୟ କହିଥିବା ଅଭିଯୋଗ ହୋଇଛି। ଏତେ ସବୁ ପ୍ରୟାସ କରିବା ସତ୍ୱେ ଯେତେବେଳେ ମହିଳା ଜଣଙ୍କ ତାଙ୍କ ପାଲରେ ପଡିଲେ ନାହିଁ ସେତେବେଳେ ଏସ୍ଡିପିଓ ଧମକ ଦେବା ଆରମ୍ଭ କରି ଦେଇଥିଲେ। ତାଙ୍କ ସହିତ ଶାରୀରିକ ସମ୍ପର୍କ ନ ରଖିଲେ ମିଥ୍ୟା ମାମଲାରେ ତାଙ୍କ ସ୍ୱାମୀଙ୍କୁ ଫସାଇ ଦେବାକୁ ଧମକ ଦେଇଥିଲେ ଏସ୍ଡିପିଓ।
କେବଳ ସେତିକି ନୁହେଁ, ମିଥ୍ୟା ମାମଲାରେ ମହିଳାଙ୍କୁ ଫସାଇ ରାତି ସାରା ଥାନାରେ ଅଟକ ରଖି ନିଜ ଉଦ୍ଦେଶ୍ୟ ପୂରଣ କରିବେ ବୋଲି ମଧ୍ୟ ଏସ୍ଡିପିଓ ଧମକ ଦେଇଥବା ଅଭିଯୋଗ ହୋଇଛି। ଏସ୍ଡିପିଓଙ୍କ ଏତେସବୁ ହରକତରେ ଅତିଷ୍ଠ ହୋଇ ମହିଳା ଜଣଙ୍କ ତାଙ୍କ ବିରୋଧରେ ଫତେଗଡ ଥାନାରେ ଏତଲା ଦେଇଥିଲେ। ତାଙ୍କ ଅଭିଯୋଗ ଆଧାରରେ ନୟାଗଡ ଏସ୍ପି ଏହାର ବିଭାଗୀୟ ତଦନ୍ତ କରିଥିଲେ। ତଦନ୍ତ ପରେ ଏସ୍ଡିପିଓଙ୍କ ନାଁରେ ମାମଲା ରୁଜୁ ହୋଇଛି। ମାମଲା ରୁଜୁ ହେବା ପରେ ଘଟଣାର ନିରପେକ୍ଷ ତଦନ୍ତ ପାଇଁ ତାଙ୍କୁ ନୟାଗଡ ଜିଲ୍ଲା ପୁଲିସ ମୁଖ୍ୟାଳୟକୁ ବଦଳି କରି ଦିଆଯାଇଛି।