ଗ୍ୟାଙ୍ଗଷ୍ଟାର ଲିଟୁ ନିଖୋଜ: ଗ୍ୟାଙ୍ଗୱାର ପ୍ରତି ସନ୍ଦେହ

କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅଂଚଳର …

କେନ୍ଦ୍ରାପଡା: କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅଂଚଳର କୁଖ୍ୟାତ ଗ୍ୟାଙ୍ଗଷ୍ଟର ଦେବୀପ୍ରସାଦ ଦାସ ଓରଫ ଲିଟୁ ହଠାତ୍‌ ଡିସେମ୍ବର ୧୯ ତାରିଖରେ ନିଖୋଜ ହୋଇଯାଇଛନ୍ତି। ଲିଟୁ ନିଖୋଜ ପଛରେ ଗ୍ୟାଙ୍ଗ୍‌ୱାରକୁ ଦାୟୀ କରୁଛନ୍ତି ତାଙ୍କ ମା’। ଗ୍ୟାଙ୍ଗଷ୍ଟାର ଲିଟୁକୁ ପରିବାର ଲୋକ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ତା’ର ସନ୍ଧାନ ମିଳିନି। ଲିଟୁଙ୍କ ମା’ ବିଜୟଲଷ୍ମୀ ଦାସ ଡିସେମ୍ବର ୨୫ ତାରିଖରେ ମାର୍ଶାଘାଇ ଥାନାରେ ଏତଲା ଦେଇଛନ୍ତି।

ମାର୍ଶାଘାଇ ପୁଲିସ କେବଳ ଏକ ମିସିଙ୍ଗ ରିପୋର୍ଟ କରି ଚୁପ୍‌ ହୋଇ ବସିଯାଇଛି ବୋଲି ଲିଟୁର ପରିବାର ଲୋକ ଅଭିଯୋଗ କରିଛନ୍ତି। ବିଜୟଲକ୍ଷ୍ମୀ ଦାସ ଆଜି ଗଣମାଧ୍ୟମ ଆଗରେ ଅଭିଯୋଗ ଆଣିଛନ୍ତି କି- ନିଖୋଜ ହେବା ଦିନ ପୁଅ ତାଙ୍କୁ ଗଡ଼କୁ ବୁଲିବା ପାଇଁ ଯାଉଛି; ଫେରିଆସିବି କହିଥିଲା। ମାତ୍ର ଫେରି ନଥିଲା। ସେ ଜାଣିବାକୁ ପାଇଥିଲେ ଯେ ସେହିଦିନ ରାତିରେ ସ୍ଥାନୀୟ ଏକ ଢାବାରେ ଅନ୍ୟ ଏକ ଗ୍ୟାଙ୍ଗଷ୍ଟର ଓ ତାର ସହଯୋଗୀମାନଙ୍କ ସହ ପୂର୍ବବିବାଦ ଓ ଟଙ୍କା ଭାଗ ବଂଟାକୁ କେନ୍ଦ୍ର କରି ପାଟିତୁଣ୍ଡ ହୋଇଥିଲା। ତା’ ପରେ ଉକ୍ତ ଢାବା ୨ରୁ ୩ ଦିନ ଧରି ବନ୍ଦ ରହିଥିଲା। ବିଗତ ଦିନରେ ଉକ୍ତ ଗ୍ୟାଙ୍ଗଷ୍ଟର ସଦସ୍ୟ ଲିଟୁ ସହ କାମ କରିଛନ୍ତି। ତେଣୁ ଲିଟୁ ନିଖୋଜ ହେବା ପଛରେ ତା ପୁରୁଣା ସହଯୋଗୀମାନଙ୍କ ହାତ ଥାଇପାରେ ବୋଲି ସେ ସନ୍ଦେହ କରୁଛନ୍ତି।
ଘଟଣା ସମ୍ପର୍କରେ କେନ୍ଦ୍ରାପଡ଼ା ଏସଡିପିଓ ଜ୍ୟୋତି ରଞ୍ଜନ ଗୌଡଙ୍କୁ ପଚାରିବାରୁ କହିଛନ୍ତି କି ଲିଟୁଙ୍କ ନିଖୋଜ ଅଭିଯୋଗ ସଂକ୍ରାନ୍ତରେ ଥାନାରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଚାଲିଛି। ଆମକୁ କୌଣସି ସୁରାକ ମିଳିନାହିଁ। ଲିଟୁ ନିଖୋଜ ହେବା ସମ୍ପର୍କରେ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଏକ ମାମଲା ମଧ୍ୟ ଦାଏର ହୋଇଛି। ନ୍ୟାୟ ପାଇଁ ଲଢେଇ ପରିବାର ସଂଗଠନ (ଓଡିଶା) ତରଫରୁ ସୁବ୍ରତ କୁମାର ଦାଶ ଏନ୍‌ଏଚଆରସି ମାମଲା ରୁଜୁ କରିଛନ୍ତି। ଲିଟୁ ନାଁରେ କେନ୍ଦ୍ରାପଡ଼ା, ଜଗତସିଂହପୁର ଓ କଟକ ଜିଲ୍ଲାରେ ୩୩ଟି ଅପରାଧିକ ମାମଲା ବିଚାରାଧୀନ ରହିଛି।